Latest Odisha News

ଶ୍ରୀମନ୍ଦିରରେ ସଂସ୍କାର ପ୍ରସଙ୍ଗ: କେବେ କାର୍ଯ୍ୟକାରୀ ହେବ ସୁପ୍ରିମକୋର୍ଟଙ୍କ ଆଦେଶ ?

ପୁରୀ: କୋଟିକୋଟି ହିନ୍ଦୁଙ୍କ ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀଜଗନ୍ନାଥ । ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ପାଇଁ ସେଥିପାଇଁ ହଜାରହଜାର ଭକ୍ତ ଶ୍ରୀମନ୍ଦିରକୁ ଆସିଥାନ୍ତି  । ତେବେ ପୁରୀ ଆସିବା ବେଳେ ଅନେକ ଶ୍ରଦ୍ଧାଳୁ ଭିନ୍ନ ଅଭିଯୋଗ କରିଯାଇଥାନ୍ତି । ଶ୍ରଦ୍ଧାଳୁଙ୍କ ଅଭିଯୋଗ ଆଜିର ନୁହଁ ବର୍ଷ ବର୍ଷର । ଶୃଙ୍ଖଳିତ ଦର୍ଶନ ହେଉ କି  ଦାନଦକ୍ଷିଣା ଏହାକୁ ନେଇ ଅନେକ ଦିନ ଧରି ଚାଲିଛି ବିତର୍କ ।

 ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଏବଂ ସେବାୟତଙ୍କ ଆଚରଣ, ଉଚାରଣରେ ସୁଧାର ଆଣିବା ପାଇଁ ଗତ ତିନିବର୍ଷ ତଳେ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ ଆଦେଶ ଦେଇଥିଲେ। ଏବେ ତାହାର କାର୍ଯ୍ୟକାରୀତାକୁ ନେଇ ଦେଖାଦେଇଛି ଅନିଶ୍ଚିତତା ।   ସୁପ୍ରିମକୋର୍ଟଙ୍କ ଆଦେଶ କାର୍ଯ୍ୟକାରୀ କରିବାକୁ ବିଭିନ୍ନ ମହଲରୁ ଦାବି ହେଉଥିଲେ ମଧ୍ୟ ରାଜ୍ୟ ସରକାର ତାହାକୁ ନେଇ ଦିନ ଗଡ଼ାଇ ଚାଲିଛନ୍ତି । ଏସବୁ କୁ ନେଇ  ଶ୍ରଦ୍ଧାଳୁ ଓ ସେବାୟତ ମାନେ ପ୍ରଶ୍ନ କରିଛନ୍ତି।

ତେବେ ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ ଏବଂ ରତ୍ନଭଣ୍ଡାରର ରତ୍ନ ଅଳଙ୍କାର ଗଣତି  କରିବାକୁ ନେଇ ସର୍ବୋଚ୍ଚ ନ୍ୟୟାଳୟରେ ବିଚାରଧୀନ ଥିବା ଜନସ୍ୱାର୍ଥ ମାମଲାରେ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ ଆମିଅସ କ୍ୟୁରୀଙ୍କୁ ନିଯୁକ୍ତି କରିଥିଲେ। ଆମିକସ କ୍ୟୁରୀ ପୁରୀ ଆସି ଜଗତଗୁରୁ ଶଙ୍କରାଚାର୍ଯ୍ୟ, ଗଜପତି ମହାରାଜା, ମୁଖ୍ୟ ପ୍ରଶାସକ, ଏସପି, ଆଇନ୍ ସଚିବ ଓ ବିଭିନ୍ନ ସେବାୟତ ନିଯୋଗର କର୍ମକର୍ତ୍ତାଙ୍କ ସହ ଆଲୋଚନା କରି ସୁପ୍ରିମକୋର୍ଟରେ ବିସ୍ତୃତ ରିପୋର୍ଟ ଦାଖଲ କରିଥିଲେ।

ତାଙ୍କ ରିପୋର୍ଟକୁ ଆଧାର କରି ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଶୃଙ୍ଖଳିତ ଦର୍ଶନ, ସେବାୟତଙ୍କ ଆଚରଣ ଉଚାରଣରେ ସୁଧାର, ଦାନଦକ୍ଷିଣା ରୋକ୍, ଥାଳିଗରା ହଟାଇବା, ଶ୍ରୀମନ୍ଦିର ଆଇନରେ ଶଂସୋଧନ, ସ୍ଥାୟୀ ମୁଖ୍ୟ ପ୍ରଶାସକ ନିଯୁକ୍ତି, କର୍ମଚାରୀଙ୍କ ସଂଖ୍ୟା ହ୍ରାସ ଓ ଶ୍ରୀମନ୍ଦିର ଆୟଵ୍ୟୟର ଅଡିଟ୍ ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ଆଦେଶ ଦେଇଥିଲେ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ।

