Latest Odisha News

ପାକିସ୍ତାନକୁ ମାତ ଦେବ ଇଜରାଏଲ ଯୁଦ୍ଧାସ୍ତ୍ର, ଛାନିଆରେ ଚୀନକୁ ସାହାଯ୍ୟ ମାଗୁଛି ପାକ

ନୂଆଦିଲ୍ଲୀ: ଇଜରାଏଲ ଓ ଫିଲିସ୍ତିନ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଭାରତ ନିଜକୁ ନିରପେକ୍ଷ ରଖିଥିଲେ ମଧ୍ୟ, ପାକିସ୍ତାନ ସହ ହୋଇଥିବା ଯୁଦ୍ଧ ବେଳେ ଇଜରାଏଲ ସର୍ବଦା ଭାରତକୁ ଖୋଲାଖୋଲି ସମର୍ଥନ କରିଆସିଛି। ବିଭିନ୍ନ ଗଣମାଧ୍ୟମ ରିପୋର୍ଟରେ ଦାବି କରାଯାଇଛି ଯେ, ୧୯୭୧ ମସିହାରେ ଭାରତ ଓ ଇଜରାଏଲ ମଧ୍ୟରେ କୌଣସି ରାଜନୈତିକ ସମ୍ପର୍କ ନଥାଇ ମଧ୍ୟ ଇଜରାଏଲ ଭାରତକୁ ସାହାଯ୍ୟ କରିଥିଲା। ଆସନ୍ତୁ ଜାଣିବା ଇଜରାଏଲ ପ୍ରଥମ ଥର ପାଇଁ କେବେ ଭାରତକୁ ସାହାଯ୍ୟ କରିଥିଲା ଏବଂ ପାକିସ୍ତାନ ବିରୋଧରେ ଯୁଦ୍ଧ ପାଇଁ ଭାରତକୁ କେଉଁ କେଉଁ ହଥିଆର ଯୋଗାଇ ଦେଇଥିଲା।

୧୯୭୧ରେ ପ୍ରଥମ ସାହାଯ୍ୟ
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ୧୯୭୧ ମସିହାରେ ଭାରତ ଓ ଇଜରାଏଲ ମଧ୍ୟରେ କୌଣସି ରାଜନୈତିକ ସମ୍ପର୍କ ନଥିଲା। ତଥାପି, ଅନେକ ଦାବି ଅନୁସାରେ, ଇଜରାଏଲ ପାକିସ୍ତାନ ବିରୋଧରେ ଭାରତକୁ ସାହାଯ୍ୟ କରିଥିଲା। ଲେଖକ ଶ୍ରୀନାଥ ରାଘବନଙ୍କ ପୁସ୍ତକ ‘୧୯୭୧’ରେ ଏହି ତଥ୍ୟର ଖୁଲାସା ହୋଇଛି। ଏହି ପୁସ୍ତକରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ପରାମର୍ଶଦାତା ପି.ଏନ୍. ହକ୍ସରଙ୍କ କିଛି ଦସ୍ତାବିଜକୁ ଆଧାର କରାଯାଇଛି। ରାଘବନ ଏହି ଦସ୍ତାବିଜଗୁଡ଼ିକ ଉପରେ ଗବେଷଣା କରି ଜାଣିପାରିଥିଲେ ଯେ, ଇଜରାଏଲ ସେହି ସମୟରେ ଭାରତକୁ ସହାଯ୍ୟ କରିଥିଲା।

ଭାରତକୁ ମିଳିଥିଲା ଯୁଦ୍ଧାସ୍ତ୍ର
ରାଘବନଙ୍କ ପୁସ୍ତକରେ ଉଲ୍ଲେଖ କରାଯାଇଛି ଯେ, ଯେତେବେଳେ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଆଗରେ ଇଜରାଏଲର ସାହାଯ୍ୟ ପାଇଁ ପ୍ରସ୍ତାବ ରଖାଗଲା, ସେ ତାହାକୁ ତୁରନ୍ତ ଗ୍ରହଣ କରିଥିଲେ। ଦସ୍ତାବିଜରେ ଉଲ୍ଲେଖ ରହିଛି ଯେ, ସେହି ସମୟରେ ଇଜରାଏଲ ମଧ୍ୟ ହଥିଆର ଅଭାବର ସମ୍ମୁଖୀନ ହେଉଥିଲା। ତଥାପି, ଇଜରାଏଲର ତତ୍କାଳୀନ ପ୍ରଧାନମନ୍ତ୍ରୀ ଗୋଲ୍ଡା ମେୟେର ଇରାନକୁ ଦିଆଯିବାକୁ ଥିବା ହଥିଆରଗୁଡ଼କୁ ଭାରତକୁ ପଠାଇ ସାହାଯ୍ୟ କରିଥିଲେ।

