Latest Odisha News

ପଶ୍ଚିମବଙ୍ଗ ବିଧାନସଭାରେ ‘ଅପରାଜିତା’ ବିଲ୍‌ ପାସ୍, ଜାଣନ୍ତୁ କ’ଣ ରହିଛି ଦଣ୍ଡବିଧାନ

କୋଲକାତା: ପଶ୍ଚିମବଙ୍ଗ ବିଧାନସଭାରେ ସର୍ବସମ୍ମତି କ୍ରମେ ଦୁଷ୍କର୍ମ ବିରୋଧୀ ବିଲ୍ ‘ଅପରାଜିତା’ ପାରିତ ହୋଇଛି। ବିରୋଧୀମାନେ ମଧ୍ୟ ଏହି ବିଲକୁ ସମ୍ପୂର୍ଣ୍ଣ ସମର୍ଥନ କରିଛନ୍ତି।

ରାଜ୍ୟ ଆଇନ ମନ୍ତ୍ରୀ ମଲୟ ଘଟକ ଏହି ବିଲ୍ ଆଗତ କରିଛନ୍ତି। ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ବ୍ୟକ୍ତିଙ୍କ ପାଇଁ ଯଦି ପୀଡିତାଙ୍କ ମୃତ୍ୟୁ ଘଟିଥାଏ କିମ୍ବା ସେ କୋମାରେ ପଡ଼ନ୍ତି ତେବେ ଏହି ବିଲରେ ମୃତ୍ୟୁଦଣ୍ଡ ଦିଆଯାଇଛି।

ପଶ୍ଚିମବଙ୍ଗ, ପ୍ରଥମ ରାଜ୍ଯ ଯିଏ କି ଦୁଷ୍କର୍ମ, ଗଣଦୁଷ୍କର୍ମ ଓ ଯୌନ ନିର୍ଯାତନା ସମ୍ପର୍କିତ କେନ୍ଦ୍ରୀୟ ଆଇନରେ ପରିବର୍ତ୍ତନ ଆଣିଛି। ମାନବିକତା ଓ ସାମାଜିକ ସଂସ୍କାର ବିରୋଧରେ ଦୁଷ୍କର୍ମ ଏକ ଅଭିଶାପ ବୋଲି କହିଛନ୍ତି ମମତା। ଏହି ବିଲ୍ ପାରିତ ହେବା ପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହାକୁ ଐତିହାସିକ ଏବଂ ମଡେଲ ବୋଲି କହିଛନ୍ତି। ସେ କହିଛନ୍ତି,ଟ୍ରେନି ଡାକ୍ତରଙ୍କ ପାଇଁ ଶ୍ରଦ୍ଧାଞ୍ଜଳି ସ୍ୱରୂପ।

ଏହି ନୂତନ ବିଲ୍ ଅନୁସାରେ ୨୧ ଦିନ ମଧ୍ୟରେ ନ୍ୟାୟ ନିଶ୍ଚିତ ମିଳିବ। ଯଦି ୨୧ ଦିନ ମଧ୍ୟରେ ନିଷ୍ପତ୍ତି ନିଆନଯାଏ ତେବେ ପୋଲିସ ଅଧିକାରୀଙ୍କ ଆଉ ୧୫ ଦିନ ଅଧିକ ଦିଆଯିବ।

ବିଧାନସଭାରେ ‘ଅପରାଜିତା’ ବିଲ୍ ପାରିତ ପରେ ରାଜ୍ୟପାଳ ସିଭି ଆନନ୍ଦ ବୋସ୍ ଏବଂ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପାଖକୁ ପଠାଯିବ। ଉଭୟଙ୍କ ଅନୁମୋଦନ ପରେ ବିଲ୍ ଆଇନରେ ପରିଣତ ହେବ।

ଅପରପକ୍ଷରେ ବିରୋଧୀ ଦଳ ବିଜେପି ମମତା ସରକାରଙ୍କ ଏହି ବିଲକୁ ସମର୍ଥନ କରିଛି। ବିଧାନସଭାରେ ବିରୋଧୀଦଳ ନେତା ସୁଭେନ୍ଦୁ ଅଧିକାରୀ କହିଛନ୍ତି ଯେ ଅପରାଜିତା ବିଲକୁ ବିଜେପି ସମ୍ପୂର୍ଣ୍ଣ ଭାବେ ସମର୍ଥନ କରୁଛି। ଆମେ ଚାହୁଁ ଏହି ଆଇନ ଶୀଘ୍ର କାର୍ଯ୍ୟକାରୀ ହେଉ। ଏହା ରାଜ୍ୟ ସରକାରର ଦାୟିତ୍ବ।

ଏହି ବିଲରେ କ’ଣ ରହିଛି ଦଣ୍ଡ ବିଧାନ? 

ଏହି ବିଲରେ ଅପରାଧୀଙ୍କ ବିରୋଧରେ ଚାର୍ଜସିଟ ଦାଖଲ କରିବାର ୩୬ ଦିନ ମଧ୍ୟରେ ମୃତ୍ୟୁଦଣ୍ଡର ବ୍ୟବସ୍ଥା ରହିଛି। ଅପରାଧୀଙ୍କୁ ସାହାଯ୍ୟ କରିଥିବା ବ୍ୟକ୍ତିଙ୍କୁ ଏହି ବିଲରେ ୫ବର୍ଷର ଜେଲ ଦଣ୍ଡ ମିଳିବ।

ପ୍ରତ୍ୟେକ ଜିଲ୍ଲାରେ ସ୍ପେଶାଲ ଅପରାଜିତା ଟାସ୍କ ଫୋର୍ସ ଗଠନ ପାଇଁ ଏହି ବିଲରେ ବ୍ୟବସ୍ଥା ରହିଛି। ଦୁଷ୍କର୍ମ, ଏସିଡ୍, ଆକ୍ରମଣ ଏବଂ ଅସଦାଚରଣ ଭଳି ମାମଲାରେ ଏହି ଟାସ୍କଫୋର୍ସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ।

ଯେଉଁମାନେ ମହିଳାଙ୍କ ଉପରେ ଏସିଡ୍ ଆକ୍ରମଣ କରୁଛନ୍ତି ସେମାନଙ୍କ ବିରୋଧରେ ଏପରି ଦଣ୍ଡର ବ୍ୟବସ୍ଥା କରାଯାଇଛି ଯାହା ଫଳରେ ସେମାନେ ଏପରି ଅପରାଧ କରିବା ପୂର୍ବରୁ ୧୦ଥର ଭାବିବେ। ଏଥିପାଇଁ ଏହି ବିଲରେ ଆଜୀବନ କାରାଦଣ୍ଡର ବ୍ୟବସ୍ଥା ରହିଛି।

ଏହି ବିଲ୍ ଅନୁଯାୟୀ, ଯଦି କେହି ଦୁଷ୍କର୍ମ ପୀଡିତାଙ୍କ ପରିଚୟ ପ୍ରକାଶ କରୁଛନ୍ତି ତେବେ ସେମାନଙ୍କ ବିରୋଧରେ ୩ରୁ ୫ବର୍ଷ ପର୍ଯ୍ୟନ୍ତ ଦଣ୍ଡର ବ୍ୟବସ୍ଥା ରହିଛି।

ସୂଚନାଯୋଗ୍ୟ, ଗତ ମାସରେ ଆରଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଜଣେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ପରେ ଏହି ସ୍ୱତନ୍ତ୍ର ଅଧିବେଶନ ଡକାଯାଇଥିଲା।

Comments are closed.