Latest Odisha News

BREAKING NEWS

୮୦ ଦଶକରେ ଗାଭାସ୍କର ଓ କପିଳଙ୍କ ମଧ୍ୟରେ ସତରେ ଥିଲା ମତଭେଦ !

ଭାରତୀୟ କ୍ରିକେଟ ଆଜି ଯେଉଁ ସ୍ତରରେ ପଂହଚିଛି କପିଳ ଦେବ ଓ ସୁନୀଲ ଗାଭାସ୍କର ଏହାର ମୂଖ୍ୟ ସୂତ୍ରଧାର କହିଲେ ଭୁଲ ହେବନି । ୮୦ ଦଶକରେ ଏହି ଦୁଇ ଷ୍ଟାର ଖେଳାଳି ଦେଶକୁ ଅନେକ ମ୍ୟାଚରେ ବିଜୟ ହାସଲ କରାଇବା ସହ ବିଶ୍ୱକପ ଜିତାଇଥିଲେ । ତେବେ ସେତେବେଳେ ଗାଭାସ୍କର ଓ କପିଳଙ୍କ ମଧ୍ୟରେ ମତଭେଦ ଥିବା ଅନେକ ରିପୋର୍ଟ ପ୍ରକାଶ ପାଇଛି ।

୮୩ ବିଶ୍ୱକପ ପରେ ଏହି ବିବାଦର ସୂତ୍ରପାତ ହୋଇଥିଲା । ୧୯୮୪ରେ କଲିକତାରେ ଖେଳା ଯାଇଥିବା ଇଂଲଣ୍ଡ ବିପକ୍ଷ ଟେଷ୍ଟ ମ୍ୟାଚରେ ହଠାତ କପିଳ ଓ ସନ୍ଦୀପ ପାଟିଲଙ୍କୁ ବାହାର କରି ଦିଆଯାଇଥିଲା । ଉଭୟ ଖେଳାଳି ସେତେବେଳେ ଭଲ ଫର୍ମରେ ଥିଲେ । ପ୍ରଶଂସକମାନେ ମଧ୍ୟ ଏହାକୁ ସହଜରେ ଗ୍ରହଣ କରିପାରି ନ ଥିଲେ । ପରିସ୍ଥିତି ଏପରି ହୋଇଥିଲା ଯେ, ଗାଭାସ୍କର ଇଡେନ ଗାର୍ଡେନ ଆଉ ଆସିବେ ନାହିଁ ବୋଲି କହିଥିଲେ ।

ଇଡେନ ଟେଷ୍ଟ ପୂର୍ବରୁ ଦିଲ୍ଲୀରେ ଖେଳା ଯାଇଥିବା ମ୍ୟାଚରେ କପିଳ ଦାୟିତ୍ୱହୀନ ଶଟ ଖେଳି ଆଉଟ ହୋଇଥିଲେ । ଏହା ପାର ଭାରତ ହାତରୁ ମ୍ୟାଚ ଖସି ଯାଇଥିଲା । ଅଧିନାୟକ ଗାଭାସ୍କର ଓ ଚୟନ କମିଟି ଏ ନେଇ କପିଳଙ୍କ ଉପରେ ଅସନ୍ତୁଷ୍ଟ ଥିଲେ । ଅବଶ୍ୟ କପିଳଙ୍କ ଅନୁପସ୍ଥିତିରେ ଭାରତ ଟେଷ୍ଟ ମ୍ୟାଚ ଜିତିଥିଲା କିନ୍ତୁ ଭାରତର ମହାନ ଅଲରାଉଣ୍ଡର ସମ୍ପୂର୍ଣ୍ଣ ଘଟଣା ପାଇଁ ଗାଭାସ୍କରଙ୍କୁ ଦାୟୀ କରିଥିଲେ ।

ଅପରପକ୍ଷରେ ଗାଭାସ୍କର ଏହି ଘଟଣାରେ ତାଙ୍କର କୌଣସି ଭୂମିକା ନ ଥିଲା ବୋଲି କହି ଆସୁଥିଲେ ମଧ୍ୟ କପିଳ ବୁଝି ନ ଥିଲେ । କପିଳଙ୍କ ପ୍ରଶଂସକ ଇଡେନରେ ନୋ କପିଳ ନୋ ଟେଷ୍ଟ ସ୍ଲୋଗାନ ଦେଇଥିଲେ । ଯାହାକି ଲିଟିଲ ମାଷ୍ଟରଙ୍କୁ ବହୁତ ବାଧିଥିଲା । ଏବେ ବି ପ୍ରଶଂସକମାନେ ଏହି ଘଟଣାକୁ ମନରୁ କାଢ଼ି ନାହାନ୍ତି । ପ୍ରକୃତ ସତ୍ୟତା ବିଷୟରେ ଆମେ ଅଞ୍ଜ ଥିଲେ ମଧ୍ୟ ଭାରତୀୟ କ୍ରିକେଟର ଏହା ପ୍ରଥମ ବଡ ମତଭେଦ ଥିଲା କହିଲେ ଭୁଲ ହେବନି ।

Leave A Reply

Your email address will not be published.