Latest Odisha News

ବରିଷ୍ଠ ନାଗରିକମାନଙ୍କ ପାଇଁ ଭତ୍ତାର ପରିମାଣ ବଢ଼ିବ କେବେ?: ତେଜେଶ୍ୱର ପରିଡା

ଭୁବନେଶ୍ୱର: ରାଜ୍ୟ ସରକାର ବଡବର୍ଗ ତଥା ବରିଷ୍ଠ ନାଗରିକଙ୍କୁ ବାରମ୍ବାର ଠକି ଚାଲିଛନ୍ତି । ଆଜି ସେମାନଙ୍କ ଅବସ୍ଥା ଅତ୍ୟନ୍ତ ଦୟନୀୟ । କେଉଁଠି ବୟସ ୬୦ ଅତିକ୍ରମ କରିବାର ଅନେକ ବର୍ଷ ପରେ ମଧ୍ୟ ୫୦୦ଟଙ୍କା ଭତ୍ତା ମିଳୁନି ତ କେଉଁଠି ୮୦ବର୍ଷ ଅତିକ୍ରମର ଅନେକ ବର୍ଷ ପରେ ମଧ୍ୟ ୭ଶହ ଟଙ୍କା ଭତ୍ତା ମିଳୁନାହିଁ ଏଭଳି କିଛି କହି ରାଜ୍ୟ ବିଜେପିର ମୁଖପାତ୍ର ତେଜେଶ୍ବର ପରିଡା ବିଜେପି ଉପରେ ବର୍ଷିଛନ୍ତି।

ଜନସେବା କେନ୍ଦ୍ରରେ ଗରୀବ ଲୋକେ “ଅନ୍‌ଲାଇନ” ଆବେଦନ କରିବା ପରେ ମାସ ମାସ ଓ ବର୍ଷ ବର୍ଷ ଧରି ବ୍ଲକ, ଜିଲ୍ଲା କାର୍ଯ୍ୟାଳୟ ଦୌଡି ଦୌଡି ନୟାନ୍ତ ହୋଇଯାଉଛନ୍ତି । ଆବେଦନ ହେବା ସମୟଠାରୁ ଭତ୍ତା ନମିଳି ୬୦ ବା ୮୦ବର୍ଷ ହେବାର ପ୍ରାୟ ୨ ରୁ ୩ବର୍ଷ ପରେ ମଞ୍ଜୁର ହେବା ସମୟରୁ ଭତ୍ତା ମିଳୁଛି । ହଜାର ହଜାର ବରିଷ୍ଠ ନାଗରିକ ବର୍ଷ ବର୍ଷ ଧରି ସାମାଜିକ ସୁରକ୍ଷା ସହାୟତାରୁ ବଂଚିତ ହେଉଛନ୍ତି । ୮୦ବର୍ଷ ହେବା ପରେ ମଧ୍ୟ ୭ଶହ ଟଙ୍କା ସହାୟତା ଠିକ୍ ସମୟରେ ମିଳୁନାହିଁ  ବୋଲି ବିଜେପି ନେତା ଅଭିଯୋଗ କରିଛନ୍ତି।

ଦୀର୍ଘବର୍ଷ ଧରି ଆବେଦନ ପତ୍ର ପଡି ରହିବା ପରେ ଏବେ ନିର୍ବାଚନ ପୂର୍ବରୁ “ମଧୁବାବୁ ପେନସନ” ହିତାଧିକାରୀଙ୍କ ସଂଖ୍ୟା ବଢ଼ାଇବା କଥା ରାଜ୍ୟ ସରକାରଙ୍କୁ ମନେ ପଡିଲା ମାତ୍ର ଏହି ସହାୟତାର ପରିମାଣ ଅନ୍ୟ ରାଜ୍ୟମାନଙ୍କ ଭଳି ୫ଶହ ବା ୭ଶହରୁ ଯଥେଷ୍ଟ ବୃଦ୍ଧି କରିବା ପାଇଁ ବାରମ୍ବାର ଦାବି ହୋଇ ଆସୁଥିଲେ ମଧ୍ୟ ରାଜ୍ୟ ସରକାର କ୍ରମାଗତ ଭାବରେ ଏଥିପ୍ରତି ଆଖିବୁଜି ଚାଲିଛନ୍ତି ବୋଲି ରାଜ୍ୟ ମୁଖପାତ୍ର ତେଜେଶ୍ୱର ପରିଡା କହିଛନ୍ତି ।

ଓଡ଼ିଶାରୁ ଅନ୍ୟ ରାଜ୍ୟକୁ ଦାଦନ ଶ୍ରମିକଭାବେ ଯାଉଥିବା ଯୁବକ ଯୁବତୀମାନଙ୍କର ବୃଦ୍ଧ/ବୃଦ୍ଧା ପିତାମାତାଙ୍କର ଦାୟିତ୍ୱ ନେବା ପାଇଁ ଘରେ କେହି ନାହାନ୍ତି । ଏଭଳି ଦୟନୀୟ ସ୍ଥିତିରେ ଥିବା ବରିଷ୍ଠ ନାଗରିକମାନଙ୍କର ଭତ୍ତାର ପରିମାଣ ୬୦ ରୁ ୭୯ବର୍ଷ ପର୍ଯ୍ୟନ୍ତ ମାତ୍ର ୫ଶହ ଟଙ୍କା ଓ ୮୦ବର୍ଷରୁ ଊର୍ଦ୍ଧ୍ୱମାନଙ୍କ ପାଇଁ ମାତ୍ର ୭ଶହ ଟଙ୍କା।

ଅନ୍ୟ ରାଜ୍ୟମାନଙ୍କରେ ବରିଷ୍ଠ ନାଗରିକମାନଙ୍କ ପାଇଁ ସହାୟତା ପରିମାଣ ଯଥେଷ୍ଟ ଅଧିକ ହୋଇଥିବାବେଳେ ଓଡ଼ଶାରେ ଏହା ଏତେ କମ୍ କାହିଁକି? ଏଥିପାଇଁ ବିଜେପି ଓ ବିଭିନ୍ନ ବରିଷ୍ଠ ନାଗରିକ ସଂଗଠନମାନେ ବାରମ୍ବାର ଦାବି କରିଆସୁଛନ୍ତି ବୋଲି ଶ୍ରୀ ପରିଡା କହିଛନ୍ତି ।

ସେହିପରି ବରିଷ୍ଠ ନାଗରିକମାନଙ୍କ ପାଇଁ ଓଡ଼ିଶାରେ ‘ରାଜ୍ୟ ବରିଷ୍ଠ ନାଗରିକ ଆୟୋଗ’ ଗଠନ ପାଇଁ ବିଭିନ୍ନ ସମୟରେ ଦାବି ହୋଇ ଆସୁଥିଲେ ମଧ୍ୟ ରାଜ୍ୟ ସରକାର ଏଦିଗରେ ସମ୍ପୂର୍ଣ୍ଣ ନୀରବ ଅଛନ୍ତି ବୋଲି ବିଜେପିର ଏହି ନେତା ଦାବି କରିଛନ୍ତି। ରାଜ୍ୟର ବରିଷ୍ଠ ନାଗରିକମାନଙ୍କର ସାମାଜିକ ସୁରକ୍ଷା ବା ସାମାଜିକ ନିରାପତ୍ତା ପାଇଁ ରାଜ୍ୟ ସରକାର କାହିଁକି ଏତେ ସମ୍ବେଦନହୀନ ବୋଲି ସେ ପ୍ରଶ୍ନ କରିଛନ୍ତି।

Comments are closed.