Latest Odisha News

ବିଶ୍ୱର ବ୍ୟୟବହୁଳ ବିବାହ: ଖର୍ଚ୍ଚ ହୋଇଛି ୪୯୧ କୋଟି

ଯୁକ୍ତରାଷ୍ଟ୍ର ଆମେରିକାର ମାଡିଲେନ୍ ବ୍ରକ୍‌ୱେ ଓ ଜାକୋବ ଲାଗ୍ରୋନ୍ ଏବେ ଖୁବ୍ ଚର୍ଚ୍ଚାରେ । କାରଣ ତାଙ୍କ ବିବାହକୁ ନେଇ । ଏବେ ଉଭୟଙ୍କ ବିବାହ ବିଶ୍ୱର ବ୍ୟୟବହୁଳ ବିବାହ ଭାବେ ଜଣାଯାଇଛି । ସେମାନଙ୍କ ବିବାହରେ ଖର୍ଚ୍ଚ ହୋଇଛି ୪୯୧ କୋଟି ଟଙ୍କା, ଯାହାକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା ଜୋର ଧରିଛି । ମାଡିଲେନ୍ ଓ ଜାକୋବଙ୍କୁ କିଛି ଦିନ ପୂର୍ବେ କେହି ଚିହ୍ନି ନ ଥିଲେ । କିନ୍ତୁ ସପ୍ତାହେ ତଳେ ସେମାନଙ୍କ ବିବାହ ସମ୍ପନ୍ନ ହେବା ପରେ ଦୁହେଁ ଇଣ୍ଟରନେଟ୍‌ରେ ବହୁଚର୍ଚ୍ଚିତ ଦମ୍ପତି ପାଲଟିଛନ୍ତି ।

୨୬ ବର୍ଷୀୟା କନ୍ୟା ମାଡିଲେନ୍‌ଙ୍କ ପରିବାର କାର୍ ବ୍ୟବସାୟ ସହ ସଂପୃକ୍ତ । ଉତ୍ତରାଧିକାର ସୂତ୍ରରେ ସେ ପ୍ରଚୁର ସମ୍ପତ୍ତିର ଅଧିକାରିଣୀ ହୋଇଛନ୍ତି । ପ୍ୟାରିସ୍‌ରେ ତାଙ୍କର ପାଞ୍ଚ ଦିନ ବ୍ୟାପୀ ବର୍ଣ୍ଣାଢ୍ୟ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଗତ ୧୮ ତାରିଖରେ ସେମାନଙ୍କର ବିବାହ ସମ୍ପନ୍ନ ହୋଇଛି । ସେଥିପାଇଁ ସେ ୫୯ ମିଲିଅନ୍ ଡଲାର ବା ପ୍ରାୟ ୪୯୧ କୋଟି ଟଙ୍କା ଖର୍ଚ୍ଚ କରିଦେଇଛନ୍ତି । ବିବାହର ଅତିଥିମାନଙ୍କ ପାଇଁ ପ୍ୟାରିସ୍‌କୁ ପ୍ରାଇଭେଟ୍ ଜେଟ୍‌, ପ୍ୟାରିସ୍ ଅପେରା ହାଉସ୍‌ରେ ରିହର୍ସାଲ୍ ଡିନର, ଭର୍ସାଇ ରାଜପ୍ରାସାଦରେ ବିଭିନ୍ନ ଉତ୍ସବ, ଲୋକପ୍ରିୟ ବ୍ୟାଣ୍ଡ୍ ‘ମରୁନ୍ ୫’ର ସଂଗୀତ ପରିବେଷଣ ଏହି ଖର୍ଚ୍ଚରେ ଅନ୍ତର୍ଭୁକ୍ତ । ଫୁଲରେ ସାଜସଜ୍ଜା ପାଇଁ ମଧ୍ୟ ପ୍ରଚୁର ଖର୍ଚ୍ଚ କରାଯାଇଥିଲା । ତେବେ ଏହି ବିବାହରେ ଏତେ ଟଙ୍କା ଖର୍ଚ୍ଚ କରିଥିବାରୁ ଲୋକମାନେ ଆଶ୍ଚର୍ଯ୍ୟ ହେବା ସହ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।

Comments are closed.