Latest Odisha News

BREAKING NEWS

ଲୋକସଭାରେ ନିଜ ଆସନକୁ କେବେ ଫେରିବେ ଓମ ବିର୍ଲା ?

ନୂଆଦିଲ୍ଲୀ: ସଂସଦରେ ହଙ୍ଗାମା । ସରକାରୀ ଏବଂ ବିରୋଧୀ ନେତା ମୁହାଁମୁହିଁ । ପ୍ରତିଦିନ ସମାନ ସ୍ଥିତି ।  ଏମିତି ହଙ୍ଗାମା ଭିତରେ ଶେଷ ହେବାକୁ ଯାଉଛି ସଂସଦର ମୌସୁମୀ ଅଧିବେଶନ । ରାଜ୍ୟସଭାରେ ମଧ୍ୟ ସମାନ ସ୍ଥିତି । ଅଧିବେଶନର ୧୨ ଦିନ ବିତିଗଲାଣି । ହେଲେ ସ୍ଥିତି ସୁଧୁରିନି । ବିରୋଧୀ ନିଜ ଜିଦରେ ଅଟଳ । ପ୍ରଧାନମନ୍ତ୍ରୀ ମଣିପୁର ପ୍ରସଙ୍ଗରେ ପାର୍ଲାମେଣ୍ଟରେ ନିଜ ବୟାନ ରଖନ୍ତୁ ଏମିତି ଜିଦରେ ଅଡି ବସିଛନ୍ତି ବିରୋଧୀ । ଲୋକସଭା ସ୍ଥଗିତ ହେବା ଫଳରେ ବିଲ ସବୁ  ପାସ ହୋଇ ନ ପାରି ପଡି ରହୁଛି ।

ସାଂସଦଙ୍କର ଏପରି ବ୍ୟବହାରରେ ବାଚସ୍ପତି ଓମ ବିର୍ଲା ମଧ୍ୟ ଖୁସି ନାହାନ୍ତି  ।  ଅତ୍ୟନ୍ତ କ୍ଷୁବ୍ଧ ହୋଇ ବାଚସ୍ପତି  ଗତକାଲି  ଗୃହ କାର୍ଯ୍ୟରେ ଯୋଗ ଦେଇ ନ ଥିଲେ । ଏପରିକି   ଗୃହର ମର୍ଯ୍ୟାଦା ଅନୁସାରେ ସାଂସଦମାନେ ଆଚରଣ ପ୍ରଦର୍ଶନ ନ କରିବା ଯାଏ ସେ  କାର୍ଯ୍ୟରେ ସାମିଲ ହେବେ ନାହିଁ ବୋଲି ସିଧା ସିଧା କହିଥିଲେ ।

ବିର୍ଲାଙ୍କ ଅନୁପସ୍ଥିତିରେ ପାନେଲରେ ୱାଇଏସଆରସିପି ସଦସ୍ୟ ପିବି ମିଥୁନ ରେଡ୍ଡି ଏବଂ ବିଜେପି ସଦସ୍ୟ କିରୀଟ ସୋଲଙ୍କୀ ଲୋକସଭାରେ ଅଧ୍ୟକ୍ଷତା କରିଥିଲେ । ତେବେ କାହିଁକି ବିରକ୍ତ ହୋଇଥିଲେ ଓମ ବିର୍ଲା ?

-ପ୍ରତିଦିନ କାର୍ଯ୍ୟକାଳ ଆରମ୍ଭ ହେବା ପରେ ସଂସଦରେ ହଙ୍ଗାମା ସ୍ଥିତି ସୃଷ୍ଟି ହୋଇଥାଏ । ଏ ନେଇ ବାଚସ୍ପତି ସାଂସଦଙ୍କୁ ବାରମ୍ବାର ଚେତାବନୀ ଦେବା ସହ ମର୍ଯ୍ୟଦା ରଖିବା ପାଇଁ ଅପିଲ କରିଥିଲେ । ହେଲେ ସଦସ୍ୟମାନେ ତାହା ଶୁଣୁ ନ ଥିବାରୁ କ୍ଷୁବ୍ଧ ହୋଇଥିଲେ ବାଚସ୍ପତି ।

-ସେହିପରି କାର୍ଯ୍ୟକାଳ ସମୟରେ କୌଣସି ସଦସ୍ୟ କହୁଥିବାବେଳେ ତାଙ୍କ ସାମ୍ନାରେ  ପ୍ଲାକାର୍ଡ ହଲାଉଥିବା ଘଟଣାକୁ ନେଇ ମଧ୍ୟ ବାଚସ୍ପତି ବିରକ୍ତ ହୋଇଥିଲେ । ବିରୋଧୀ ସଦସ୍ୟମାନେ ନାରା ଦେବା ସହ କେବଳ ବାଚସ୍ପତିଙ୍କ ଆସନ ପାଖକୁ ଆସି ନ ଥିଲେ, ବରଂ  ମଙ୍ଗଳବାର ସେମାନେ ବାଚସ୍ପତିଙ୍କ ଆସନକୁ ଲକ୍ଷ୍ୟ କରି ପାମ୍ପଲେଟ ଫିଙ୍ଗିଥିଲେ  ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ ବାଚସ୍ପତି ।

ଏ ନେଇ ବାଚସ୍ପତି ନିଜର କ୍ଷୋଭ ଉଭୟ ସରକାରୀ ସଦସ୍ୟ ଏବଂ ବିରୋଧୀଙ୍କୁ ଅବଗତ କରାଇବା ସହ ସଦସ୍ୟମାନେ ନିଜ ମର୍ଯ୍ୟଦା ରକ୍ଷା ନ କରିବା ପର୍ଯ୍ୟନ୍ତ ସେ ଗୃହକୁ ଆସିବେ ନାହିଁ ବୋଲି ସ୍ପଷ୍ଟ କରି ଦେଇଥିଲେ ।

ସୂଚନାଥାଉ କି, ୨୦ ଜୁଲାଇରୁ ଆରମ୍ଭ ହୋଇଥିବା ମୌସୁମୀ ଅଧିବେଶନ ଅଗଷ୍ଟ ୧୭ ତାରିଖ ଯାଏ ଚାଲିବ ।

Comments are closed.