Latest Odisha News

ଲୋନ୍ ନେଇଛନ୍ତି କି? ଭଲ କରନ୍ତୁ କ୍ରେଡିଟ ସ୍କୋର

ନୂଆଦିଲ୍ଲୀ: ଆଜିକାଲି ସବୁ ଆୟ ବର୍ଗର ଲୋକ କୌଣସି ନା କୌଣସି କାମ ପାଇଁ ଋଣ ଆବଶ୍ୟକ କରନ୍ତି । ସମସ୍ତେ କିଛି ନା କିଛି ଋଣ କରିଥାଆନ୍ତି । ପିଲାଙ୍କ ପଢାପଢି ଖର୍ଚ୍ଚ , ଘର ନିର୍ମାଣ, କାର କିଣା, ନୂଆ ବ୍ୟବସାୟ ବା ଅନ୍ୟ କିଛି କରିବା ପାଇଁ ଦରକାର ପଡିଥାଏ ମୋଟା ପରିମାଣର ପୁଂଜି । ଏହି ପୁଂଜି କିଛି ସର୍ତ୍ତ ସହ ଋଣ ଜରିଆରେ ଉପଲବ୍ଧ ହୋଇଯାଏ । ଏମିତି ତ ସମସ୍ତଙ୍କୁ ଋଣ ମିଳିଥାଏ । କିନ୍ତୁ ଯେଉଁମାନଙ୍କର କ୍ରେଡିଟ୍ ସ୍କୋର ଭଲ ଥାଏ, ସେମାନଙ୍କୁ ଋଣ ମିଳିବା ସହଜ ହୋଇଥାଏ । ସରଳ ଭାଷାରେ କହିବାକୁ ଗଲେ, ବ୍ୟାଙ୍କ ଓ ଆର୍ଥିକ କମ୍ପାନିମାନଙ୍କ ଦୃଷ୍ଟିରେ ଯେଉଁମାନେ ଋଣ ନେଇ ଠିକ୍ ସମୟରେ ପରିଶୋଧ କରି ଦିଅନ୍ତି, ଠିକ ସମୟରେ କିସ୍ତି ଶୁଝାନ୍ତି, ସେମାନେ ଭଲ ଋଣ ଗ୍ରହୀତା ଭାବେ ବିବେଚିଚ ହୁଅନ୍ତି । ତେଣୁ ଏଭଳି ଋଣ ଗ୍ରହୀତାଙ୍କୁ ସହଜରେ ଋଣ ମିଳିଥାଏ । ଏଭଳି ସଚ୍ଚୋଟ ଋଣ ଗ୍ରହୀତାଙ୍କ ‘କ୍ରେଡିଟ୍ ସ୍କୋର’ ସବୁବେଳେ ଭଲ ରହିଥାଏ । ଏଭଳି ଋଣ ଗ୍ରହୀତାଙ୍କୁ ବ୍ୟାଙ୍କ ଓ ଆର୍ଥିକ ସଂସ୍ଥାଗୁିଡକ ଋଣ ନେବା ପାଇଁ ନିଜ ଆଡୁ ପ୍ରସ୍ତାବ ଦିଅନ୍ତି ।

ତେବେ କ’ଣ ଏହି କ୍ରେଡିଟ୍ ସ୍କୋର ? କ୍ରେଡିଟ ସ୍କୋର ହେଉଛି ଏକ ତିନି ଅଙ୍କ ବିଶିଷ୍ଟ ସଂଖ୍ୟା । ଏହି ତିନି ଅଙ୍କ ବିଶିଷ୍ଟ ସଂଖ୍ୟା ଦ୍ୱାରା ହିଁ ସ୍ଥିର କରାଯାଏ ଯେ, ଆପଣଙ୍କବ କ୍ରେଡିଟ କାର୍ଡ ବା ଅନ୍ୟ ପ୍ରକାର ଋଣ ମିଳିବ ନା ମିଳିବ ନାହିଁ । ଯଦି ମିଳିବ, ତାହାହେଲେ କେତେ ସୁଧହାରରେ ମିଳିବ ? ଯଦି ଆପଣଙ୍କ କ୍ରେଡିଟ ସ୍କୋର କମ୍ ବା ସରଳ ଭାଷାରେ ଖରାପ, ତାହା ହେଲେ ଆପଣଙ୍କୁ ତୁରନ୍ତ ଋଣ ମିଳିବ ନାହିଁ । ମିଳିବାରେ ବହୁତ ଅସୁବିଧା ହେବ । ଆଉ ଯଦି ମିଳେ , ତାହା ହେଲେ ଅନ୍ୟମାନଙ୍କୁ ତୁଳନାରେ ଆପଣଙ୍କଠାରୁ ଅଧିକ ସୁଧ ନିଆଯିବ । ତେଣୁ ଯଦି ଆପଣ ପ୍ରଥମ ଥର ପାଇଁ କୌଣସି ବ୍ୟାଙ୍କ ବା ଆର୍ଥିକ ସଂସ୍ଥାରୁ ଋଣ ନିଅନ୍ତି, ତାହା ହେଲେ ନିଜର କ୍ରେଡିଟ କାର୍ଡ ସ୍କୋର ପ୍ରଥମରୁ ହିଁ ଭଲ କରିବାକୁ ଚେଷ୍ଟା କରନ୍ତୁ । ଏପରି କଲେ ହିଁ ଆପଣ ଯଦି ଆଉ କେବେ ଋଣ ନେବେ,ତାହା ସହଜରେ ଉପଲବ୍ଧ ହେବ ।

