Latest Odisha News

ନୂଆ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ପାଇଁ କ’ଣ ରହିଛି ଆହ୍ୱାନ?

ଭୁବନେଶ୍ୱର: ବରିଷ୍ଠ ଆଇଏଏସ୍ ଅଫିସର ମନୋଜ ଆହୁଜା ଜୁଲାଇ ପହିଲାରୁ ଓଡ଼ିଶାର ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ନେବାକୁ ଯାଉଛନ୍ତି। ଏହାରି ଭିତରେ ତାଙ୍କୁ ଅନେକ ଆହ୍ୱାନର ସମ୍ମୁଖୀନ ହେବାକୁ ପଡ଼ିିବ। ବିଶେଷକରି ରାଜ୍ୟରେ ପ୍ରଥମ ଥର ପାଇଁ ବିଜେପି କ୍ଷମତାକୁ ଆସିଛି। ଆହୁଜାଙ୍କୁ କେଉଁ ସବୁ ଆହ୍ୱାନର ସମ୍ମୁଖୀନ ହେବାକୁ ପଡ଼ିବ?

ଅମଲାତନ୍ତ୍ରର ଭାବମୂର୍ତ୍ତି: ଆହୁଜାଙ୍କୁ ରାଜ୍ୟ ଅମଲାତନ୍ତ୍ରର ଭାବମୂର୍ତ୍ତିକୁ ସଜାଡିବା ପାଇଁ ପରିବର୍ତ୍ତନ ଆଣିବାକୁ ପଡ଼ିବ। ଯାହାକୁ ସାମ୍ପ୍ରତିକ ବର୍ଷଗୁଡ଼ିକରେ ‘ପକ୍ଷପାତି’ ବୋଲି ଆଖ୍ୟା ଦିଆଯାଇଛି। ବିଶେଷକରି କିଛି ଅଧିକାରୀ ରାଜନୀତି ସହ ଜଡ଼ିତ ଥିବାରୁ, ଏକ ସ୍ୱଚ୍ଛ, ଏବଂ ଉତ୍ତରଦାୟୀ ବାବୁ ବୋଲି ସୁନିଶ୍ଚିତ କରିବା ଏକ ବଡ଼ କାମ। ପ୍ରଶାସନ ଉପରେ ଜନସାଧାରଣ ଓ ରାଜନୈତିକ ବର୍ଗର ବିଶ୍ୱାସ ଫେରାଇ ଆଣିବା ପାଇଁ ଆହୁଜାଙ୍କୁ ତାଙ୍କର ସମସ୍ତ ଦକ୍ଷତା, ଜ୍ଞାନ ଓ ଅଭିଜ୍ଞତାକୁ ପ୍ରୟୋଗ କରିବାକୁ ପଡ଼ିବ।

ନିର୍ବାଚନ ସମୟରେ ବିଜେପି ଦେଇଥିବା ପ୍ରତିଶ୍ରୁତି ପୂରଣ: ଦୁର୍ନୀତି ଦୂର କରିବା ଠାରୁ ଆରମ୍ଭ କରି ଭୁଲ୍ କରୁଥିବା ପ୍ରଶାସନିକ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଠାରୁ ଆରମ୍ଭ କରି ନୂଆ ଯୋଜନା ପ୍ରଣୟନ ଓ ଜଗନ୍ନାଥ ମନ୍ଦିର ସମ୍ବନ୍ଧୀୟ ସମସ୍ୟାର ସମାଧାନ ଭଳି ଅନେକ ପ୍ରତିଶ୍ରୁତି ଦେଇଛି ବିଜେପି । ଏହା ସୁନିଶ୍ଚିତ କରିବା ଅପେକ୍ଷା କହିବା ସହଜ ବୋଲି କୁହାଯାଏ। ହେଲେ ତରବରିଆ ଭାବେ ଭୁଲ୍ ପଦକ୍ଷେପ ମୋହନ ମାଝୀ ସରକାରଙ୍କ ଉପରେ ଖରାପ ପ୍ରଭାବ ପକାଇପାରେ। ତେଣୁ ଆହୁଜାଙ୍କୁ ଏହି ଦାୟିତ୍ୱକୁ ସଠିକ୍ ଭାବେ ତୁଲାଇବାକୁ ପଡ଼ିବ।

କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ସମନ୍ୱୟ: ଭୁବନେଶ୍ୱର ଓ ନୂଆଦିଲ୍ଲୀର ଉଭୟ ଶୀର୍ଷ କାର୍ଯ୍ୟାଳୟରେ ସୁସମ୍ପର୍କ ରଖିବା ପାଇଁ କୌଶଳ ଓ ପରିପକ୍ୱତାର ଆବଶ୍ୟକତା ରହିଛି। ଉଭୟ ସ୍ଥାନରେ ବିଜେପି କ୍ଷମତାରେ ଥିବାରୁ କେବେ କେବେ ସହଜ ହୋଇପାରେ ଅନେକ ସମୟରେ ଅଡୁଆ ସୃଷ୍ଟି ହୋଇପାରେ। କାରଣ ଏକାଧିକ କ୍ଷମତାକେନ୍ଦ୍ର ଯୋଗୁଁ କଷ୍ଟକର ହୋଇପାରେ। ଆହୁଜାଙ୍କୁ ଦିଲ୍ଲୀ ଦରବାରର ଆଶା ପୂରଣ କରିବା ସଙ୍ଗେସଙ୍ଗେ ମୋହନ ମାଝୀ ସରକାରକୁ ଟ୍ରାକରେ ରଖିବାକୁ ପଡ଼ିବ।

ବିଜେଡି ଶାସନର ବିବାଦୀୟ ନିଷ୍ପତ୍ତି/ଯୋଜନାର ସମୀକ୍ଷା: ଦୀର୍ଘ ୨୪ ବର୍ଷ ଧରି ରାଜ୍ୟରେ ଶାସନ କରିଥିଲେ ନବୀନ ପଟ୍ଟନାୟକ ସରକାର । ଯେଉଁ ନିଷ୍ପତ୍ତି ନିଆଯାଇଥିଲା ବା କାର୍ଯ୍ୟକାରୀ ହୋଇଥିବା ଯୋଜନା ଗୁଡ଼ିକ ବିଜେପିକୁ ପସନ୍ଦ ଆସିନପାରେ । ବିଏସକେଓ୍ୱାଇ, ମିଶନ ଶକ୍ତି, ଫାଇଭ ଟି ହେଉ କି କାଳିଆ, ବିଭିନ୍ନ କ୍ଷେତ୍ରରେ ପୂର୍ବ ବିଜେଡି ସରକାରକୁ ସମାଲୋଚନା କରିଛି ବିଜେପି । ଏହି କ୍ଷେତ୍ରରେ ନୂଆ ଶୀର୍ଷ ଅଧିକାରୀ ଭାବେ ଆହୁଜାଙ୍କୁ କାମ କରିବାକୁ ହେବ।

ଶାସନରେ ସ୍ଥିରତା ଏବଂ ନିରନ୍ତରତା ବଜାୟ ରଖିବା: ନୂଆ ଆଶା ଏବଂ ଆତ୍ମବିଶ୍ୱାସ ସୃଷ୍ଟି କରିବା ପାଇଁ ଏକ ନୂଆ ଆଭିମୁଖ୍ୟ ଆଣିବା ଜରୁରୀ। ଏହା ସହିତ ସରକାର ଯେପରି ପ୍ରତିଶୋଧ ପରାୟଣ ହେଉନଥିବେ ସେଭଳି ଏକ ଧାରଣା ତିଆରି କରିବାର ଆବଶ୍ୟକତା ରହିଛି। ଅର୍ଥାତ୍ ଆହୁଜାଙ୍କୁ ଶାସନରେ ସ୍ଥିରତା ଏବଂ ନିରନ୍ତରତା ବଜାୟ ରଖିବାକୁ ପଡ଼ିବ।

Leave A Reply

Your email address will not be published.