Latest Odisha News

BREAKING NEWS

ବିରୋଧରେ କହି ବିପଦକୁ ଡାକୁଛନ୍ତି କି ସୌମ୍ୟ?

ଭୁବନେଶ୍ୱର: ବିଜେଡିର ଖଣ୍ଡପଡା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ଗତି କୁଆଡେ? ସୌମ୍ୟ କଣ ଆଗକୁ ଅନ୍ୟ କିଛି ଯୋଜନା କରୁଛନ୍ତି କି? ବିଜେଡି ଠାରୁ ନିଜକୁ ଦୁରେଇ ନେଉଛନ୍ତି କି ସୌମ୍ୟ?

ଖଣ୍ଡପଡାରୁ ଆଉ କଣ ବିଜେଡି ପ୍ରାର୍ଥୀ ହେବେନି କି ସୌମ୍ୟ ରଞ୍ଜନ ପଟ୍ଟନାୟକ? ସୌମ୍ୟଙ୍କୁ ନେଇ ରାଜ୍ୟ ରାଜନୀତିରେ ଏବେ ଏମିତି ଅନେକ ପ୍ରଶ୍ନ ଉଠିଛି।

ବିଜେଡି ସରକାରର ଶାସନ ବ୍ୟବସ୍ଥା ଓ ପ୍ରଶାସନିକ ପରିଚାଳନାକୁ ନେଇ ସୌମ୍ୟ ବଡ଼ ପ୍ରଶ୍ନ ଉଠାଇଛନ୍ତି। ନିଜ ସମ୍ପାଦକୀୟ ମାଧ୍ୟମରେ ଖୋଦ ନିଜ ଦଳର ସରକାର ଓ ବର୍ତ୍ତମାନ ଚାଲିଥିବା ପ୍ରଶାସନିକ ବ୍ୟବସ୍ଥାକୁ କାଠଗଡାକୁ ଟାଣି ଆଣିଛନ୍ତି। ଯାହାକୁ ନେଇ ରାଜନୀତି ଜୋର ଧରିଛି।

ଆଗକୁ ନିର୍ବାଚନ ଥିବା ବେଳେ ଫାଇଭ ଟି ସଚିବଙ୍କ ରାଜ୍ୟବ୍ୟାପି ବିଭିନ୍ନ ଜିଲ୍ଲା ଗସ୍ତ ବର୍ତ୍ତମାନ ରାଜନୈତିକ ଲଢ଼େଇର ମୁଖ୍ୟ ପ୍ରସଙ୍ଗ ପାଲଟିଛି। ଯାହାକୁ ନେଇ ବିରୋଧୀ କଂଗ୍ରେସ ଓ ବିଜେପି ସରକାରଙ୍କୁ ଘେରୁଛନ୍ତି। ଠିକ ଏଭଳି ସମୟରେ ସୌମ୍ୟ ପଟ୍ଟନାୟକ ବିଜେଡିର ବିଧାୟକ ହୋଇ ମଧ୍ୟ ନିଜ ଦଳର ସରକାରକୁ ପରୋକ୍ଷରେ ବିବାଦକୁ ଟାଣି ଆଣିଛନ୍ତି।

ଖଣ୍ଡପଡାର ପୂର୍ବତନ ବିଧାୟକ ତଥା ଦଳର ମୁଖପାତ୍ର ଅନୁଭବ ପଟ୍ଟନାୟକଙ୍କ ମାଧ୍ୟମରେ ଦଳ ମଧ୍ୟ ସୌମ୍ୟଙ୍କୁ ଟାର୍ଗେଟ କରିବା ଆରମ୍ଭ କରିଛି। ମନ୍ତ୍ରୀ ପଦକୁ ଆଶା ରଖି ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଦଳକୁ ବ୍ଲାକମେଲିଂ କରୁଛନ୍ତି ବୋଲି ଅନୁଭବ ପଟ୍ଟନାୟକ କହିଛନ୍ତି।

ଏବେ ମନ୍ତ୍ରିମଣ୍ଡଳରେ ଗୋଟିଏ ମନ୍ତ୍ରୀ ପଦ ଖାଲି ଅଛି । ସେହି ମନ୍ତ୍ରୀ ପଦକୁ ହାତେଇବା ଲାଗି ନିଜ ଲେଖା ମାଧ୍ୟମରେ ସୌମ୍ୟ ଦଳକୁ ବ୍ଲାକମେଲିଂ କରୁଛନ୍ତି ବୋଲି ଅନୁଭବ କହିଛନ୍ତି।

