ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ଡ ମନମୋହନ ସିଂହଙ୍କ ପରଲୋକରେ ୭ ଦିନ ରାଷ୍ଟ୍ରୀୟ ଶୋକ ଘୋଷଣା କରାଯାଇଛି। ୯୨ ବର୍ଷ ବୟସରେ ଗୁରୁବାର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ପରଲୋକ ହୋଇଛି। ତାଙ୍କ ଦେହାନ୍ତରେ ସାରା ଦେଶରେ ଶୋକର ଲହରୀ ଖେଳିଯାଇଛି। ଏହି ଦୁଃଖଦ ଘଟଣାରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିମାନେ ଶୋକ ପ୍ରକାଶ କରିଛନ୍ତି। ତେବେ ଆସନ୍ତୁ ଜାଣିବା କ’ଣ ଏହି ରାଷ୍ଟ୍ରୀୟ ଶୋକ ? ରାଷ୍ଟ୍ରୀୟ ଶୋକ ପାଳନ ପଛରେ କଣ ରହିଛି ନିୟମ ?
ଦେଶର ବରିଷ୍ଠ ନେତା, କଳାକାର କିମ୍ବା ମହାନ ବ୍ୟକ୍ତିତ୍ୱଙ୍କ ଦେହାନ୍ତରେ ସମ୍ମାନ ପୂର୍ବକ ସାରା ଦେଶରେ ଶୋକ ପାଳନ କରାଯାଏ। କିନ୍ତୁ କେନ୍ଦ୍ର ସରକାରଙ୍କ ଦ୍ବାରା ଘୋଷିତ ଶୋକକୁ ରାଷ୍ଟ୍ରୀୟ ଶୋକ କୁହାଯାଏ।
ରାଷ୍ଟ୍ରୀୟ ଶୋକରେ କାହିଁକି ହୁଏ ଛୁଟି ଘୋଷଣା
ରାଷ୍ଟ୍ରୀୟ ମର୍ଯ୍ୟାଦାରେ ଅନ୍ତିମ ସଂସ୍କାର ସମୟରେ କୌଣସି ଛୁଟି ଆବଶ୍ୟକ ନଥିବା, କେନ୍ଦ୍ର ସରକାରଙ୍କ ୧୯୯୭ ଶାସନାଦେଶରେ ଦର୍ଶାଯାଇଛି। ଏହାର ଅର୍ଥ ଶୋକ ସମୟରେ ବାଧ୍ୟତାମୂଳକ ସାର୍ବଜନୀନ ଛୁଟି ରଦ୍ଦ କରାଯାଇଛି। ତେବେ ଦେଶର ରାଷ୍ଟ୍ରପତି କିମ୍ବା ପ୍ରଧାନମନ୍ତ୍ରୀ ପଦରେ ଥିବା ବ୍ୟକ୍ତିତ୍ୱଙ୍କ ପରଲୋକ ହେଲେ ଛୁଟି ଘୋଷଣା କରାଯାଇଥାଏ।
ଅର୍ଦ୍ଧନମିତ ହୁଏ ତ୍ରିରଙ୍ଗା
ଫ୍ଲାଗ କୋଡ ଅଫ ଇଣ୍ଡିଆ ନିୟମ ଅନୁସାରେ ରାଷ୍ଟ୍ରୀୟ ଶୋକ ସମୟରେ ପ୍ରତ୍ୟକ ସ୍ଥାନରେ ଲାଗିଥିବା ଜାତୀୟ ପତାକାକୁ ଅର୍ଦ୍ଧନମିତ କରାଯାଏ। ଏପରିକି ବାହାର ଦେଶମାନଙ୍କରେ ଥିବା ଭାରତୀୟ ଦୂତାବାଶରେ ଲାଗିଥିବା ତ୍ରିରଙ୍ଗା ପତାକାକୁ ମଧ୍ୟ ଅର୍ଦ୍ଧନମିତ କରାଯାଏ। ଏହା ବ୍ୟତୀତ ସାରା ଦେଶରେ ସମସ୍ତ ସରକାରୀ କାର୍ଯ୍ୟକ୍ରମକୁ ରଦ୍ଦ କରାଯାଇଥାଏ।
