Latest Odisha News

BREAKING NEWS

ବିଜେଡିର ମିଶ୍ରଣ ପର୍ବ, ପଶ୍ଚିମ ଓଡ଼ିଶାର ବରିଷ୍ଠ ବିଜେପି ନେତା ଓ ସଂଗଠକ ଜଗଦୀଶ ବିଶ୍ୱାଳ ବିଜେଡିରେ ସାମିଲ

ଭୁବନେଶ୍ୱର: ପଶ୍ଚିମ ଓଡ଼ିଶାର ବରିଷ୍ଠ ବିଜେପି ନେତା ଓ ଶ୍ରମିକ ସଂଗଠକ ଜଗଦୀଶ ବିଶ୍ୱାଳ ବିଜେଡିରେ ସାମିଲ ହୋଇଛନ୍ତି। ସୋମବାର ଶଙ୍ଖ ଭବନଠାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ରାଜ୍ୟସଭା ସାଂସଦ ତଥା ବିଜେଡିର ସାଧାରଣ ସଂପାଦକ ମାନସ ରଞ୍ଜନ ମଙ୍ଗରାଜଙ୍କ ଉପସ୍ଥିତିରେ ଜଗଦୀଶ ବିଶ୍ୱାଳ ବିଜୁ ଜନତା ଦଳରେ ବିଧିବଦ୍ଧ ଭାବେ ସାମିଲ୍ ହୋଇଛନ୍ତି।

ଏହି ଅବସରରେ ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶମୂଳକ କାର୍ଯ୍ୟ ଆଗେଇ ନେବା ତଥା ବିଶ୍ୱାଳଙ୍କ ଯୋଗଦାନ ଫଳରେ ପଶ୍ଚିମ ଓଡ଼ିଶାରେ ଦଳୀୟ ସଂଗଠନ ମଜଭୁତ ହେବ ବୋଲି ସାଂସଦ ମଙ୍ଗରାଜ ଆଶା ପ୍ରକାଶ କରିଥିଲେ। ଜଗଦୀଶ ବିଶ୍ୱାଳ ନିଜ ପ୍ରତିକ୍ରିୟାରେ ମୁଖ୍ୟମନ୍ତ୍ରୀଙ୍କର ବିକାଶମୂଳକ କାର୍ଯ୍ୟ ତଥା ଜନକଲ୍ୟାଣ ଯୋଜନାରେ ଉଦବୁଦ୍ଧ ହୋଇ ସେ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି ବୋଲି କହିଥିଲେ । ମହିଳା ସଶକ୍ତିକରଣ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, ବିଜୁ ଏକ୍ସପ୍ରେସ୍ ୱେ, ୫-ଟି ସ୍କୁଲ ରୂପାନ୍ତରଣ, କ୍ରୀଡ଼ା ଓ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ମୁଖ୍ୟମନ୍ତ୍ରୀଙ୍କ ଲାଗି ଓଡ଼ିଶା ଆଜି ସାରା ବିଶ୍ୱରେ ଏକ ନୂଆ ପରିଚୟ ସୃଷ୍ଟି କରିପାରିଛି ମତପ୍ରକାଶ କରିଥିଲେ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଜଗଦୀଶ ବିଶ୍ୱାଳ, ରାଷ୍ଟ୍ରୀୟ କୁଲ୍‌ଟା ସମାଜର ଜାତୀୟ ସାଧାରଣ ସମ୍ପାଦକ, ଭାରତୀୟ ମଜଦୁର ସଂଘର ପଶ୍ଚିମ ଓଡ଼ିଶା ଆବାହକ, ଇଷ୍ଟ୍ କୋଷ୍ଟ ରେଲ୍‌ୱେ ଠିକା ମଜଦୁର ସଂଘର କ୍ଷେତ୍ରୀୟ ସଭାପତି ଭଳି ଅନେକ ସଂଗଠନ ସହ ସମ୍ପୃକ୍ତ ଅଛନ୍ତି । ଏହି ମିଶ୍ରଣ ପର୍ବରେ ଦଳର ମୁଖପାତ୍ର ଡ. ପ୍ରିୟବ୍ରତ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ ଓ ପଶ୍ଚିମ ଓଡ଼ିଶାର ବରିଷ୍ଠ ନେତା ଶ୍ରୀ ମୌସମ୍ ମିଶ୍ର ଉପସ୍ଥିତ ଥିଲେ ।

Leave A Reply

Your email address will not be published.