ପ୍ରୀତିଛନ୍ଦା ଧଳଙ୍କ ନିୟମିତ ସ୍ତମ୍ଭ ‘ପ୍ରୀତିଲେଖା’
ସ୍ୱାଧୀନତା ଦିବସର ଅମୃତ ମହୋତ୍ସବ ଆମେ ପାଳନ କରୁଛେ । ଆଜାଦୀ କା ଅମୃତ ମହୋତ୍ସବ ଅର୍ଥାତ ସ୍ୱାଧୀନତାର ପଞ୍ଚସ୍ତରୀ ବର୍ଷକୁ ଆମେ ୭୫ ସପ୍ତାହ ଧରି ବଡ଼ ଧୁମ ଧାମରେ ପାଳିବୁ ସବୁ ଜାଗାରେ । ସବୁ ଆଡ଼େ ଦେଖିଲେ ସମସ୍ତେ ସେଇ ଆୟୋଜନରେ ବ୍ୟସ୍ତ ଆଉ ଚଳ ଚଞ୍ଚଳ । ଗୋଟିଏ ଲକ୍ଷ୍ୟ କେମିତି ସମସ୍ତେ ସ୍ୱାଧୀନତାରେ ବଳିଦାନ ଦେଇଥିବା ସଂଗ୍ରାମୀମାନଙ୍କୁ ଆଉ ସ୍ୱାଧୀନତାର ପ୍ରକୃତ ଅର୍ଥକୁ ବୁଝିପାରିବେ । ବିଶେଷ କରି ଆଜିର ଯୁବପୀଢ଼ିମାନଙ୍କ ପାଇଁ ସ୍ୱାଧୀନତା ଦିବସର ସଂଜ୍ଞାକୁ ବୁଝିବା ବହୁତ ଆବଶ୍ୟକ ହୋଇପଡିଛି ।
ପଞ୍ଚସ୍ତରୀ ବର୍ଷ ପରେ ଆମ ଦେଶ ଏବେ କେଉଁ ପରିସ୍ଥିତିରେ ଅଛି ସ୍ୱାଧୀନତାର ପ୍ରକୃତ ଅର୍ଥକୁ ଆମେ ବୁଝିପାରିଛେ କି ବୋଲି ବଡ଼ ପ୍ରଶ୍ନ ଏବେ ଆମ ସମସ୍ତଙ୍କ ମନରେ । ଦେଶ ଆଜି ପ୍ରଗତିର ଶୀର୍ଷକୁ ଛୁଇଁବାର ପ୍ରଚେଷ୍ଟାରେ । ସ୍ୱାଧୀନତାର ପୂର୍ଣ୍ଣତାକୁ ଆମେ ସମସ୍ତେ ବାସ୍ତବରେ ଜାଣିବା ଦରକାର । ଘରେ ବାହାରେ ଆଗାମୀ ପୀଢ଼ି ସମସ୍ତେ ସଂଗ୍ରାମୀମାନଙ୍କର ବଳିଦାନ ସମ୍ପର୍କରେ ଅବଗତ ହେବା ଅତ୍ୟନ୍ତ ଜରୁରୀ । ସ୍ୱାଧୀନତାର ପଞ୍ଚସ୍ତରୀ ବର୍ଷରେ ଏବେ ଆମେ । ଆମେ ଅନେକ ପରିବର୍ତ୍ତନ ଦେଖୁଛେ । ସେଥିରେ ଅନେକ କଥାମାନ ମଧ୍ୟ ଆସୁଛି ।
ଗାନ୍ଧୀଜୀ ସ୍ୱାଧୀନତା ଆନ୍ଦୋଳନରେ ମହିଳାଙ୍କ ନେତୃତ୍ୱକୁ ବିଶେଷ ଭାବରେ ପ୍ରାଧାନ୍ୟ ଦେଇଥିଲେ । ସେତେବେଳେ ଘରୁ ମହିଳାମାନେ ସ୍ୱାଧୀନତା ଆନ୍ଦୋଳନରେ ସ୍ୱଇଚ୍ଛାରେ ସାମିଲ ହୋଇଥିଲେ । ସେଥିପାଇଁ ବୋଧେ ଗାନ୍ଧୀଜୀଙ୍କର ଦେଶ ସ୍ୱାଧୀନ ହେଲା ପରେ ମଧ୍ୟ ବଡ଼ ସ୍ବପ୍ନ ଥିଲା ଯେ ଆମ ଦେଶରେ ଯେଉଁ ଦିନ ମହିଳାଟିଏ ବିନା ଭୟ ଆଉ ଦ୍ୱିଧାରେ ରାତିରେ ରାଜରାସ୍ତାରେ ଏକୁଟିଆ ଚଳପ୍ରଚଳ କରିବ ସେଦିନ ଆମେ ଭାବିବା ଯେ ପ୍ରକୃତ ଅର୍ଥରେ ଆମକୁ ସ୍ୱାଧୀନତା ମିଳିଗଲା ବୋଲି । ବାସ୍ତବରେ ତାଙ୍କର ସେଇ ମହାନ ଚିନ୍ତାଧାରା ଓ ଆଜିର ଦିନ ମଧ୍ୟରେ ଅନେକ ଶୂନ୍ୟସ୍ଥାନ ଦେଖିବାକୁ ମିଳୁଛି । ସେ ସିନା ଆମକୁ ସ୍ୱାଧୀନତାର ସ୍ୱାଦ ଦେଇଚାଲିଗଲେ ଆମେ କିନ୍ତୁ ଏବେ ଅନ୍ଧକାର ଭିତରେ ପ୍ରକୃତ ସ୍ୱାଧୀନତାର ସନ୍ଧାନରେ ସମସ୍ତେ ଘୁରିବୁଲୁଛେ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ । ଦେଶର ରାଷ୍ଟ୍ରପତି ଭାବରେ ଓଡ଼ିଶାର ପ୍ରଥମ ଆଦିବାସୀ ମହିଳା ଆଜି ଦେଶକୁ ନିୟନ୍ତ୍ରଣ କରୁଛନ୍ତି । ଗୋଟିଏ ଦଳର ପାର୍ଥିନୀ ସେ ସତ କିନ୍ତୁ ରାଷ୍ଟ୍ରର ସର୍ବୋଚ୍ଚ ପଦବୀରେ ବସିଲା ପରେ ସେ ହେଲେ ଦେଶ ର ପ୍ରତ୍ୟକ ନାଗରିକଙ୍କର ରାଷ୍ଟ୍ରପତି । ଓଡ଼ିଶାର ପ୍ରଥମ ମହିଳା ଭାବରେ ତାଙ୍କ ନିୟନ୍ତ୍ରଣରେ ରହିଲା ସବୁ କିଛି । ଏହା ବଡ଼ ଗର୍ବ ଓ ଗୌରବର କଥା । କିନ୍ତୁ ପରିତାପର ବିଷୟ ଯେ ଯେତେବେଳେ ଆଦିବାସୀ ମହିଳା ଜଣେ ଦେଶର ରାଷ୍ଟ୍ରପତି ହେବାର ଖୁସିରେ ଆମେ ଉତ୍ସବ ମନଉଥିଲ। ବେଳେ ଆମର ଆଦିବାସୀ ଝିଅଟିଏ ଦୁଷ୍କର୍ମର ଶିକାର ହୋଇ କେମିତି ମୃତ୍ୟମୁଖରେ ପଡୁଛି ; ଆଉ ତା’ ପାଇଁ ପୋଲିସ ଆଉ ପ୍ରଶାସନ ପୁରା ସମ୍ବେଦନଶୀଳ ହେବା ପରିବର୍ତ୍ତେ ସମବେଦନାହୀନ ହୋଇପାରୁଛନ୍ତି ତାହା ବଡ଼ ଦୁର୍ଭାଗ୍ୟଜନକ ଆମ ସମାଜ ପାଇଁ ।
ସ୍ୱାଧୀନତାର ପ୍ରକୃତ ଅର୍ଥ ଯାହା ଗାନ୍ଧୀଜୀଙ୍କର ସ୍ବପ୍ନ ଥିଲା ତାହା ଏବେ ଆଉ କେଉଁଠି ବି ଦେଖିବାକୁ ମିଳୁନାହିଁ । ମହିଳାଙ୍କ ସଶକ୍ତିକରଣ ତ ସ୍ୱାଧୀନତା ପୂର୍ବରୁ ଆମେ ଦେଖିଛେ କିନ୍ତୁ ସରକାର ଆଜି ମହିଳା ସଶକ୍ତିକରଣର ଡିଣ୍ଡିମ ପିଟି ଭୋଟ ରାଜନୀତିର ଉର୍ଦ୍ଧ୍ଵକୁ ଯାଇ ମହିଳାଙ୍କ ପାଇଁ ସୁରକ୍ଷିତ ପରିବେଷ କଥା ସମ୍ପୂର୍ଣ ରୂପେ ଭୁଲିଯାଉଛନ୍ତି। ହର ଘର ତ୍ରିରଙ୍ଗା ଗୋଟେ ସୁନ୍ଦର ପ୍ରୟାସ କେନ୍ଦ୍ର ସରକାରଙ୍କର ସମସ୍ତେ ଜାଣିବେ, ଶୁଣିବେ ସ୍ୱାଧୀନତାର ସେଇ ମୁହୂର୍ତ୍ତଗୁଡିକୁ ବେଶ ପ୍ରଶଂସନୀୟ କିନ୍ତୁ ସ୍ୱାଧୀନତାର ବାସ୍ତବ ଅର୍ଥକୁ ମଧ୍ୟ ଆମେ ଭୁଲିଯିବା ଉଚିତ ନୁହେଁ । ଆମ ତ୍ରିରଙ୍ଗାର ସମ୍ମlନ ଆମ ହାତରେ, ଯେମିତି ସେମିତି ସବୁ ମହିଳାଙ୍କ ସୁରକ୍ଷାର କଥା ବି ଯଦି ଆମେ ସମସ୍ତେ ଚିନ୍ତା କରିବା ତାହେଲେ ସ୍ୱାଧୀନତାର ଏଇ ଉତ୍ସବ ଆମକୁ ଆଉ ଅନେକ ସ୍ବପ୍ନ ଦେଖେଇବ ଏଥିରେ ସନ୍ଦେହ ନାହିଁ । ପ୍ରତ୍ୟେକ କ୍ଷେତ୍ରରେ ଆମେ ଦେଖିବା ଯଦି ଗୋଟିଏ ରାଜନୈତିକ ଇଚ୍ଛା ଶକ୍ତି ( ଆନ୍ତରିକତା ) ଥିବ ତାହେଲେ ସେ ପ୍ରୟାସଟି ଅଧିକ ବାଟ ଆଗେଇଯିବ । ତେଣୁ ମହିଳା ସଶକ୍ତିକରଣ କ୍ଷେତ୍ରରେ ମଧ୍ୟ ସେ ଆନ୍ତରିକତା ଆସିବା ଦରକାର । ନହେଲେ ରାତି ପାହିଲେ ଏଇ ସଶକ୍ତିକରଣର ଆଢୁଆଳରେ ମହିଳାଙ୍କ ପାଇଁ ହିଂସାପୂର୍ଣ୍ଣ ପରିବେଶର ସୃଷ୍ଟି ବହୁତ ଶୀଘ୍ର ହୋଇଯିବ ।
ସମାଜର ଅନେକ ଦାୟିତ୍ୱ ରହିଛି । ପ୍ରୟାସ ଆଉ ପ୍ରଚେଷ୍ଟା ଯଦି ମିଳିତ ଭାବରେ ସରକାରଙ୍କ ତରଫରୁ ହେବ ତାହେଲେ ” ହର ଘର ତ୍ରିରଙ୍ଗା ଭଳି ହର ଘର ନାରୀ ସୁରକ୍ଷିତ” ର ସ୍ବପ୍ନ ମଧ୍ୟ ଆମେ ଦେଖିପାରିବା । ନିଜ ଘରୁ ନିଜେ ନାରୀଟିଏ ସୁରକ୍ଷିତ ହେଲେ ସେ ସଶକ୍ତିକରଣର ସଂଜ୍ଞାକୁ ନିଜ ପାଖରେ ପ୍ରମାଣିତ କରିପାରିବ । ସଂରକ୍ଷଣ ନୁହେଁ ସମ୍ମlନ ଚାହୁଁଛି ଆଜିର ନାରୀ । ସ୍ୱାଧୀନତା ଆନ୍ଦୋଳନରେ ଯେ କେତେ ଭୂମିକା ଥିଲା ନାରୀର ତାକୁ ମଧ୍ୟ ଆମେ ଭୁଲିଯିବା ଉଚିତ ନୁହେଁ। ସରକାରୀ ସ୍ତରରେ ମହିଳାଙ୍କ ସୁରକ୍ଷା ପାଇଁ ସଚେତନତା ହିଁ ହେବ ପ୍ରକୃତ ସଶକ୍ତିକରଣ । ଶିକ୍ଷା କ୍ଷେତ୍ରରେ ସଶକ୍ତ, ରାଜନୀତି କ୍ଷେତ୍ରରେ ସଶକ୍ତ, ଆର୍ଥିକ କ୍ଷେତ୍ର ସଶକ୍ତ ହେବା ସାଙ୍ଗରେ ହିଂସା ମୁକ୍ତ ପରିବେଶ ମଧ୍ୟ ନାରୀ ପାଇଁ ନିହାତି ଲୋଡ଼ା ବୋଲି ଏ କଥା ଆମେ ଭୁଲିଯିବା ଉଚିତ ନୁହେଁ ।
Comments are closed.