ନୂଆଦିଲ୍ଲୀ: ଦୁନିଆରେ ଭବିଷ୍ୟତ ଦେଖୁଥିବା ଲୋକଙ୍କ କାହାଣୀ ନୂଆ ନୁହେଁ, କିନ୍ତୁ ଆଶ୍ଚର୍ଯ୍ୟର କଥା ଏହା ଯେ ପ୍ରତି କିଛି ବର୍ଷରେ କେତେକ ନାମ ସବୁ ଚର୍ଚ୍ଚାକୁ ଚିରି ଉପରକୁ ଉଠିଆସେ। ବାବା ଭେଙ୍ଗାଙ୍କ ପରେ ବି ଏପରି ଅନେକ ଭବିଷ୍ୟବକ୍ତା ଉଭା ହୋଇଛନ୍ତି, ଯାହାଙ୍କ କଥା ଆଜି ବି ଲୋକେ ବିଶ୍ୱାସ ଓ ଅବିଶ୍ୱାସର ଦୁଇ ପାଖରେ ବାଣ୍ଟି ଚର୍ଚ୍ଚା କରନ୍ତି। ପ୍ରଶ୍ନ ଏହା ନୁହେଁ ଯେ ସେମାନେ ସତ କହୁଥିଲେ କି ମିଛ, ପ୍ରକୃତ ପ୍ରଶ୍ନ ଏହା ଯେ ସେମାନଙ୍କ କଥା କିପରି ଘଟଣା ସହ ମିଶିଯାଉଛି। ଆସନ୍ତୁ ଜାଣିବା ଏହି କିଛି ଚର୍ଚ୍ଚିତ ନାମ ବିଷୟରେ।
ନସ୍ଟ୍ରାଡାମସ୍
ଷୋଡ଼ଶ ଶତାବ୍ଦୀର ଫ୍ରାନ୍ସ ମହାମାରୀ ଓ ଅଶାନ୍ତିରେ ଭରା ସେହି ସମୟରେ ଜନ୍ମ ନେଇଥିଲେ ନସ୍ଟ୍ରାଡାମସ୍। ତାଙ୍କର ପୁସ୍ତକ ‘Les Prophéties’ ଆଜି ବି ବିଶ୍ୱର ସର୍ବାଧିକ ବିକ୍ରି ହେଉଥିବା ଭବିଷ୍ୟବାଣୀ ଗ୍ରନ୍ଥ ଭାବେ ପରିଚିତ। ସେ ସିଧାସଳଖ ଭବିଷ୍ୟବାଣୀ କରୁ ନ ଥିଲେ, ରୂପକ, ପ୍ରତୀକ ଓ କିଛି ଘଟଣକୁ ନେଇ ଲେଖୁଥିଲେ। ତେଣୁ ଯେତେବେଳେ ବଡ଼ ଯୁଦ୍ଧ, ରାଜନୈତିକ ହଲଚଲ ବା ଅନ୍ୟ ଘଟଣା ଘଟୁଛି, ଲୋକେ ତାଙ୍କ ଲେଖାକୁ ଟାଣି ତା’ ସହ ଯୋଡ଼ି ଦେଖୁଛନ୍ତି।
ବାବା ଭେଙ୍ଗା
ବାବା ଭେଙ୍ଗାଙ୍କୁ ଲୋକେ କେବଳ ଭବିଷ୍ୟବକ୍ତା ନୁହନ୍ତି, ସମୟର ସୀମା ଡେଇଁଯାଇଥିବା ବ୍ୟକ୍ତି ମାନୁଥିଲେ। ୯/୧୧ ଆତଙ୍କବାଦୀ ହମଲା, ବ୍ରେକ୍ସିଟ୍, ସୁନାମି ଆଦି ଅନେକ ଘଟଣାକୁ ନେଇ ତାଙ୍କ ଭବିଷ୍ୟବାଣୀ ବାରମ୍ବାର ଚର୍ଚ୍ଚାକୁ ଆସିଛି। ଲୋକେ କହନ୍ତି, ଭେଙ୍ଗାଙ୍କର ଆଖି ଦେଖୁ ନ ଥିଲା, କିନ୍ତୁ ଅନୁଭବ ଏତେ ଗଭୀର ଥିଲା ଯେ ସେ ଅନୁଭବ କରି ଉତ୍ତର ଦେଇ ପାରୁଥିଲେ। ଆଜି ବି ତାଙ୍କ ନାମରେ ଡକ୍ୟୁମେଣ୍ଟାରୀ, ଗବେଷଣା ଓ ତର୍କ ଜାରି ରହିଛି।
ରେୟୋ ତତ୍ସୁକି (ଜାପାନ)
ଜାପାନର ରେୟୋ ତତ୍ସୁକି ସେହି ଭବିଷ୍ୟବାକ୍ତାଙ୍କ ମଧ୍ୟରେ ଅନ୍ୟତମ, ଯାହାଙ୍କୁ ସ୍ୱପ୍ନରେ ଭବିଷ୍ୟତ ଘଟଣା ସ୍ପଷ୍ଟ ଦେଖାଯାଏ। ଏସିଆରେ ଆସିଥିବା ସୁନାମି, ଭୂମିକମ୍ପ ଓ ରାଜନୈତିକ ସଙ୍କଟକୁ ନେଇ ତାଙ୍କ ଭବିଷ୍ୟଦ୍ୱାଣୀ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ରେୟୋ ଏହାକୁ ଚମତ୍କାର ନ କହି ‘ସମ୍ବେଦନଶୀଳ ଚେତାବନୀ’ ବୋଲି କହନ୍ତି। ସେ ବିଶ୍ୱାସ କରନ୍ତି ଭବିଷ୍ୟତ ବଦଳାଇ ହୋଇପାରେ, ତେଣୁ ଲୋକେ ତାଙ୍କ କଥାକୁ ଭୟ ନ କରି ଚେତାବନୀ ରୂପେ ଗ୍ରହଣ କରନ୍ତି।
ଏଡଗର କେସି (ଆମେରିକା)
ଆମେରିକାର ‘ସ୍ଲିପିଙ୍ଗ ପ୍ରଫେଟ’ ଏଡଗର କେସି ଗଭୀର ନିଦରେ ଯାଇ ପ୍ରଶ୍ନର ଉତ୍ତର ଦେଇ ପାରୁଥିଲେ। ସେ କହୁଥିଲେ ଏହି ଅବସ୍ଥାରେ ତାଙ୍କର ଅବଚେତନ ମନ ‘ସୂଚନାର ସ୍ରୋତ’ ସହ ଯୋଡ଼ି ହୋଇଯାଏ। ରୋଗ, ରାଜନୀତି, ବିଶ୍ୱ ପରିବର୍ତ୍ତନ—ହଜାର ହଜାର ଭବିଷ୍ୟବାଣୀ ରେକର୍ଡ କରିଛନ୍ତି ଏବଂ ଅନେକ ତା’ ସହ ମିଶିଯାