Latest Odisha News

BREAKING NEWS

ଦାବି ଶୁଣିଲା ଶ୍ରୀମନ୍ଦିର ମନ୍ଦିର ପ୍ରଶାସନ, ସୋମବାରଠୁ ‘ପଶ୍ଚିମ ଦ୍ବାର’ ଖୋଲିବା ନେଇ ଘୋଷଣା

ପୁରୀ: ଦାବି ଶୁଣିଲା ଶ୍ରୀମନ୍ଦିର ପ୍ରଶାସନ। ଆସନ୍ତାକାଲିଠୁ ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର ଆଉ ଗୋଟିଏ ଦ୍ୱାର ସ୍ଥାନୀୟ ଭକ୍ତଙ୍କ ପ୍ରବେଶ ପାଇଁ ଖୋଲିବାକୁ ଘୋଷଣା କରିଛି ଶ୍ରୀମନ୍ଦିର ପ୍ରଶାସନ।

ରବିବାର ପୁରୀ ଉପଜିଲ୍ଲାପାଳ ଭବତାରଣ ସାହୁ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ଭକ୍ତଙ୍କ ଦାବିକୁ ଦୃଷ୍ଟିରେ ରଖି ସହରବାସୀଙ୍କୁ ପଶ୍ଚିମ ଦ୍ୱାର ଦେଇ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିବାକୁ ନିଷ୍ପତ୍ତି ନିଆଯାଇଛି। ଶ୍ରୀମନ୍ଦିର ଭିତରକୁ ଯିବା ପାଇଁ ସେମାନଙ୍କୁ ଗେଟ୍ ପାଖରେ ପରିଚୟପତ୍ର ଦେବାକୁ ପଡ଼ିବ ବୋଲି ସେ କହିଛନ୍ତି।

ଆଜି ଏହାକୁ ନେଇ ବିଶିଷ୍ଟ ବାଲୁକା ଶିଳ୍ପୀ ତଥା ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି ସଦସ୍ୟ ପଦ୍ନଶ୍ରୀ ସୁଦର୍ଶନ ପଟ୍ଟନାୟକ ଶ୍ରୀମନ୍ଦିରର ଅନ୍ୟୁନ ଗୋଟିଏ ଦ୍ୱାର ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ଖୋଲିବାକୁ ଦାବି ଦୋହରାଇଥିଲେ। ଏପରିକି ଦାବି ପୂରଣ ନହେଲେ ସୋମବାରଠାରୁ ଶ୍ରୀମନ୍ଦିରର ‘ପଶ୍ଚିମଦ୍ୱାର’ ଆଗରେ ଧାରଣା ଦିଆଯିବ ବୋଲି ଚେତାବନୀ ଦେଇଛନ୍ତି।

ସୂଚନାଯୋଗ୍ୟ, କରୋନା ମହାମାରୀ ସମୟରେ ଶ୍ରୀମନ୍ଦିରର ମୋଟ୍ ୪ଟି ଦ୍ୱାର ମଧ୍ୟରୁ ୩ଟି ବନ୍ଦ କରିଦେଇଛି ମନ୍ଦିର ପ୍ରଶାସନ। ଏବେ ମହାମାରୀ କମିଥିଲେ ମଧ୍ୟ ଆଜି ଯାଏଁ କଟକଣା ବଳବତ୍ତର ରହିଛି। ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି। ସେମାନଙ୍କର ଦାବି ହେଲା ଅଭଡା ପାଇଁ ଆସି ଜଣେ ଘଣ୍ଟା ଘଣ୍ଚା ଲମ୍ବା ଧାଡିରେ ଛିଡା ହେବା ଅପେକ୍ଷା କୌଣସି ଦ୍ବାର ଦେଇ ପ୍ରବେଶ ଅନୁମତି ଦେଇ ଭିଡ କମାଇବା ଆବଶ୍ୟକ। ସେହିପରି କାଳିଆ ଦର୍ଶନ ପାଇଁ ସ୍ଥାନୀୟ ଲୋକ କହି ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ଅସନ୍ତୋଷ ପ୍ରକାଶ କରିଛନ୍ତି।

ଭକ୍ତମାନେ କେବଳ ସିଂହଦ୍ୱାର ଦେଇ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରୁଥିବାରୁ ପ୍ରବଳ ଭିଡ଼ ଓ ଲମ୍ବା ଧାଡ଼ି ଲାଗିଥାଏ। ସେହିପରି ପର୍ବପର୍ବାଣୀ ଦିନ ଭକ୍ତଙ୍କ ଗହଳି ଯୋଗୁ ପ୍ରବଳ ଭିଡ ପରିସ୍ଥିତି ଉପୁଜିଥାଏ।

Comments are closed.