 ଏହି ଆଦେଶକୁ ତିନିବର୍ଷ ପୁରିବାକୁ ବସିଲାଣି ପଛେ ରାଜ୍ୟ ସରକାର ତାହାକୁ କାର୍ଯ୍ୟକାରୀ କରିବାରେ ବିଫଳ ହୋଇଛନ୍ତି। ଅନ୍ୟପକ୍ଷରେ ଅଧିକାଂଶ ଆଦେଶକୁ ସେବାୟତ ମାନେ ସ୍ୱାଗତ କରିଥିବା ବେଳେ କିଛି ଆଦେଶକୁ ବିରୋଧ କରିଛନ୍ତି। ଯଥା ସେବାୟତଙ୍କ ବଂଶଗତ ସେବାପୂଜା ଉଚ୍ଛେଦ, ଅନ୍ନଦାନ ଆଟିକା  ଉପରେ ରୋକ୍ ଓ ଶ୍ରୀଜଗନ୍ନାଥ ମନ୍ଦିର ଆଇନରେ ଶଂସୋଧନ।

 ସେପଟେ ମନ୍ଦିରର ସୁପରିଚାଳନା ଏବଂ ମହାପ୍ରଭୁଙ୍କ 60 ହଜାର ଏକରରୁ ଉର୍ଦ୍ଧ୍ବ ଜମି ରେକର୍ଡ ଭୁକ୍ତ କରିବା ପାଇଁ ତୁରନ୍ତ ସ୍ଥାୟୀ ପ୍ରଶାସକ ନିଯୁକ୍ତି କରିବାକୁ ଦାବି ହୋଇଥିବା ବେଳେ ମନ୍ଦିର ଭିତରୁ ଥାଳି,ଗରା ଓ ବାକ୍ସ ହଟାଇ ଅଧିକ ମାତ୍ରାରେ ହୁଣ୍ଡି ସ୍ଥାପନ କରି ସୁପ୍ରିମକୋର୍ଟଙ୍କ ଆଦେଶକୁ କାର୍ଯ୍ୟକାରୀ କରିବାକୁ ସାଧାରଣରେ ଦାବି ହୋଇଛି।

ଅନ୍ୟପଟେ ଶ୍ରୀମନ୍ଦିରକୁ ନିୟମିତ ହଜାର ହଜାର ଭକ୍ତ ଦର୍ଶନ କରିବା ପାଇଁ ଆସୁଥିବା ବେଳେ ସେମାନଙ୍କ ସୁବିଧା ନିମନ୍ତେ ମୋଟର ସାଇକେଲ ଷ୍ଟାଣ୍ଡର ବ୍ୟବସ୍ଥା କରିବା ପାଇଁ ସର୍ବୋଚ୍ଚ ନ୍ୟାୟାଳୟ ଆଦେଶ ଦେଇଥିବା ବେଳେ ତାହା ଆଜି ସୁଦ୍ଧା କାର୍ଯ୍ୟକାରୀ ହୋଇପାରିଲା ନାହିଁ।

ଭକ୍ତମାନେ ମନ୍ଦିର ଚତୁପାର୍ଶ୍ୱରେ  ରାସ୍ତା କଡରେ ମୋଟର ସାଇକେଲ ରଖୁଛନ୍ତି ।  ପୋଲିସ ନାହିଁ ନଥିବା ଜୁଲମ୍ କରିବା ଦେଖିବାକୁ ମିଳୁଛି। ତେଣୁ ତୁରନ୍ତ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଆଦେଶ କାର୍ଯ୍ୟକାରୀ କରି ଭକ୍ତଙ୍କ ସୁବିଧା ନିମନ୍ତେ ଏକ ସ୍ଥାୟୀ ମୋଟରସାଇକେଲ  ଷ୍ଟାଣ୍ଡ ବ୍ୟବସ୍ଥା କରିବାକୁ ସାଧାରଣରେ ଦାବି ହୋଇଛି।

ଅନ୍ୟପଟେ ଶ୍ରୀମନ୍ଦିରରେ ମାତ୍ରାଧିକ କର୍ମଚାରୀ କାର୍ଯ୍ୟ କରୁଥିବାରୁ ସେମାନଙ୍କ ସଂଖ୍ୟା କମାଇବା ସହ ସମସ୍ତ କର୍ମଚାରୀ ଓ ସେବାୟତଙ୍କ ପାଇଁ ପରିଚୟପତ୍ର ବ୍ୟବସ୍ଥା ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ ଆଦେଶ ଦେଇଥିବା ବେଳେ ତାହାକୁ ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ କରିବାକୁ ବିଫଳ ହୋଇଛି ଶ୍ରୀମନ୍ଦିର ପ୍ରଶାସନ।  ଏଥିସହ ପ୍ରତିବର୍ଷ ଆୟବ୍ୟୟର ଅଡିଟ୍ ରିପୋର୍ଟ ସାର୍ବଜନୀନ କରି ସ୍ୱଚ୍ଛତାର ପ୍ରମାଣ ଦେବାକୁ ସାଧାରଣରେ ଦାବି ହୋଇଛି।

ତେବେ ଶ୍ରୀମନ୍ଦିରରେ କେବେ କାର୍ଯ୍ୟକାରୀ ହେବ ସୁପ୍ରିମକୋର୍ଟଙ୍କ ଆଦେଶ ଓ କେବେ ନିଯୁକ୍ତି ହେବେ ସ୍ଥାୟୀ ପ୍ରଶାସକ ଯାହା ଫଳରେ ବିଭିନ୍ନ ସମସ୍ୟାର ସମାଧାନ ହୋଇପାରିବ ତାହା ଦେଖିବାକୁ ବାକି ରହିଲା।

Comments are closed.