ତ୍ରିରଙ୍ଗାରେ ଆବୃତ୍ତ ହୋଇ ରହିଥାଏ କଫିନ
ରାଷ୍ଟ୍ରୀୟ ସମ୍ମାନ ସହିତ ମୃତ ଶରୀରକୁ ରଖାଯାଇଥିବା କଫିନକୁ ତ୍ରିରଙ୍ଗାରେ ଆବୃତ୍ତ କରାଯାଇଥାଏ।ପୂର୍ବରୁ କେବଳ କେନ୍ଦ୍ର ସରକାରଙ୍କ ପରାମର୍ଶ କ୍ରମେ ରାଷ୍ଟ୍ରପତିଙ୍କ ଦ୍ୱାରା ଏହି ଶୋକ ଘୋଷଣା କରାଯାଉଥିଲା। ଏହି କାରଣରୁ ମଧ୍ୟ ଏହାକୁ ରାଷ୍ଟ୍ରୀୟ ଶୋକ ଭାବରେ ଜଣାଯାଏ। ତେବେ ନିୟମ ପରିବର୍ତ୍ତନ ପରେ ରାଜ୍ୟମାନଙ୍କୁ ମଧ୍ୟ ଏହି ସମ୍ମାନ ଘୋଷଣା କରିବାର ଅଧିକାର ଦିଆଯାଇଛି। ଏଭଳି ପରିସ୍ଥିତିରେ ଅନେକ ଥର ରାଜ୍ୟ ଏବଂ କେନ୍ଦ୍ର ସରକାର ପୃଥକ ଭାବରେ ଶୋକ ଘୋଷଣା କରିଛନ୍ତି।
ଏତିକି ଦିନ ପାଳିତ ହୁଏ ରାଷ୍ଟ୍ରୀୟ ଶୋକ
ସରକାରୀ ନିୟମ ଅନୁସାରେ ବର୍ତ୍ତମାନ ଓ ପୂର୍ବତନ ରାଷ୍ଟ୍ରପତି କିମ୍ବା ପ୍ରଧାନମନ୍ତ୍ରୀଙ୍କ ମୃତ୍ୟୁରେ ସାତ ଦିନର ଜାତୀୟ ଶୋକ ଘୋଷଣା କରାଯାଇଥାଏ । ସ୍ୱାଧୀନତା ପରେ ପ୍ରଥମେ ଜାତୀୟ ପିତା ମହାତ୍ମା ଗାନ୍ଧୀଙ୍କ ଦେହନ୍ତାରେ ରାଷ୍ଟ୍ରୀୟ ଶୋକ ପାଳନ କରାଯାଇଥିଲା। ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ, ମୋରାରର୍ଜୀ ଦେଶାଇ, ଚନ୍ଦ୍ରଶେଖର ଏବଂ ଅଟଳ ବିହାରୀ ବାଜପେୟୀଙ୍କ ଦେହାନ୍ତରେ ସାତ ଦିନ ରାଷ୍ଟ୍ରୀୟ ଶୋକ ପାଳିତ ହୋଇଥିଲା। ଏହା ସହ ନିଜ ପଦବୀରେ ଥିବା ସମୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହର ଲାଲ ନେହେରୁ, ଲାଲ ବାହାଦୂର ଶାସ୍ତ୍ରୀ ଏବଂ ଇନ୍ଦିରା ଗାନ୍ଧୀଙ୍କ ଦେହାନ୍ତରେ ମଧ୍ୟ ରାଷ୍ଟ୍ରୀୟ ଶୋକ ଘୋଷଣା କରାଯାଇଥିଲା।
ବ୍ୟୁରୋ ରିପୋର୍ଟ ଓଡ଼ିଶା ସମ୍ବାଦ