Latest Odisha News

କେବଳ ଏଥର ନୁହେଁ, ୟା ପୂର୍ବରୁ ମଧ୍ୟ ଭାରତର ଶରଣ ପଶିଥିଲେ ଶେଖ୍ ହାସିନା

ନୂଆଦିଲ୍ଲୀ: ଚରମ ସୀମାରେ ପହଞ୍ଚିଛି ବାଂଲାଦେଶ ହିଂସା । ପରିସ୍ଥିତି ଏପରି ଯେ, ଶେଷରେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଶେଖ ହସିନା । ଏଥିସହ ବାଂଲାଦେଶ ଛାଡି ସେ ଭାରତ ପଳାଇଆସିଛନ୍ତି । ତେବେ ଏଇଟା ପ୍ରଥମ ଥର ନୁହେଁ, ଏହା ପୂର୍ବରୁ ମଧ୍ୟ ୧୯୭୫ ମସିହାରେ ଭାରତର ଶରଣ ପଶିଥିଲେ ଶେଖ ହସିନା । ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଶେଖ ହାସିନାଙ୍କ ସହ ତାଙ୍କ ସ୍ଵାମୀ ଏବଂ ପିଲାମାନଙ୍କୁ ମଧ୍ୟ ଦିଲ୍ଲୀରେ ପୁରା ସୁରକ୍ଷାର ସହ ରହିବାକୁ ଦେଇଥିଲେ । ବର୍ତ୍ତମାନ ସେହି ପୁରୁଣା ଇତିହାସର ପୁନରାବୃତ୍ତି ହୋଇଛି ।

କିଛି ବର୍ଷ ପୂର୍ବେ ପ୍ରଧାନମନ୍ତ୍ରୀ ଶେଖ ହସିନା ଗଣମାଧ୍ୟମକୁ ସାକ୍ଷାତକାର ଦେଇ କହିଥିଲେ ଯେ, ୧୯୭୫ ମସିହାରେ ତାଙ୍କ ପୁରା ପରିବାରକୁ ହତ୍ୟା କରାଯାଇଥିଲା। ସେତେବେଳେ ସେ ନିଜ ପିଲାମାନଙ୍କ ସହିତ ଦିଲ୍ଲୀର ପଣ୍ଡାରା ରୋଡରେ ରହୁଥିଲେ। ପ୍ରାୟ ପାଞ୍ଚ ଦଶନ୍ଧି ପୂର୍ବରୁ ତାଙ୍କ ପିତାଙ୍କୁ କିପରି ହତ୍ୟା କରାଯାଇଥିଲା ତା’ହା ମଧ୍ୟ ଏହି ସାକ୍ଷାତକାରରେ କହିଥିଲେ ଶେଖ ହାସିନା । ଶେଖ ହାସିନାଙ୍କ ସ୍ଵାମୀ ଜଣେ ବୈଜ୍ଞାନିକ ଥିଲେ । ଯେତେବେଳେ ତାଙ୍କ ପିତାଙ୍କୁ ହତ୍ୟା କରାଯାଇଥିଲା, ସେତେବେଳେ ସେ ତାଙ୍କ ସ୍ୱାମୀଙ୍କୁ ଭେଟିବା ପାଇଁ ଜର୍ମାନୀ ଯାଇଥିଲେ।

୧୯୭୫ ବାଂଲାଦେଶ ନରସଂହାରରେ ଶେଖ ହସିନାଙ୍କ ପରିବାର ଏବଂ ସମ୍ପର୍କୀୟଙ୍କୁ ମିଶେଇ ମୋଟ ୧୮ ଜଣଙ୍କୁ ହତ୍ୟା କରାଯାଇଥିଲା। ସେଥିରେ ତାଙ୍କର ଜଣେ ୧୦ ବର୍ଷୀୟ ଭାଇ ମଧ୍ୟ ଥିଲେ । ଶେଖ ହସିନା କହିଥିଲେ ଯେ, ସେତେବେଳେ ତତ୍କାଳୀନ ଭାରତର ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଆମକୁ ସାହାର୍ଯ୍ୟରହାତ ବଢାଇଥିଲେ । ଆମକୁ ସୁରକ୍ଷା ଏବଂ ଆଶ୍ରୟ ଦେବାକୁ କଥା ଦେଇଥିଲେ ଇନ୍ଦିରା ଗାନ୍ଧୀ । ଏହା ପରେ ଶେଖ ହାସିନା ତାଙ୍କ ସ୍ଵାମୀ ଓ ପିଲାମାନଙ୍କ ସହ ଦିଲ୍ଲୀ ପଳେଇ ଆସିଥିଲେ। ସେହି ସମୟରେ ଶେଖ ହସିନା ଏବଂ ତାଙ୍କ ପରିବାରକୁ ଉଚ୍ଚ ସ୍ତରୀୟ ସୁରକ୍ଷା ସହିତ ପଣ୍ଡାରା ରୋଡରେ ଥିବା ଏକ ସିକ୍ରେଟ ଘରେ ରଖାଯାଇଥିଲା। ଏହା ବ୍ୟତୀତ ତାଙ୍କ ସ୍ୱାମୀଙ୍କୁ ଚାକିରି ମଧ୍ୟ ଦେଇଥିଲେ ଇନ୍ଦିରା ଗାନ୍ଧୀ ।

ଏବେ ଇତିହାସ ପୁଣି କଡ ଲେଉଟାଇଛି । ପୁଣି ଭାରତର ସହାୟତା ଲୋଡିଛନ୍ତି ଶେଖ ହାସିନା । ୧୯୭୫ ମସିହାରେ ଇନ୍ଦିରା ସରକାର ଶେଖ ହସିନାଙ୍କୁ ସୁରକ୍ଷା ଯୋଗାଇ ଦେଇଥିଲେ ଏବଂ ଏବେ ମୋଦୀ ସରକାର ଶେଖ ହସିନାଙ୍କୁ ଆଶ୍ରୟ ଦେବାକୁ ଯାଉଛନ୍ତି।

 

Comments are closed.