Latest Odisha News

BREAKING NEWS

କୋହଲିଙ୍କ ପାଇଁ ଏବେ ବି ସମ୍ଭବ ଅଛି କି ୧୦୧ ଶତକ

ଭାରତୀୟ କ୍ରିକେଟର ମହାନ ଖେଳାଳି ବିରାଟ କୋହଲି ପୂନର୍ବାର ଭଲ ପ୍ରଦର୍ଶନ ଜାରୀ ରଖିଛନ୍ତି । ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଦିନିକିଆରେ ସେ ସମ୍ପୂର୍ଣ୍ଣ ଭାବେ ଲୟରେ ଥିଲେ । ସେ ଶତକ ହାସଲ କରି ବିଶ୍ୱରେକର୍ଡ କରିଛନ୍ତି । ସଚିନ ତେନ୍ଦୁଲକରଙ୍କ ୫୧ ଶତକ ସେ ଅତିକ୍ରମ କରିଛନ୍ତି । ଟେଷ୍ଟ ଏବଂ ଟି୨୦ରୁ କୋହଲି ଅବସର ନେଇ ସାରିଛନ୍ତି । ଏବେ ପ୍ରଶ୍ନ ଉଠୁଛି ଯେ, କିଙ୍ଗ କୋହଲି ଆନ୍ତର୍ଜାତୀୟ କ୍ରିକେଟରେ ସଚିନଙ୍କ ୧୦୦ ଶତକ ରେକର୍ଡ ଭାଙ୍ଗି ପାରିବେ କି ନାହିଁ ।

ସେ ଟେଷ୍ଟରେ ୩୦, ଦିନିକିଆରେ ୫୨ ଓ ଟି୨୦ରେ ଗୋଟିଏ ଶତକ ସହ ଓଭରାଲ ୮୩ ଶତକ ମାରିଛନ୍ତି । କୋହଲି ଭଲ ଫର୍ମ ଏବଂ ଫିଟନେସରେ ରହିଥିବାରୁ ୨୦୨୭ ଦିନିକିଆ ବିଶ୍ୱକପ ଖେଳିବେ ବୋଲି ଆଶା କରାଯାଉଛି । ଦକ୍ଷିଣ ଆଫ୍ରିକା ଓ ଜିମ୍ବାୱେରେ ଏହି ବିଶ୍ୱକପ ଖେଳାଯିବ । ଏହି ବିଶ୍ୱକପ ପରେ ତାଙ୍କ କ୍ରିକେଟ କ୍ୟାରିୟରର ଅନ୍ତ ଘଟିବ ବୋଲି ଅନୁମାନ କରାଯାଉଛି । କୋହଲି ୨୦୧୧, ୨୦୧୫,୨୦୧୯ ଓ ୨୦୨୩ ବିଶ୍ୱକପ ଖେଳିଛନ୍ତି । ସେ ଓଭରାଲ ୩୭ ମ୍ୟାଚ ଖେଳି ୧୭୯୫ ରନ କରିଛନ୍ତି । ଏଥିରେ ୫ ଶତକ ଓ ୧୨ ଅର୍ଦ୍ଧଶତକ ସାମିଲ ।

ଆଇସିସି ଚାମ୍ପିୟନ୍ସ ଟ୍ରଫି ୨୦୨୫ ଅବସରରେ ସେ ଦ୍ରୁତ ୧୪୦୦୦ ରନ କରି ତେନ୍ଦୁଲକରଙ୍କୁ ଅତିକ୍ରମ କରିଥିଲେ । କୋହଲି ଏବେ ବି ଅନେକ ରେକର୍ଡ ଭାଙ୍ଗିବା ଲକ୍ଷ୍ୟରେ ରହିଛନ୍ତି । ଡିସେମ୍ବର ୨୦୨୬ ମଧ୍ୟରେ ଭାରତ ୨୩ ଦିନିକିଆ ମ୍ୟାଚ ଖେଳିବ । ଏହା ପରେ ବିଶ୍ୱକପର ଗ୍ରୁପ ପର୍ଯ୍ୟାୟରେ ୯ ମ୍ୟାଚ ଖେଳିବ । ପରବର୍ତର ପର୍ଯ୍ୟାୟକୁ ଗଲେ ଏହାର ସଂଖ୍ୟା ବଢ଼ିବ । ଶତକରେ ବିଶ୍ୱର ଏକ ନମ୍ବର ଖେଳାଳି ହେବାକୁ ହେଲେ କୋହଲିଙ୍କୁ ଆଉ ୧୮ ସେଂଚୁରୀର ଆବଶ୍ୟକତା ରହିଛି । ୩୨ ରୁ୩୪ ମ୍ୟାଚରେ ୧୮ ଶତକ ହାସଲ କରିବା କୋହଲିଙ୍କ ପାଇଁ ବଡ କଥା ନୁହେଁ । ଭାରତୀୟ କ୍ରିକେଟପ୍ରେମୀ ନିଶ୍ଚିତ ଭାବେ ସଚିନଙ୍କ ରେକର୍ଡ କୋହଲି ଭାଙ୍ଗନ୍ତୁ ବୋଲି ଚାହିଁବେ । କୋହଲି ଏ ପର୍ଯ୍ୟନ୍ତ ସେମାନଙ୍କ ଆଶା ପୂରଣ କରି ଆସିଛନ୍ତି ।

Comments are closed.