ନୂଆଦିଲ୍ଲୀ: ଯେତେବେଳେ ପୃଥିବୀର ଜନ୍ମ ହେଲା, ତାହା ଥିଲା ଏକ ଜଳୁଥିବା ଗରମ ଗୋଲା, ଯେଉଁଥିରେ ଲାଭା ଓ ଗ୍ୟାସ ଭରପୂର ଥିଲା। ସେତେବେଳେ ଏହା ସମ୍ପୂର୍ଣ୍ଣ ଶୁଖିଲା ଥିଲା, ଏକ ବୁନ୍ଦା ପାଣି ମଧ୍ୟ ନଥିଲା। ତେବେ ପ୍ରଶ୍ନ ଉଠେ, କିପରି ସମୁଦ୍ର ସୃଷ୍ଟି ହେଲା? କେଉଁଠୁ ଆସିଲା ଏତେ ଅଥଳ ପାଣି, ଯାହା ଆଜି ପୃଥିବୀ ୭୧ ପ୍ରତିଶତ ଅଞ୍ଚଳକୁ ଆଚ୍ଛାଦିତ କରିଛି? ଏହା ସତରେ ଆଶ୍ଚର୍ଯ୍ୟ ଓ ରହସ୍ୟମୟ କଥା। ପୃଥିବୀ ସମୁଦ୍ରରେ ଥିବା ଅପାର ପାଣିକୁ ଦେଖି ଏହି ପ୍ରଶ୍ନ ଉଠିବା ସ୍ଵାଭାବିକ—ଏତେ ପାଣି ଆସିଲା କେଉଁଠୁ? ଏହା ଏକ ରହସ୍ୟମୟ ଓ ବୈଜ୍ଞାନିକ ପ୍ରଶ୍ନ, ଯାହା ଉପରେ ବୈଜ୍ଞାନିକମାନେ ବର୍ଷ ବର୍ଷ ଧରି ଗବେଷଣା କରିଛନ୍ତି।
ପୃଥିବୀ ଆରମ୍ଭ ଓ ପାଣିର ଉତ୍ପତ୍ତି
ପୃଥିବୀ ବୟସ ପ୍ରାୟ ୪.୬ ବିଲିୟନ ବର୍ଷ। ଯେତେବେଳେ ପୃଥିବୀ ଗଠିତ ହେଲା, ତାହା ଥିଲା ଏକ ଗରମ, ତରଳ ଲାଭା ଓ ଗ୍ୟାସରେ ଭରପୂର ଗୋଲା। ସେତେବେଳେ ପୃଥିବୀ ପୃଷ୍ଠ ଏତେ ଗରମ ଥିଲା ଯେ ପାଣି ତରଳ ରୂପରେ ରହିପାରୁ ନଥିଲା। ବୈଜ୍ଞାନିକମାନଙ୍କ ଅନୁସାରେ ପୃଥିବୀ ଥଣ୍ଡା ହେବା ପରେ ହିଁ ପାଣିର ଉତ୍ପତ୍ତି ସମ୍ଭବ ହୋଇଥିଲା। କିନ୍ତୁ ପ୍ରଶ୍ନ ହେଉଛି, ଏତେ ପାଣି ଆସିଲା କେଉଁଠୁ?
ପୃଥିବୀ ଭିତରକୁ ଏମିତି ଆସିଲା ପାଣି
କିଛି ବୈଜ୍ଞାନିକଙ୍କ ଅନୁସାରେ ପୃଥିବୀ ଗଠନ ସମୟରେ ଏହାର ଭିତରେ ପାଣି ରହିଥିଲା। ଯେତେବେଳେ ପୃଥିବୀ ଏକ ଗରମ ଗୋଲା ଥିଲା, ତାହା ଭିତରେ ଅନେକ ରାସାୟନିକ ତତ୍ତ୍ଵ ଓ ଯୌଗିକ ଥିଲା। ଏଥିରେ ହାଇଡ୍ରୋଜେନ ଓ ଅକ୍ସିଜେନ ଭଳି ତତ୍ତ୍ଵ ମଧ୍ୟ ଥିଲା, ଯାହା ପାଣି (H₂O) ତିଆରି ପାଇଁ ଅତ୍ୟାବଶ୍ୟକ। ପୃଥିବୀ ଥଣ୍ଡା ହେବା ସହ ଏହି ତତ୍ତ୍ଵଗୁଡ଼ିକ ମିଶି ପାଣି ତିଆରି କରିବାକୁ ଲାଗିଲା।ପୃଥ୍ଵୀର ପୃଷ୍ଠ ତଳେ, ମେଣ୍ଟଲ ନାମକ ସ୍ତରରେ ଆଜି ମଧ୍ୟ ପାଣି ଉପସ୍ଥିତ। ଏହି ପାଣି ଖନିଜ ପଦାର୍ଥ ଭିତରେ ବନ୍ଧା ରହିଛି। ବୈଜ୍ଞାନିକମାନେ ଜାଣିଛନ୍ତି ଯେ ରିଙ୍ଗଉଡ଼ାଇଟ ଭଳି କିଛି ଖନିଜ ପାଣିକୁ ନିଜ ଭିତରେ ଶୋଷି ରଖିପାରେ। ଏକ ଆକଳନ ଅନୁସାରେ, ପୃଥିବୀ ମେଣ୍ଟଲରେ ସମସ୍ତ ସମୁଦ୍ର ମିଶାଇ ଯେତେ ପାଣି ଅଛି, ତାହା ସେତେ ପାଣି ହୋଇପାରେ। ଯେତେବେଳେ ପୃଥିବୀ ଭିତରେ ଜ୍ଵାଳାମୁଖୀ ବିସ୍ଫୋରଣ ଓ ଅନ୍ୟାନ୍ୟ ଭୂଗର୍ଭୀୟ କାର୍ଯ୍ୟକଳାପ ହେଲା, ଏହି ପାଣି ବାଷ୍ପ ରୂପରେ ପୃଷ୍ଠକୁ ଆସିଲା। ତା’ପରେ ଆକାଶରେ ଉଠି ବର୍ଷା ରୂପରେ ମାଟିରେ ଖସିଲା। ଏହିପରି ଧୀରେ ଧୀରେ ସମୁଦ୍ର ଗଠନ ଆରମ୍ଭ ହେଲା।
