Latest Odisha News

BREAKING NEWS

କୁଆଡେ ଗଲେ ଭାରତର କୁଖ୍ୟାତ ଗ୍ୟାଙ୍ଗଷ୍ଟର ?

ନୂଆଦିଲ୍ଲୀ: ବିରାପ୍ପାନଠୁ ଆରମ୍ଭ କରି ନିକଟରେ ନିହତ ହୋଇଥିବା ବିକାଶ ଦୁବେ । ଏଭଳି ଅନେକ ଗ୍ୟାଙ୍ଗଷ୍ଟର ଓ ଅପରାଧୀଙ୍କ ଏନ୍ତୁଡିଶାଳ ପାଲଟିଛି ଭାରତ । ଦେବିନ୍ଦର ସିଂ, ବଣ୍ଟି ଓ ନଟୱରଲାଲ ଭଳି ଠକ ତଥା ଚୋରଙ୍କୁ ନେଇ ଫିଲ୍ମ ବି ନିର୍ମାଣ ସରିଛି । ଏପରିକି ତାଜମହଲକୁ ବିକ୍ରୟ କରିବା ଓ ପୋଲିସକୁ ବାରମ୍ବାର ଚକ୍‌ମା ଦେବା ଭଳି ଚାଲାକ ଚୋରଙ୍କର ଭାରତରେ କିଛି ଅଭାବ ନାହିଁ ।

ବିଗତ କିଛିବର୍ଷ ଧରି ଅନେକ କୁଖ୍ୟାତ ଅପରାଧୀଙ୍କୁ ପୋଲିସ ଧରିବାରେ ସଫଳ ହୋଇଥିଲାବେଳେ ଆଉ କିଛି ଖସିଯିବାରେ ସକ୍ଷମ ହୋଇଥିଲେ । ଆଜିର ଅପରାଧ ସ୍ପେଶାଲ ରିପୋର୍ଟରେ ତିନୋଟି କୁଖ୍ୟାତ ଲୁଟେରା ଗ୍ୟାଙ୍ଗ ଉପରେ ଆଲୋକପାତ କରିବା । ଯାହାଙ୍କୁ ପୋଲିସ ଗିରଫ କରିବାରେ ସଫଳ ହୋଇଥିଲା ସତ, ହେଲେ ଆଜି ବି ତାଙ୍କ କାର୍ଯ୍ୟକଳାପର ଛାପ ଦେଖିବାକୁ ମିଳୁଛି ।

ଚଡ୍ଡି ବନିୟାନ୍ ଗ୍ୟାଙ୍ଗ:
ଦେଶର ବିଭିନ୍ନ ପ୍ରାନ୍ତରେ ସକ୍ରିୟ ରହିଛି ଏହି କୁଖ୍ୟାତ ଗ୍ୟାଙ୍ଗ । ଖାସ କରି ସେମାନଙ୍କ ଅଦ୍ଭୁତ ପୋଷାକ ପରିଧାନ ଶୈଳୀ ପାଇଁ ତାଙ୍କୁ ଏପରି ନାମିତ କରାଯାଇଛି । ଏହି ଗ୍ୟାଙ୍ଗର ଚୋରମାନେ ଚଡି ଓ ଗଂଜି ପିନ୍ଧିବା ସହ ପରିଚୟ ଲୁଚାଇବା ପାଇଁ ମୁହଁରେ ମାସ୍କ ଲଗାଇ ଚୋରି କରିଥାନ୍ତି । ଘରେ ପଶି ଏହି ଗ୍ୟାଙ୍ଗ ଲୋକଙ୍କୁ ବାନ୍ଧି ପକାଇ ଲୁଟପାଟ୍ କରିଥାନ୍ତି । ଏହି ଗ୍ୟାଙ୍ଗର ଅଧିକାଂଶ ସଦସ୍ୟଙ୍କୁ ପୋଲିସ ଗିରଫ କରିବାରେ ସଫଳ ହୋଇଥିଲେ ବି କିଙ୍ଗପିନ୍ ଏବେ ବି ଫେରାର ଅଛି ।