ଭାରତରେ ଚାରିଟି କ୍ରେଡିଟ ବ୍ୟୁରୋ ମିଶି ପ୍ରସ୍ତୁତ କରିଥାଆନ୍ତି ଋଣ ଗ୍ରହୀତାଙ୍କ କ୍ରେଡିଟ ସ୍କୋର୍ । ସେସବୁ ବ୍ୟୁରୋ ହେଲେ – ଇକ୍ୱିଫାକ୍ସ, ଏକ୍ସପେରିଆନ, ଟ୍ରାନ୍‌ସୟୁନିଅନ ସିଆଇବିଆଇଏଲ ଓ ସିଆରଆଇଏଫ୍ ହାଇମାର୍କ କୌଣସି ବ୍ୟକ୍ତିଙ୍କ ଋଣ ଉପଯୋଗିତା, ପରିଶୋଧ,ଋଣ ନେବାର ପ୍ୟାଟର୍ଣ୍ଣ ଓ ପୂର୍ବ ଋଣର ଇତିହାସକୁ ଅଧ୍ୟୟନ କରି କ୍ରେଡିଟ ସ୍କୋର ନିର୍ଦ୍ଧାରଣ କରନ୍ତି ।

ଭଲ କ୍ରେଡିଟ ସ୍କୋରର ଫାଇଦା ରହିଛି । ଯେଉଁ ଋଣ ଗ୍ରହୀତାଙ୍କ ଭଲ କ୍ରେଡିଟ୍ ସ୍କୋର, ସେମାନଙ୍କୁ ବ୍ୟାଙ୍କ ଓ ଆର୍ଥିକ କମ୍ପାନିଗୁଡିକ ଅନ୍ୟମାନଙ୍କ ତୁଳନାରେ ସହଜରେ ଓ ଅପେକ୍ଷାକୃତ କମ୍ ସୁଧରେ ଋଣ ଉପଲବ୍ଧ କରାନ୍ତି । ଭଲ କ୍ରେଡିଟ ସ୍କୋର ଥିବା ଋଣ ଗ୍ରହୀତା ସଚ୍ଚୋଟ ବିବେଚିତ ହୁଅନ୍ତି । ଭଲ କ୍ରେଡିଟ୍ ସ୍କୋର ହିଁ ସେମାନଙ୍କ ସଚ୍ଚୋଟାତର ପ୍ରମାଣ ।

ଭଲ କ୍ରେଡିଟ ସ୍କୋର କ’ଣ ? ୩ ଶହରୁ ୯ ଶହ ମଧ୍ୟରେ ଯଦି ଆପଣଙ୍କ କ୍ରେଡିଟ ସ୍କୋର ୭ ଶହ ରହେ,ତାହା ହେଲେ ଏହା ଭଲ କ୍ରେଡିଟ ସ୍କୋର ସାବ୍ୟସ୍ତ ହୁଏ । ୮ ଶହରୁ ଅଧିକ କ୍ରେଡିଟ ସ୍କୋର ସବୁଠୁ ଭଲ ବୋଲି ଧରାଯାଏ । ଆପଣଙ୍କ କ୍ରେଡିଟ ସ୍କୋର ଯେତେ ଅଧିକ ହେବ, ଆପଣଙ୍କୁ ବହୁତ କମ୍ ସୁଧ ହାରରେ ବ୍ୟାଙ୍କମାନେ ଋଣ ଦେବେ ଓ ସହଜରେ ଦେବେ । ଆଉ ସ୍କୋର ଯେତେ କମ୍ ହେବ,ଆପଣଙ୍କୁ ଋଣ ମିଳିବା ସମ୍ଭାବନା ବହୁତ କମ୍ । ଯଦି ମିଳେ,ତାହା ହେଲେ ସୁଧହାର ଅଧିକ ରହିବ । ଯଦି ଆପଣଙ୍କ କ୍ରେଡିଟ୍ ସ୍କୋର ୭୬୦ରୁ ୮୫୦ ମଧ୍ୟରେ ରହୁଛି,ତାହା ହେଲେ ଆପଣ ଉଚ୍ଚତମ ଶ୍ରେଣୀର ସଚ୍ଚୋଟ ଋଣଗ୍ରହୀତା । ସ୍କୋର ଯଦି ୩ ଶହରୁ ୫ ଶହ ମଧ୍ୟରେ ରହେ, ତାହା ହେଲେ ଆପଣଙ୍କୁ ଋଣ ମିଳିବା କଷ୍ଟ ହେବ । ଆଉ ଯଦି ମିଳେ, ତାହା ହେଲେ ଖୁବ୍ ମହଙ୍ଗା ହେବ ।

