ନୂଆଦିଲ୍ଲୀ: ଆତଙ୍କୀ ହାଫିଜ୍ ସଇଦକୁ ନେଇ ବଡ଼ ଦାବି କରିଛନ୍ତି NIAର ପୂର୍ବତନ ଡିଜି ୱାଇସି ମୋଦି। ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ, ହାଫିଜ୍ ସଇଦ ପାକିସ୍ତାନ ସରକାର ଓ ISIର ସୁରକ୍ଷାରେ ରହିଛି। କାଗଜପତ୍ରରେ ସେ ପ୍ରିଭେଣ୍ଟିଭ୍ କଷ୍ଟଡିରେ ଥିବା କୁହାଯାଉଥିଲେ ମଧ୍ୟ ତାଙ୍କ ସୁରକ୍ଷା ବ୍ୟବସ୍ଥା ଅତ୍ୟନ୍ତ କଡ଼ା ବୋଲି ୱାଇସି ମୋଦି କହିଛନ୍ତି। ତାଙ୍କ ଦାବି ଅନୁସାରେ, ହାଫିଜ୍ ସଇଦକୁ Z+ ଠାରୁ ମଧ୍ୟ ଅଧିକ ସୁରକ୍ଷା ମିଳୁଛି ଏବଂ ସୁରକ୍ଷା ବଳୟରେ ପାକିସ୍ତାନୀ ରେଞ୍ଜର୍ସଙ୍କ ସହ ଆତଙ୍କୀମାନେ ମଧ୍ୟ ରହୁଛନ୍ତି।
ୱାଇସି ମୋଦି ହାଫିଜ୍ ସଇଦକୁ ୨୬/୧୧ ମୁମ୍ବାଇ ଆତଙ୍କୀ ଆକ୍ରମଣର ମାଷ୍ଟରମାଇଣ୍ଡ ବୋଲି କହିବା ସହ ପହଲଗାମ୍ ଆକ୍ରମଣର ମାଷ୍ଟରମାଇଣ୍ଡ ସାଜିଦ୍ ଜଟ୍କୁ ମଧ୍ୟ ସେ ନିର୍ଦ୍ଦେଶ ଦେଉଥିବା ଦାବି କରିଛନ୍ତି। ତାଙ୍କ ଦାବି ଅନୁସାରେ, ବାହାୱଲପୁର ଓ ମୁରିଦକେରେ ପୁଣି ଆତଙ୍କୀ କ୍ୟାମ୍ପ ସକ୍ରିୟ ହୋଇଛି। ଅପରେସନ୍ ସିନ୍ଦୂର ସମୟରେ ଯେଉଁ ସ୍ଥାନଗୁଡ଼ିକ ଟାର୍ଗେଟ୍ ହୋଇଥିଲା, ସେଗୁଡ଼ିକୁ ପାକିସ୍ତାନ ସରକାର ଓ ସେମାନଙ୍କ ଫ୍ରଣ୍ଟ୍ ଅର୍ଗାନାଇଜେସନ୍ର ସହଯୋଗରେ ପୁଣି ନିର୍ମାଣ କରାଯାଇଥିବା ସେ କହିଛନ୍ତି। ଏହା ପାକିସ୍ତାନର ଆତଙ୍କବାଦ ପ୍ରତି ଆଭିମୁଖ୍ୟକୁ ପଦାରେ ପକାଉଛି ବୋଲି ସେ ଦାବି କରିଛନ୍ତି।
ୱାଇସି ମୋଦିଙ୍କ କହିବା ଅନୁସାରେ, ୨୬/୧୧ ପରେ ଭାରତ ପାକିସ୍ତାନକୁ ହାଫିଜ୍ ସଇଦ, ତାଙ୍କ ପରିବାର, ମାସୁଦ୍ ଆଝାର ଓ ତାଙ୍କ ପରିବାର ସମ୍ପର୍କିତ ଡୋଜିଅର୍ ଦେଇଥିଲା। କିନ୍ତୁ ପାକିସ୍ତାନ ଏନେଇ ଠୋସ୍ ପଦକ୍ଷେପ ନେଇନଥିବା ସେ କହିଛନ୍ତି। ସେ ଆହୁରି କହିଛନ୍ତି ଯେ, NIA ଓ ମୁମ୍ବାଇ ପୁଲିସର ତଦନ୍ତ ପରେ ହାଫିଜ୍ ସଇଦ ବିରୋଧରେ ଚାର୍ଜସିଟ୍ ଦାଖଲ ହୋଇଛି। ଏହି ସୂଚନା ଗୃହ ମନ୍ତ୍ରଣାଳୟ ଓ ପରେ ବୈଦେଶିକ ମନ୍ତ୍ରଣାଳୟ ଜରିଆରେ ପାକିସ୍ତାନକୁ ଔପଚାରିକ ଭାବେ ଦିଆଯିବା ପ୍ରକ୍ରିୟା ରହିଛି ବୋଲି ସେ କହିଛନ୍ତି। ପହଲଗାମ୍ ଆତଙ୍କୀ ଆକ୍ରମଣ ମାମଲାରେ ମଧ୍ୟ NIA ହାଫିଜ୍ ସଇଦର ନାମ ଚାର୍ଜସିଟ୍ରେ ସାମିଲ କରିଛି।

