Latest Odisha News

ଚର୍ଚ୍ଚାରେ ଆମେରିକାର ସିକ୍ରେଟ ସର୍ଭିସ 

ଭୁବନେଶ୍ୱର: ଆମେରିକାର ସୁରକ୍ଷା ସଂସ୍ଥା ସିକ୍ରେଟ ସର୍ଭିସକୁ ନେଇ ଏବେ ଚର୍ଚ୍ଚା । ଭୁଲ କାରଣ ପାଇଁ ଚର୍ଚ୍ଚାରେ ରହିଛି ସିକ୍ରେଟ ସର୍ଭିସ । ଜୁଲାଇ ୧୫ରେ ପେନସିଲଭାନିଆରେ ନିର୍ବାଚନୀ ରାଲିରେ ରାଷ୍ଟ୍ରପତି ପ୍ରାର୍ଥୀ ଡୋନାଲଡ୍ ଟ୍ରମ୍ପଙ୍କୁ ହତ୍ୟା ଉଦ୍ୟମ ପରେ ସମାଲୋଚିତ ହୋଇଛି ସିକ୍ରେଟ ସର୍ଭିସ । ସିକ୍ରେଟ ସର୍ଭିସର ସୁରକ୍ଷା ବଳୟ ଭେଦ କରି ଆକ୍ରମଣକାରୀ ଟ୍ରମ୍ପଙ୍କ ଉପରକୁ ଗୁଳି ଚଳାଇଥିଲା । ଟ୍ରମ୍ପ ଅଳ୍ପକେ ବର୍ତ୍ତି ଯାଇଥିଲେ ଓ ଆକ୍ରମଣକାରୀକୁ ଗୁଳି କରି ହତ୍ୟା କରିଥିଲେ ସିକ୍ରେଟ ସର୍ଭିସ ଏଜେଂଟ୍ ।

ଏହି ଘଟଣା ସିକ୍ରେଟ ସର୍ଭିସର ପ୍ରତିଷ୍ଠା ଉପରେ ଆଞ୍ଚ ଆଣିଛି । ସିକ୍ରେଟ ସର୍ଭିସ ମୁତୟନ ଥାଇ ବି ଜଣେ ପୂର୍ବତନ ରାଷ୍ଟ୍ରପତିଙ୍କୁ ହତ୍ୟା ଉଦ୍ୟମ ଆମେରିକାରେ ପାଲଟିଛି ସମ୍ବେଦନଶୀଳ ରାଜନୈତିକ ପ୍ରସଙ୍ଗ । ଆମେରିକୀୟ କଂଗ୍ରେସ କମିଟି ଆଗରେ ହାଜର ହୋଇଛନ୍ତି ସିକ୍ରେଟ ସର୍ଭିସ ନିର୍ଦ୍ଦେଶିକା କିମ୍ବର୍ଲି ସିଆଟଲ୍ । ଟ୍ରମ୍ପ ଆକ୍ରମଣ ଘଟଣାରେ ସିକ୍ରେଟ ସର୍ଭିସର ତ୍ରୁଟି ସ୍ୱୀକାର କରି ପଦରୁ ଇସ୍ତଫା ଦେଇଛନ୍ତି । ତେବେ ଯେଉଁ ସିକ୍ରେଟ ସର୍ଭିସର ସୁରକ୍ଷା ତ୍ରୁଟି ନେଇ ଆମେରିକାରେ ସରଗରମ ଚର୍ଚ୍ଚା ହେଉଛି, ସେହି ସଂସ୍ଥା କ’ଣ ?