ସୌମ୍ୟ ବାବୁଙ୍କୁ ସ୍ବାର୍ଥପର ବ୍ୟକ୍ତି ବୋଲି କହିବା ସହ ଅତୀତରେ କିଭଳି ବ୍ୟକ୍ତିଗତ ସ୍ବାର୍ଥ ପାଇଁ ସେ କିଭଳି ବିଭିନ୍ନ ଦଳ ପରିବର୍ତ୍ତନ କରିଥିଲେ ସେ ନେଇ ଅନୁଭବ କହିଛନ୍ତି। ଏପରିକି ପୂର୍ବରୁ ସେ ଆମ ଓଡ଼ିଶା ପାର୍ଟି ଗଠନ କରିବା ସହ ତା ପରେ ବିଜେଡିରେ ଯୋଗ ଦେଇଥିଲେ ସେ ସମ୍ପର୍କରେ ମଧ୍ୟ ଦର୍ଶାଯାଇଛି।

ଏବେ ବିଜେପିରେ ଯୋଗ ଦେବା ପାଇଁ ସୌମ୍ୟ ବ୍ୟଗ୍ର ବୋଲି ଅନୁଭବ କହିଛନ୍ତି। ଯାହାକୁ ନେଇ ଏବେ ରାଜ୍ୟ ରାଜନୀତି ଚଳଚଞ୍ଚଳ ହୋଇଛି। ନିଜ ଦଳ ବିଜେଡିକୁ ଟାର୍ଗେଟ କରିବା ସୌମ୍ୟଙ୍କ ପକ୍ଷରେ ନୂଆ ନୁହେଁ। ପୂର୍ବରୁ ମଧ୍ୟ ବିଭିନ୍ନ ପ୍ରସଙ୍ଗକୁ ନେଇ ସୌମ୍ୟ ନିଜ ଲେଖା କିମ୍ବା ମନ୍ତବ୍ୟ ମାଧ୍ୟମରେ ଦଳକୁ ଟାର୍ଗେଟ କରିଥାନ୍ତି।

କିନ୍ତୁ ଏବେ ସମୟ ଭିନ୍ନ। ଆଗକୁ ନିର୍ବାଚନ ଅଛି। ବିରୋଧୀ ବର୍ତ୍ତମାନର ଶାସନ ବ୍ୟବସ୍ଥାକୁ ନେଇ ସରକାରଙ୍କୁ ଘେରୁଛନ୍ତି। ଏଭଳି ସମୟରେ ସୌମ୍ୟ ବିଜେଡିକୁ ଅସୁବିଧାରେ ପକାଇଛନ୍ତି। ତେଣୁ ଦଳ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରୁଥିବା ସୌମ୍ୟଙ୍କୁ କଣ ଆଉ ଦଳୀୟ ଟିକେଟ ମିଳିବ କି ବୋଲି ପ୍ରଶ୍ନ ଉଠିଛି।

ଖଣ୍ଡପଡାରେ ଅନୁଭବ ପଟ୍ଟନାୟକ ବିଧାୟକ ଥିବାବେଳେ ୨୦୧୯ ରେ ତାଙ୍କୁ ଟିକେଟ ନ ଦେଇ ସୌମ୍ୟଙ୍କୁ ଦେଇଥିଲା। କିନ୍ତୁ ଆଗାମୀ ନିର୍ବାଚନରେ ପୁଣିଥରେ ଦଳ ଅନୁଭବଙ୍କ ଭରସା କରିବ ବୋଲି ଆଲୋଚନା ଆରମ୍ଭ ହୋଇଛି।

ଏପରିକି ଯେତେବେଳେ ବି ସୌମ୍ୟ ଦଳକୁ ଟାର୍ଗେଟ କରିଥାନ୍ତି ସେତେବେଳେ ଅନୁଭବ ଦଳ ପକ୍ଷରୁ କାଉଣ୍ଟର କରନ୍ତି। ତେଣୁ ଏବେ ମଧ୍ୟ ସେଭଳି ଦେଖିବାକୁ ମିଳିଛି। ତେବେ ଯଦି ସୌମ୍ୟଙ୍କୁ ଖଣ୍ଡପଡାରୁ ବିଜେଡି ଟିକେଟ ନ ମିଳେ ତାହେଲେ ତାଙ୍କର ଆଗାମୀ ରଣନୀତି କଣ ହେବ ବୋଲି ପ୍ରଶ୍ନ ଉଠିଛି।

ସେପଟେ ଅନୁଭବ ପଟ୍ଟନାୟକ ସୌମ୍ୟ ବିଜେପିରେ ଯୋଗ ଦେବାର କଥା କହିଛନ୍ତି। ତାହେଲେ ସୌମ୍ୟ ଯଦି ବିଜେପିରେ ଯୋଗ ଦିଅନ୍ତି ତାହେଲେ କଣ ବିଜେପି ପ୍ରାର୍ଥୀ ଭାବେ ଖଣ୍ଡପଡ଼ାରୁ ଲଢ଼ିବେ ନା କୌଣସି ଏକ ଲୋକସଭା କ୍ଷେତ୍ରରୁ ଲଢ଼ିବେ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

Leave A Reply

Your email address will not be published.