Latest Odisha News

ସଙ୍କଟରେ କର୍ଣ୍ଣାଟକ ରାଜନୀତି, ୟେଦିୟୁରାପ୍ପା ଗଢିବେ ସରକାର !

ବେଙ୍ଗାଲୁରୁ: କର୍ଣ୍ଣାଟକରେ ଶାସକ ଜେଡ଼ିଏସ-କଂଗ୍ରେସ ମେଣ୍ଟ ସରକାର ଏବେ ସଙ୍କଟରେ । ବର୍ତ୍ତମାନ କର୍ଣ୍ଣାଟକର ରାଜନୈତିକ ପରିସ୍ଥ୍ିତି କ’ଣ ହେବ ତାହା ବିଧାନସଭାର ବାଚସ୍ପତିଙ୍କ ଉପରେ ସମ୍ପୂର୍ଣ୍ଣ ନିର୍ଭର କରୁଛି । ଏପର୍ଯ୍ୟନ୍ତ ୧୩ ଜଣ ବିଧାୟକ ଇସ୍ତଫା ପ୍ରଦାନ କରିଛନ୍ତି, ବାଚସ୍ପତି ସେମାନଙ୍କ ଇସ୍ତଫାକୁ ଗ୍ରହଣ କଲା ପରେ କୁମାରସ୍ୱାମୀ ସରକାର ସଂଖ୍ୟା ଗରିଷ୍ଠତା ହରାଇବା ନିଶ୍ଚିତ । ଏବେ କଂଗ୍ରେସ ଓ ଜେଡ଼ିଏସର ହାଇକମାଣ୍ଡ ଅସନ୍ତୁଷ୍ଟ ବିଧାୟକମାନଙ୍କୁ ଯେନତେନ ପ୍ରକାରେଣ ସନ୍ତୁଷ୍ଟ କରିବାକୁ ଉଦ୍ୟମ ଜାରି ରଖିଛନ୍ତି ।

ଆମେରିକା ଗସ୍ତରେ ରହିଥିବା ଜେଡ଼ିଏସର ନେତା ତଥା ରାଜ୍ୟ ମୁଖ୍ୟମନ୍ତ୍ରୀ ଏପରି ଏକ ଜଟିଳ ରାଜନୈତିକ ପରିସ୍ଥିତି ସୃଷ୍ଟି ହେବ ବୋଲି ଆଶା କରିନଥିଲେ । ଏହିପରି ରାଜନୈତିକ ସଙ୍କଟ ସୃଷ୍ଟି ହୋଇଥିବା ଯୋଗୁଁ ସେ ଆମେରିକାରୁ ତୁରନ୍ତ ବେଙ୍ଗାଲୁରୁ ଫେରିଆସି ଅସନ୍ତୁଷ୍ଟ ବିଧାୟକମାନଙ୍କୁ ମନାଇବା ଲାଗି ପ୍ରଚେଷ୍ଟା କରୁଛନ୍ତି ।

କଂଗ୍ରେସ ଓ ଜେଡ଼ିଏସର ଆଭ୍ୟନ୍ତରୀଣ ସଙ୍କଟକୁ ତୀବ୍ର ନଜର ରଖିଛି ରାଜ୍ୟ ବିଜେପି । ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ବି ଏସ ୟେଦିୟୁରାପ୍ପା କହିଛନ୍ତି, ବିଧାୟକମାନଙ୍କ ଇସ୍ତଫା ପ୍ରଦାନକୁ ବାଚସ୍ପତି ସ୍ୱୀକାର କରିବା ପରେ ହିଁ ବିଜେପି ତାହାର ଆଗାମୀ ନିଷ୍ପତ୍ତି ନେବ ।

ଯଦି ଏହି ୧୩ ଜଣ ବିଧାୟକଙ୍କ ଇସ୍ତଫାକୁ ବାଚସ୍ପତି ଗ୍ରହଣ କରନ୍ତି, ତେବେ ୨୨୪ ଆସନ ବିଶିଷ୍ଟ କର୍ଣ୍ଣାଟକ ବିଧାନସଭାରେ ମୋଟ ସଦସ୍ୟଙ୍କ ସଂଖ୍ୟା ୨୧୦କୁ ଖସି ଆସିବ । ଏବେ କଂଗ୍ରେସ-ଜେଡ଼ିଏସ ବିଧାୟକଙ୍କ ସଂଖ୍ୟା ୧୦୫ ଏବଂ ଏକାକୀ ବିଜେପିର ସଦସ୍ୟ ସଂଖ୍ୟା ମଧ୍ୟ ହେବ ୧୦୫ । ତେଣୁ ସଙ୍କଟରେ ପଡ଼ିବ କୁମାରସ୍ୱାମୀଙ୍କ ନେତୃତ୍ୱାଧିନ କୁମାରସ୍ୱାମୀ ସରକାର ।

ଏହି ଅସନ୍ତୁଷ୍ଟ ନେତାମାନେ ଏବେ ମୁମ୍ବାଇରେ ଅବସ୍ଥାନ କରୁଥିବା ବେଳେ ବିଜେପି ସେମାନଙ୍କୁ ନିଜ ଆଡ଼କୁ ଆଣିବାକୁ ଚେଷ୍ଟା କରୁଛି । ଏପରିକି ଏହି ବିଧାୟକମାନଙ୍କୁ ନିଜ ଆଡ଼କୁ ମନାଇବାକୁ ବିଜେପି ଉପାଧ୍ୟକ୍ଷ ଏମ ଏଲ ସି ପ୍ରସାଦ ଲାଡ଼ ଅବସ୍ଥାନ କରୁଥିବା ହୋଟେଲରେ ନିଭୃତ ଆଲୋଚନା କରିଛନ୍ତି ।

ଅନ୍ୟପକ୍ଷରେ ଏସମ୍ପର୍କରେ ବରିଷ୍ଠ କଂଗ୍ରେସ ନେତା ଡ଼ି କେ ଶିବକୁମାର ରବିବାର ଦିନ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଜେଡ଼ିଏସ ନେତା ଦେବେଗୌଡ଼ାଙ୍କୁ ସାକ୍ଷାତ କରିଛନ୍ତି । ଶ୍ରୀ ଶିବକୁମାର ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ଏହି ସମସ୍ୟାର ସମାଧାନ ଯଥାଶିଘ୍ର ହେବ ।

Leave A Reply

Your email address will not be published.