୧୮୬୫ ମସିହାରେ ଆମେରିକୀୟ ଟ୍ରେଜେରୀ ଡିପାର୍ଟମେଂଟର ଏକ ଶାଖା ଭାବେ ଗଠନ ହୋଇଥିଲା ସିକ୍ରେଟ ସର୍ଭିସ । ଆମେରିକୀୟ ଡଲାରର ଜାଲିଆତି ରୋକିବା ଥିଲା ସିକ୍ରେଟ ସର୍ଭିସର କାମ । ୧୯୦୧ ମସିହାରେ ତତ୍କାଳୀନ ରାଷ୍ଟ୍ରପତି ୱିଲିୟମ ମ୍ୟାକିନଲେଙ୍କୁ ନ୍ୟୁୟର୍କରେ ହତ୍ୟା ପରେ ସିକ୍ରେଟ ସର୍ଭିସର ଦାୟିତ୍ୱ ବଢିଯାଇଥିଲା । ଫେକ୍ ଡଲାର କାରବାର ରୋକିବା ସହ ରାଷ୍ଟ୍ରପତିଙ୍କ ସୁରକ୍ଷା ଦାୟିତ୍ୱ ମଧ୍ୟ ସିକ୍ରେଟ ସର୍ଭିସକୁ ଦିଆଯାଇଥିଲା ।

ସମୟ ସହ ସିକ୍ରେଟ ସର୍ଭିସର ଦାୟିତ୍ୱ ମଧ୍ୟ ବଢିଛି । ପଚାଶ ଦଶକରେ ପୂର୍ବତନ ରାଷ୍ଟ୍ରପତି ଅଧିନିୟମ ଗୃହୀତ ହେଲା ପରେ ପୂର୍ବତନ ରାଷ୍ଟ୍ରପତି, ତାଙ୍କ ପତ୍ନୀ ଓ ପରିବାରର ସୁରକ୍ଷା ଦାୟିତ୍ୱ ମଧ୍ୟ ସିକ୍ରେଟ ସର୍ଭିସ ନେଲା । ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ପ୍ରମୁଖ ପ୍ରାର୍ଥଙ୍କ ସୁରକ୍ଷା ଦାୟିତ୍ୱ ସିକ୍ରେଟ ସର୍ଭିସକୁ ଦିଆଯାଇଥିଲା । ଡୋନାଲଡ ଟ୍ରମ୍ପଙ୍କୁ କେବଳ ପୂର୍ବତନ ରାଷ୍ଟ୍ରପତି ଭାବେ ସୁରକ୍ଷା ମିଳିନାହିଁ । ଏହା ପଛର ଆଉ ଏକ କାରଣ ହେଲା ଯେ, ସେ ଜଣେ ମଜବୁତ୍ ରାଷ୍ଟ୍ରପତି ପ୍ରାର୍ଥୀ । ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ପଦ ପାଇଁ ଦାବିଦାର ଥିବା ମଜବୁତ ପ୍ରାର୍ଥୀଙ୍କୁ ନିର୍ବାଚନର ୧୨୦ ଦିନ ପୂର୍ବରୁ ସୁରକ୍ଷା ଯୋଗାଇବା ଆରମ୍ଭ କରିଦିଏ ସିକ୍ରେଟ ସର୍ଭିସ । ଗୁରୁତ୍ୱ ନଥିବା ପ୍ରାର୍ଥୀଙ୍କୁ ସୁରକ୍ଷା ଦିଏ ନାହିଁ ସିକ୍ରେଟ ସର୍ଭିସ ।

ସିକ୍ରେଟ ସର୍ଭିସ ପାଖରେ ୱାରେଂଟ ଜାରି କରିବା କ୍ଷମତା ଥିଲେ ମଧ୍ୟ ବିନା ୱାରେଂଟରେ ଗିରଫଦାରୀ କରିପାରିବ ଏଜେନସୀ । ସିକ୍ରେଟ ସର୍ଭିସରେ ଅଛନ୍ତି ୩ ହଜାର ୨ ଶହ ସ୍ପେଶାଲ ଏଜେଂଟ୍ । ସିକ୍ରେଟ ସର୍ଭିସ ୟୁନିଟରେ ୧୩ ଶହ ଡିଭିଜନ ଅଫିସର ଓ ୨ ହଜାରରୁ ଅଧିକ ଟେକନିକାଲ ଓ ସପୋର୍ଟ ପର୍ସନଲ ଅଛନ୍ତି । ଆମେରିକାର ହୋମଲ୍ୟାଣ୍ଡ୍ ସିକ୍ୟୁରିଟି ଡିପାର୍ଟମେଂଟର ଶାଖା ଭାବେ କାର୍ଯ୍ୟ କରେ ସିକ୍ରେଟ ସର୍ଭିସ ।

Comments are closed.