Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ମନ୍ଦିର ଚାରିପଟୁ ଉଚ୍ଛେଦ ମଠର ପୁନଃ ନିର୍ମାଣ କେବେ ?

ପୁରୀ: ଶ୍ରୀକ୍ଷେତ୍ରରେ ଉଜୁଡ଼ିବାରେ ଲାଗିଛି ମଠ ସଂସ୍କୃତି । ଶ୍ରୀମନ୍ଦିର ନୀତିକାନ୍ତି ସହିତ ପୁରାତନ କାଳରୁ ଜଡ଼ିତ ମଠ ଧିରେ ଧିରେ ଲୋପ ପାଉଛି । ଶ୍ରୀମନ୍ଦିର ଚାରିପଟୁ ୭୫ ମିଟର ସୁରକ୍ଷା ଜୋନ୍ ମଧ୍ୟରେ ୧୯ଟି ଐତିହାସିକ ମଠ ଉଚ୍ଛେଦ ହୋଇଥିଲା । ପରିକ୍ରମା ପ୍ରକଳ୍ପ ପାଇଁ ଉତ୍ତରପାର୍ଶ୍ୱ ମଠ, ସାନଛତା ମଠ, ମଙ୍ଗୁ ମଠ, ରେବେସା ମଠ, ତ୍ରୀମାଳି ମଠ, ବଡ ଛତା ମଠ, ଏମାର ମଠ ଆଦିକୁ ଉଚ୍ଛେଦ କରାଯାଇଛି ।

ସେତେବେଳେ ଏସବୁ ମଠର ପୁନଃ ନିର୍ମାଣ ପାଇଁ ସରକାର କଥା ଦେଇଥିଲେ । ଏହି ମଠ ଗୁଡ଼ିକର ପୁନଃ ନିର୍ମାଣ ପାଇଁ ଗତ ଅକ୍ଷୟ ତୃତୀୟାରୁ ଆରମ୍ଭ ହୋଇଥିଲା ଭୂମି ପୂଜନ ପ୍ରକ୍ରିୟା । ପ୍ରଥମ ପର୍ଯ୍ୟାୟରେ ଶ୍ରୀମନ୍ଦିର ଚାରିପଟୁ ଭଙ୍ଗା ଯାଇଥିବା ପାଞ୍ଚଟି ମଠର ପୁନଃ ନିର୍ମାଣ କାର୍ଯ୍ୟ ପାଇଁ ଡିଜାଇନ୍ ଚୂଡ଼ାନ୍ତ ହୋଇଥିବା ବେଳେ ଏବେ ଯାଏଁ କାର୍ଯ୍ୟ ଆରମ୍ଭ ହୋଇନାହିଁ ।

ଅନ୍ୟପଟେ ବୈଦିକ ଯୁଗର ଅନେକ ମଠ ଏବେ ବି ଜବରଦଖଲକାରୀଙ୍କ କବଜାରେ ରହିଛି । ଉଭୟ ଶ୍ରୀମନ୍ଦିର ପ୍ରଶାସନ ଓ ଦେବୋତ୍ତର ବିଭାଗ ନିରବଦ୍ରଷ୍ଟା ସାଜିଥିବା ବେଳେ ବହୁ ପୁରାତନ ବେତଣ୍ଡା ମଠ ସମେତ ଅନେକ ଐତିହ୍ୟ ବହନ କରୁଥିବା ମଠ ବ୍ୟବସାୟିକ ପ୍ରତିଷ୍ଠାନ ପାଲଟିଛି । କିଛି ଅବହେଳିତ ମଠରେ ସଞ୍ଜ ହେଲେ ଅସାମାଜିକଙ୍କ ଆଡ୍ଡା ଜମୁଛି ।

ଜବରଦଖଲ ମୁକ୍ତ କରି ତୁରନ୍ତ ପ୍ରଶାସନ ଅକ୍ତିଆରକୁ ମଠ ଗୁଡ଼ିକୁ ଅଣାଯିବ ବୋଲି କହିଛନ୍ତି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ ଜେନା । ୩୨୦୦ କୋଟିର ଅବଢ଼ା ଯୋଜନାରେ ଥିବା ବିଭିନ୍ନ ପ୍ରକଳ୍ପ ମଧ୍ୟରେ ମଠର ପୁନଃ ନିର୍ମାଣ ଓ ପୁନରୁଦ୍ଧାରକୁ ଅନ୍ତର୍ଭୁକ୍ତ କରାଯାଇଛି । ତଥାପି ଏଥିପ୍ରତି ପ୍ରଶାସନିକ ଉଦାସୀନତାକୁ ସହଜରେ ଗ୍ରହଣ କରି ପାରୁ ନାହାଁନ୍ତି ଲୋକେ ।

Leave A Reply

Your email address will not be published.