Latest Odisha News

BREAKING NEWS

ପରାଜୟ ପରେ କ’ଣ କରିବେ ବିଜୟ !

ଭୁବନେଶ୍ୱର: ବହୁଚର୍ଚ୍ଚିତ ପାଟକୁରା ନିର୍ବାଚନ ସରିଯାଇଛି, ମାତ୍ର ଏବେ କ’ଣ ହେବ ବିଜୟ ମହାପାତ୍ରଙ୍କ ରାଜନୈତିକ ଭବିଷ୍ୟତ? ଏହି ପ୍ରବୀଣ ରାଜନେତାଙ୍କ କ୍ୟାରିୟରରେ ଜବନୀକା ପଡ଼ିଯିବ? ନା, ଏହି ଧୂରନ୍ଧର ରାଜନୀତିଜ୍ଞଙ୍କ ପୁନର୍ବାର ଅଭ୍ୟୁଦୟ ଘଟିବ?

ପରାଜୟ ପରେ ବିଜୟଙ୍କୁ ନେଇ ଏବେ ଜନସାଧାରଣଙ୍କ ମନରେ ନାନା କଳ୍ପନାଜଳ୍ପନା ଉଦ୍ରେକ ହେଉଛି । ଘଟଣାକ୍ରମରେ ବିଜୟ ଯିଏକି ବିଜୁ ଜନତା ଦଳର ଜଣେ ପ୍ରତିଷ୍ଠାତା ସଦସ୍ୟ ଥିଲେ, କ୍ରମାଗତ ଭାବେ ପରାଜୟର ସାମ୍ନା କରିବା ଫଳରେ ଦୀର୍ଘ ୧୯ ବର୍ଷ ଧରି ବିଧାନସଭାରେ ପ୍ରବେଶ କରିବାରେ ଅସଫଳ ହୋଇଛନ୍ତି । ଆଗକୁ ସେ କ’ଣ ରାଜନୀତିରେ ଆଉ ତିଷ୍ଠି ପାରିବେ? କିମ୍ବା, ଏହି ଧୂରୀଣ ରାଜନେତା ଓଡ଼ିଶା ରାଜନୀତିରେ କିଛି ଚକ୍ମା ଦେଖାଇବେ, ଏମିତି କିଛି ଅସମାହିତ ପ୍ରଶ୍ନ ଉଙ୍କିମାରୁଛି ।

ଭବିଷ୍ୟତରେ ବିଜୟଙ୍କ ସମ୍ଭାବ୍ୟ ରଣନୀତି

କ୍ୟାରିୟରର ପୂର୍ଣ୍ଣଚ୍ଛେଦ:

ଅଣସ୍ତରୀ ବର୍ଷ ବୟସରେ ବିଜୟଙ୍କର ଆଉ ସେହି ଯୁବସୁଲଭତା ନାହିଁ । ଏହି ପରାଜୟର ଗ୍ଲାନିବୋଧତା ଓ ନିଜ ଦଳ ମଧ୍ୟରେ ତାଙ୍କୁ କୋଣଠେସା କରିବାର ଆଶଙ୍କା ସୃଷ୍ଟି ହୋଇଛି । ଯାହାଫଳରେ ସେ ସାମ୍ପ୍ରତିକ ରାଜନୈତିକ ପ୍ରେକ୍ଷାପଟରୁ ନିଜକୁ ଦୂରରେ ରଖିବାକୁ ଚେଷ୍ଟା କରିପାରନ୍ତି ।

ସ୍ୱାଭାବିକ ସ୍ଥିତି ବଜାୟ ରଖିବେ:

ପୂର୍ବରୁ ଯେପରି ବିଜୟ ନବୀନଙ୍କ ବିଭିନ୍ନ ଶାସନଗତ ପଦକ୍ଷେପ ବିରୋଧରେ ସ୍ୱର ଉତ୍ତୋଳନ କରୁଥିଲେ, ପୁନର୍ବାର ସେହି ଢଙ୍ଗରେ ଗଣମାଧ୍ୟମ ସାମ୍ନାରେ ଉପସ୍ଥାପନ କରି ନିଜର ସ୍ଥିତି ବଜାୟ ରଖିବାକୁ ଚେଷ୍ଟାକରିବେ । ବିଗତ ୧୯ ବର୍ଷ ଧରି ନିଜ ସ୍ଥିତିକୁ ଏହିପରି ବଜାୟ ରଖିବାରେ ସେ ସକ୍ଷମ ହୋଇଛନ୍ତି । ରାଜନୈତିକ ଅସ୍ଥିତ୍ୱକୁ ବଜାୟ ରଖିବା ଲାଗି ବିଭିନ୍ନ ସମୟରେ ଦୃଷ୍ଟି ଆକର୍ଷଣ କରିବାକୁ ସେ ଚେଷ୍ଟା କରିପାରନ୍ତି ।