ଠକା ଠକ୍ ଗ୍ୟାଙ୍ଗ:
ଚୋରି କରିବାର ଅଭିନବ କଳା ହିଁ ଏହି ଗ୍ୟାଙ୍ଗକୁ ଆଣିଦେଇଥିଲା ଖୁବ କମ୍ ସମୟ ମଧ୍ୟରେ କୁଖ୍ୟାତି । ଗ୍ୟାଙ୍ଗର ସଦସ୍ୟମାନେ ଖାସ କରି କାରରୁ ଚୋରି କରିଥାନ୍ତି । ଗାଡିର ଚାଳକକୁ କୌଣସି ମତେ ବାହାରକୁ ଡାକିବାରେ ସମର୍ଥ ହୋଇଥାନ୍ତି । ପରେ ସେହି ଗାଡିରୁ ଟଙ୍କା ଓ ମୂଲ୍ୟବାନ ସାମଗ୍ରୀ ଧରି ଚମ୍ପଟ୍ ମାରିଥାନ୍ତି । ୨୦୧୮ରେ ରାଜଧାନୀ ଦିଲ୍ଲୀରୁ ଏହି ଗ୍ୟାଙ୍ଗର ମୁଖିଆକୁ ପୋଲିସ ଧରିବାରେ ସଫଳ ହୋଇଥିଲା । ଜଣେ ବ୍ୟବସାୟୀଠାରୁ ନଗଦ ୮ ଲକ୍ଷ ଟଙ୍କା ଲୁଟ୍ କରି ଚମ୍ପଟ୍ ମାରୁଥିବାବେଳେ କହ୍ନୈୟା ଓରଫ ଗୁରୁଜୀକୁ ପୋଲିସ ଗିରଫ କରିଥିଲା ।

ହରିୟାଣାର ମହିଳା ଚେନ୍ ଲୁଟେରା ଗ୍ୟାଙ୍ଗ:
ହରିୟାଣାର କିଛି ବିବାହିତ ମହିଳା ମିଳିତ ଭାବେ ଗଠନ କରିଥିଲେ ଏକ ଲୁଟେରା ଗ୍ୟାଙ୍ଗ । ମହିଳାଙ୍କ ବେକରୁ ଚେନ୍ ଛିଣ୍ଡାଇ ଚମ୍ପଟ୍ ମାରୁଥିବା ଏହି ଗ୍ୟାଙ୍ଗ ଖୁବ ଚର୍ଚ୍ଚା ସାଉଣ୍ଟିଥିଲା । ଏପରିକି ସେହି ମହିଳାମାନେ ନିଜ ସ୍ୱାମୀଙ୍କୁ ମଧ୍ୟ ଏହି କାମରେ ନିୟୋଜିତ କରିଥିଲେ । ରିତା ସୋଲାଙ୍କି ନାମକ ଜଣେ ମହିଳା ଏହି ଗ୍ୟାଙ୍ଗର ଚେରକୁ ହରିୟାଣାରୁ ମୁମ୍ବାଇର ଦାଦର ଓ ପର୍ଯ୍ୟନ୍ତ ଲମ୍ବାଇବାରେ ସଫଳ ହୋଇଥିଲେ । ତେବେ ୨୦୧୮ରେ ପନୱେଲ୍ ଓ ଦାଦର୍‌ରେ ଏହି ଗ୍ୟାଙ୍ଗର ୭ଜଣ ସଦସ୍ୟ ପୋଲିସ ହାତରେ ଧରାପଡିଥିଲେ । ଯାହା ପରେ ପଦାରେ ପଡିଥିଲା ମହିଳା ଲୁଟେରା ଗ୍ୟାଙ୍ଗର ଗୁମର ଫିଟିଥିଲା ।

Leave A Reply

Your email address will not be published.