କେମିତି ଭଲ କରିବେ କ୍ରେଡିଟ୍ ସ୍କୋର । ଏଥିପାଇଁ ଆପଣ କ୍ରେଡିଟ କାର୍ଡ ବିଲ୍ ଯଥା ସମୟରେ ପୈଠ କରନ୍ତୁ । ଯଦି ଋଣର ମାସିକିଆ କିସ୍ତି ଚାଲୁଛି , ତେବେ ତାହା ନିୟମିତ ଭାବେ ପରିଶୋଧ କରିବାରେ ଆଦୌ ଅବହେଳା କରନ୍ତୁ ନାହିଁ । ଯଦି ଆପଣ ଠିକ୍ ସମୟରେ କିସ୍ତି ପରିଶୋଧ କରିପାରୁନାହାନ୍ତି, ତାହା ହେଲେ କ୍ରେଡିଟ୍ ରେଟିଂ ଏଜେନସୀ ଆପଣଙ୍କ ସ୍କୋର କମ୍ କରିଦେବେ ଓ ଭବିଷ୍ୟତରେ ଆପଣଙ୍କୁ ଋଣ ନେବାରେ ସମସ୍ୟା ହେବ । ଆପଣ ଯେତେବେଳେ କ୍ରେଡିଟ କାର୍ଡ ବା ଋଣ ପାଇଁ ଆବେଦନ କରନ୍ତି,ସେତେବେଳେ ଆପଣଙ୍କ ବାବଦରେ ବ୍ୟାଙ୍କ ବା ଆର୍ଥିକ ସଂସ୍ଥାଗୁଡିକ କ୍ରେଡିଟ୍ ବ୍ୟୁରୋଠୁ ସୂଚନା ମାଗନ୍ତି । କ୍ରେଡିଟ ବ୍ୟୁରୋର ସୂଚନା ଅନୁସାରେ ଆପଣଙ୍କୁ ଋଣ ଦେବା ବା ନ ଦେବା ସଂପର୍କରେ ନିଷ୍ପତ୍ତି  ନିଆଯାଏ । କ୍ରେଡିଟ ସ୍କୋର ଭଲ କରିବାକୁ ହେଲେ ଋଣ ସଂପର୍କିତ ଆବେଦନ ବାରମ୍ବାର କରନ୍ତୁ ନାହି ଁ । ଯଦି କ୍ରେଡିଟ କାର୍ଡ ବ୍ୟବହାର କରୁଛନ୍ତି,ତାହା ହେଲେ ଏହାର ସଠିକ ଉପଯୋଗ କରନ୍ତୁ । ଯଦି ଆପଣ ନେଇଥିବା ଋଣ ପରିଶୋଧ କରିବାରେ ଅସମର୍ଥ ହେଉଛନ୍ତି , ତାହା ହେଲେ ସେଟଲମେଂଟ ରାସ୍ତା ଆପଣାନ୍ତୁ ନାହିଁ । ସେଟଲମେଂଟ କଲେ ତତ୍କାଳ ଆର୍ଥିକ ବୋଝ ତ ଲାଘବ ହେବ, କିନ୍ତୁ ଏହା ଏହା ଦ୍ୱାରା କ୍ରେଡିଟ ସ୍କୋର ଦୀର୍ଘ ଦିନ ଧରି ପ୍ରଭାବିତ ହେବ । ଯଦି ଆପଣ ଲୋନ୍ ସେଟଲମେଂଟ କରିଛନ୍ତି,ତାହା ହେଲେ ଭବିଷ୍ୟତରେ କୌଣସି ପ୍ରକାର ଋଣ ନେବାକୁ ହେଲେ ଆପଣଙ୍କୁ ବହୁତ ଅସୁବିଧା ହେବ ।

ବେଳେ ବେଳେ ଏମିତି ବି ହୁଏ ଯେ,ବ୍ୟାଙ୍କ ଓ ଅନ୍ୟ ଆର୍ଥିକ ସଂସ୍ଥା କ୍ରେଡିଟ୍ ବ୍ୟୁରୋକୁ ସୂଚନା ଦିଅନ୍ତି ନାହିଁ ବା ଭୁଲ୍ ସୂଚନା ଦିଅନ୍ତି । ଏଥିପାଇଁ ମଧ୍ୟ କ୍ରେଡିଟ ସ୍କୋର ପ୍ରଭାବିତ ହୁଏ । ଏଭଳି ସ୍ଥିତିରୁ ବର୍ତ୍ତିବା ପାଇଁ ଆପଣ ନିୟମିତ ବ୍ୟବଧାନରେ ନିଜର କ୍ରେଡିଟ ସ୍କୋର ଉପରେ ନଜର ରଖନ୍ତୁ । ଯଦି ଏଥିରେ କୌଣସି ଅନିୟମିତତା ଅନୁଭବ କଲେ,ତୁରନ୍ତ ଆପଣ କ୍ରେଡିଟ ବ୍ୟୁରୋକୁ ଚିଠି ଲେଖି ସ୍ପଷ୍ଟୀକରଣ ମାଗନ୍ତୁ ।

Leave A Reply

Your email address will not be published.