ନିର୍ବାଚନୀ ରାଜନୀତିରୁ ଅବସର:

୨୦୦୪ରୁ ଲଗାତର ପରାଜିତ ହୋଇ ଆସୁଥିବା ଯୋଗୁଁ ହୁଏତ ସେ ଆଗକୁ ଆଉ ନିର୍ବାଚନ ଲଢିବେ ନାହିଁ । ଲଗାତର ଚାରିଥର ବିଧାନସଭାକୁ ନିର୍ବାଚିତ ହେବାପରେ ୨୦୦୦ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଶେଷ ମୂହୁର୍ତ୍ତରେ ନିର୍ବାଚନ ଲଢିବାକୁ ଟିକେଟ ଦେଇନଥିଲେ । ବିଜୟ ବିଧାନସଭାକୁ ପ୍ରବେଶ କରିବାର ସମସ୍ତ ପ୍ରୟାସ ବୃଥା ହୋଇଯାଇଛି । ଏପରିକି ୨୦୦୦ ନିର୍ବାଚନରେ ସେ ତୃଣମୂଳ କଂଗ୍ରେସ ପ୍ରାର୍ଥୀ ତ୍ରିଲୋଚନ ବେହେରାଙ୍କୁ ସମର୍ଥନ କରି ଜିତାଇଥିଲେ । ପରବର୍ତ୍ତୀ ସମୟରେ ତ୍ରିଲୋଚନ ବିଜେଡ଼ି ସହିତ ହାତ ମିଳାଇଥିଲେ । ବିଜୟ ପାଟକୁରାରୁ ମହାକାଳପଡ଼ା ଏବଂ ପୁଣି ପାଟକୁରା ନିର୍ବାଚନ ମଣ୍ଡଳୀ ପରିବର୍ତ୍ତନ କରିଥିଲେ ମଧ୍ୟ ନିର୍ବାଚନ ଜିତିବାରେ ସଫଳ ହୋଇନାହାନ୍ତି । ସେ ୧୯୯୦ ମସିହା ପ୍ରାରମ୍ଭରେ ବିଜୁ ପଟ୍ଟନାୟକ ସରକାରରେ ସବୁଠୁ କ୍ଷମତାଶାଳୀ ମନ୍ତ୍ରୀ ଭାବେ ପରିଗଣିତ ହେଉଥିଲେ । ନିର୍ବାଚନୀ ରାଜନୀତିରୁ ସମ୍ଭାବ୍ୟ ସନ୍ୟାସ ନେଇ ସାଂଗଠନିକ କାର୍ଯ୍ୟରେ ନିଜକୁ ବ୍ରତୀ ରଖିବା ହିଁ ବିଜୟଙ୍କ ଲାଗି ପ୍ରକୃଷ୍ଟ ନିଷ୍ପତ୍ତି ହୋଇପାରେ ।

ଜନନାୟକ ଭୂମିକା:

ବିଜୟ ନିଜର ରାଜନେତା ପଦକୁ ଦାନ କରିଦେଇ ହୁଏତ ଜନନାୟକ ଭୂମିକାରେ ନିଜକୁ ଗଢିପାରନ୍ତି । ବିବେକବୋଧ ରାଜନୀତିର ମଙ୍ଗୁଆଳ ସାଜି ଓଡ଼ିଶାର ସ୍ୱାର୍ଥରକ୍ଷା ଲାଗି ସେ କାର୍ଯ୍ୟ କରିପାରନ୍ତି । ଦଳମତ ନିର୍ବିଶେଷରେ ଉଦ୍ଧ୍ୱକୁ ଉଠି ସେ ନୂଆ ପୀଢିର ନେତାଙ୍କର ପରାମର୍ଶଦାତା ହୋଇପାରନ୍ତି  ।

Leave A Reply

Your email address will not be published.