ରାଜନୈତିକ ସମ୍ପର୍କର ଆରମ୍ଭ
ଭାରତ ଓ ଇଜରାଏଲ ମଧ୍ୟରେ ରାଜନୈତିକ ସମ୍ପର୍କ ୧୯୯୨ ମସିହାରେ ସ୍ଥାପିତ ହୋଇଥିଲା, ଯେତେବେଳେ ନରସିଂହ ରାଓ ଭାରତର ପ୍ରଧାନମନ୍ତ୍ରୀ ଥିଲେ। ତେବେ, ୧୯୭୧ ମସିହାରେ ରାଜନୈତିକ ସମ୍ପର୍କ ନଥାଇ ମଧ୍ୟ ଇଜରାଏଲର ଏହି ସାହାଯ୍ୟ ଭାରତ-ଇଜରାଏଲ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ସମ୍ପର୍କର ପ୍ରାରମ୍ଭିକ ପର୍ଯ୍ୟାୟକୁ ଚିହ୍ନିତ କରିଥିଲା।

କାହିଁକି ଇଜରାଏଲ କଲା ସାହାଯ୍ୟ?
୧୯୭୧ ମସିହାରେ ପାକିସ୍ତାନ ବିରୋଧରେ ଭାରତର ଯୁଦ୍ଧ ସମୟରେ ଇଜରାଏଲର ସାହାଯ୍ୟ ଏକ ରଣନୈତିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ଥିଲା। ଇଜରାଏଲ ନିଜେ ମଧ୍ୟ ସେହି ସମୟରେ ଆରବ ରାଷ୍ଟ୍ରମାନଙ୍କ ସହ ସଂଘର୍ଷରେ ଲିପ୍ତ ଥିଲା। ପାକିସ୍ତାନର ଆରବ ରାଷ୍ଟ୍ରମାନଙ୍କ ସହ ସମ୍ପର୍କ ଥିବାରୁ ଇଜରାଏଲ ଭାରତକୁ ସାହାଯ୍ୟ କରି ଏକ ରଣନୈତିକ ସୁଯୋଗ ହାସଲ କରିଥିଲା। ଏହି ସାହାଯ୍ୟ ଭାରତର ସାମରିକ ଶକ୍ତିକୁ ବୃଦ୍ଧି କରିବା ସହ ଯୁଦ୍ଧରେ ଏକ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥିଲା।

୧୯୭୧ ମସିହାରେ ଇଜରାଏଲ ଏହି ସାହାଯ୍ୟ ଭାରତ- ଇଜରାଏଲ ସମ୍ପର୍କର ଏକ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟ ଥିଲା। ବର୍ତ୍ତମାନ ଭାରତ ଓ ଇଜରାଏଲ ମଧ୍ୟରେ ଦୃଢ଼ ରାଜନୈତିକ ଓ ସାମରିକ ସହଯୋଗ ରହିଛି। ପହଲଗାମ ଆତଙ୍କବାଦୀ ହମଲା ପରେ ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ବଢ଼ୁଥିବା ବେଳେ ଇଜରାଏଲର ପୂର୍ବ ସମର୍ଥନ ଏହି ପରିପ୍ରେକ୍ଷୀରେ ଆହୁରି ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି। ଭାରତ ଏବେ ସୁରକ୍ଷା ପ୍ରସ୍ତୁତିକୁ ଜୋରଦାର କରୁଥିବା ବେଳେ, ଇଜରାଏଲ ଭଳି ମିତ୍ର ରାଷ୍ଟ୍ରମାନଙ୍କ ସହଯୋଗ ଆଗାମୀ ଦିନରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ହେବ ବୋଲି ଆଶା କରାଯାଉଛି।

 

Comments are closed.