ଅନ୍ୟ ଏକ ସିଦ୍ଧାନ୍ତ କହେ ଯେ ପୃଥିବୀରେ ପାଣି ମହାକାଶରୁ ଆସିଛି। ଯେତେବେଳେ ପୃଥିବୀ ଗଠନ ହେଉଥିଲା, ସୌରମଣ୍ଡଳରେ ଅନେକ ଉଲ୍କାପିଣ୍ଡ, ଧୂମକେତୁ ଓ କ୍ଷୁଦ୍ରଗ୍ରହ ଉପସ୍ଥିତ ଥିଲେ। ଏମାନଙ୍କ ମଧ୍ୟରୁ କିଛିରେ ବରଫ ରୂପରେ ପାଣି ଥିଲା। ବୈଜ୍ଞାନିକଙ୍କ ଅନୁସାରେ ପ୍ରାୟ ୪ ବିଲିୟନ ବର୍ଷ ପୂର୍ବେ, ପୃଥ୍ଵୀର ଆରମ୍ଭ ସମୟରେ ଏହି ଅନ୍ତରୀକ୍ଷ ପିଣ୍ଡଗୁଡ଼ିକ ସହ ସଂଘର୍ଷ ହେବା ଯୋଗୁ ପାଣି ପୃଥିବୀରେ ପହଞ୍ଚିଲା। ଏହାକୁ “ଲେଟ ହେଭି ବମ୍ବାର୍ଡମେଣ୍ଟ” କୁହାଯାଏ। ଏହି ସମୟରେ ଲକ୍ଷ ଲକ୍ଷ ଉଲ୍କାପିଣ୍ଡ ଓ ଧୂମକେତୁ ପୃଥିବୀ ସହ ଧକ୍କା ହେଲେ, ଯାହା ଫଳରେ ପାଣି ପୃଷ୍ଠରେ ଜମା ହେଲା। ଧୂମକେତୁଗୁଡ଼ିକରେ ବରଫର ପରିମାଣ ବହୁତ ଅଧିକ ଥାଏ। ଯେତେବେଳେ ଏଗୁଡ଼ିକ ପୃଥ୍ଵୀ ପୃଷ୍ଠରେ ଧକ୍କା ହେଉଥିଲେ, ତାଙ୍କର ବରଫ ତରଳ ହୋଇ ପାଣି ସୃଷ୍ଟି କରୁଥିଲା। ତେବେ, କିଛି ଗବେଷଣା କହେ ଯେ ଧୂମକେତୁର ପାଣି ପୃଥ୍ଵୀର ପାଣିଠାରୁ କିଛି ଅଲଗା, କାରଣ ଏଥିରେ ହାଇଡ୍ରୋଜେନର ଆଇସୋଟୋପ ପରିମାଣ ଭିନ୍ନ। ଏହି କାରଣରୁ କେତେକ ବୈଜ୍ଞାନିକ ମାନନ୍ତି ଯେ କ୍ଷୁଦ୍ରଗ୍ରହଗୁଡ଼ିକ ପାଣି ଆଣିବାରେ ଅଧିକ ଭୂମିକା ନେଇଥିଲେ, କାରଣ ସେମାନଙ୍କ ପାଣିର ଗଠନ ପୃଥିବୀର ପାଣି ସହ ଅଧିକ ମେଳ ଖାଏ।
ସମୁଦ୍ର କିପରି ଗଠନ ହେଲା?
ପାଣି ପୃଥିବୀ ଭିତରୁ ଆସିଥାଉ କିମ୍ବା ଅନ୍ତରୀକ୍ଷରୁ, ଏହାର ଜମା ହେବା ଏକ ଦୀର୍ଘ ପ୍ରକ୍ରିୟା ଥିଲା। ପୃଥ୍ଵୀ ଥଣ୍ଡା ହେବା ପରେ, ପୃଷ୍ଠର ତାପମାତ୍ରା ଏତେ କମ ହେଲା ଯେ ପାଣି ତରଳ ରୂପରେ ରହିପାରିଲା। ତା’ପରେ ଏହି ପାଣି ବର୍ଷା ରୂପରେ ପୃଷ୍ଠରେ ଜମା ହେବାକୁ ଲାଗିଲା। ଆରମ୍ଭରେ ପୃଥିବୀ ପୃଷ୍ଠରେ ବଡ଼ ବଡ଼ ଗାତ ଓ ବେସିନ ଥିଲା, ଯାହା ଉଲ୍କାପିଣ୍ଡର ଧକ୍କାରୁ ସୃଷ୍ଟି ହୋଇଥିଲା। ଏହି ଗାତଗୁଡ଼ିକରେ ପାଣି ଜମା ହେବାକୁ ଲାଗିଲା। ଧୀରେ ଧୀରେ ଏହା ସମୁଦ୍ରରେ ପରିଣତ ହେଲା।
Comments are closed.