ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କ ସହ ଘନିଷ୍ଠତା ନେଇ ପ୍ରଥମ ଥର ପାଇଁ ମୁହଁ ଖୋଲିଲେ ବିଶ୍ୱର ତୃତୀୟ ନମ୍ବର ଧନୀ ଗୌତମ ଆଦାନୀ। ସେ କହିଛନ୍ତି ମୋ ବ୍ୟବସାୟ କେବଳ ବିଜେପି ଶାସିତ ରାଜ୍ୟଗୁଡ଼ିକରେ ଚାଲୁନି ୨୨ ଟି ରାଜ୍ୟରେ ମୋର ବ୍ୟବସାୟ ଚାଲିଛି। ଯେଉଁଠି ବିଜେପି ବିରୋଧୀ ସରକାର ମଧ୍ୟ ଅଛନ୍ତି। ଜାତି ଗଣମାଧ୍ୟମ ଇଣ୍ଡିଆ ଟିଭିକୁ ସାକ୍ଷାତକାର ଦେଇ ଏହି ପ୍ରତିକ୍ରିୟା ଦେଇଛନ୍ତି ଆଦାନୀ।
ଏନେଇ ସେ କହିଛନ୍ତି “ସମ୍ଭାବନା ଥିବା ପ୍ରତ୍ୟେକ ରାଜ୍ୟରେ ମୁଁ ଅଧିକ ନିବେଶ କରିବାକୁ ଚାହୁଁଛି। ପ୍ରକୃତରେ ଆଦାନୀ ଗ୍ରୁପ ଖୁସୀ ଯେ ଆଜି ଆମର ୨୨ଟି ରାଜ୍ୟରେ ବ୍ୟବସାୟ ଚାଲିଛି। ତେବେ ସବୁ ରାଜ୍ୟ କିନ୍ତୁ ବିଜେପି କ୍ଷମତାରେ ନାହିଁ। କୌଣସି ରାଜ୍ୟ ସରକାରଙ୍କ ସହ ଆମର ସମସ୍ୟା ନାହିଁ। ବାମପନ୍ଥୀ ସରକାର ଥିବା କେରଳରେ ଆମ ବ୍ୟବସାୟ ଚିଲିଛି। ମମତା ଦିଦିଙ୍କ ରାଜ୍ୟ ବେଙ୍ଗଲରେ କାମ କରୁଛୁ ଓଡ଼ିଶାରେ ନବୀନ ପଟ୍ଟନାୟକ ଜୀଙ୍କ ସହ ମିଶି ବି କାମ କରୁଛୁ। ଜଗନମୋହନ ରେଡ୍ଡୀ ଷ୍ଟେଟ୍ ଏମିତିକି କେସିଆରଙ୍କ ରାଜ୍ୟରେ ବି ଆମର ବ୍ୟବସାୟ ଚାଲିଛି।”
ଗତକାଲି ପ୍ରସାରିତ ହୋଇଥିବା ଇଣ୍ଡିଆ ଟିଭି ଶୋ ‘ଆପକି ଅଦାଲତ’ରେ ସାକ୍ଷାତକାର ଦେଇ ଆଦାନୀ କହିଛନ୍ତି “ ଆପଣ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଠାରୁ କୌଣସି ବ୍ୟକ୍ତିଗତ ସାହାଯ୍ୟ ନେଇପାରିବେ ନାହିଁ। ତେବେ ହଁ ଜାତୀୟ ସ୍ୱାର୍ଥ ପାଇଁ କୌଣସି ପିଲିସ ବିଷୟରେ ଆଲୋଚନା କରିପାରିବେ। ଆଉ ଯେତେବେଳେ ସରକାର ଏକ ପଲିସି ଆଣନ୍ତି ସେତେବେଳେ ତାହା କେବଳ ଆଦାନୀ ପାଇଁ ନୁହେଁ ସମସ୍ତଙ୍କ ପାଇଁ ହୁଏ।”
ସେହିପରି ମୋଦୀ ସରକାରରେ ତାଙ୍କ ବ୍ୟବସାୟ ବୃଦ୍ଧି ହୋଇଛି ବୋଲି ଲୋକଙ୍କ ମନରେ ଯେଉଁ ପ୍ରଶ୍ନ ରହିଛି ତାକୁ ନେଇ ପ୍ରଶ୍ନ କରାଯାଇଥିଲା। ଯାହାର ଉତ୍ତର ଦେଇ ସେ କହିଛନ୍ତି ମୋଦୀ ସରକାର ଆସିବା ପରେ ତାଙ୍କୁ ସଫଳତା ମିଳିଛି ବୋଲି ଭାବିବା ଭୁଲ। କଂଗ୍ରେସ ସରକାର ସମୟରୁ ହିଁ ତାଙ୍କ ଆୟ ବୃଦ୍ଧି ହୋଇଛି।
ଏନେଇ ସେ କହିଛନ୍ତି “ଜୀବନରେ ମୋତେ ୩ଟି ବଡ଼ ସୁଯୋଗ ମିଳିଛି। ପ୍ରଥମେ ୧୯୮୫ ମସିହା ରାଜୀବ ଗାନ୍ଧୀଙ୍କ ଶାସନ ସମୟରେ ଯେତେବେଳେ ଏକ୍ସିମ ପଲିସିକୁ ଅନୁମତି ମିଳିଲା ସେତେବେଳେ ଆମ କମ୍ପାନୀ ବୈଶ୍ୱିକ ବ୍ୟାପାର କମ୍ପାନୀ ହୋଇପାରିଲା। ଦ୍ୱିତୀୟ ସୁଯୋଗ ମିଳିଥିଲା ୧୯୯୧ରେ। ପିଭି ନରସିଂହା ରାଓ ଓ ଡ. ମନମୋହନ ସିଂହ ଯେତେବେଳେ ଦେଶର ଅର୍ଥନୀତିରେ ଉଦାରିକରଣ ନୀତି ଆଣିଥିଲେ। ସେତେବେଳେ ଆମେ ପବ୍ଲିକ-ପ୍ରାଇଭେଟ ପାର୍ଟନର୍ସିପ ମୋଡ୍ରେ ପ୍ରବେଶ କରିଥିଲୁ। ଏବଂ ତୃତୀୟ ହେଲା ଗୁଜୁରାଟରେ ମୋଦୀଙ୍କ ୧୨ ବର୍ଷ ଶାସନ ସମୟରେ। ମୁଁ ଗର୍ବର ସହ କହିବି ଯେ ଏହା ଖୁବ ଭଲ ସମୟ ଥିଲା। ” ତେବେ କେବଳ ଆାଦାନୀ ପାଇଁ ମୋଦୀ ସରକାର ସବୁ କିଛି କରିଛନ୍ତି ଏକଥା ଭୁଲ ବୋଲି ଆଦାନୀ ଦର୍ଶାଇବାକୁ ଚେଷ୍ଟା କରିଥିଲେ।
Comments are closed.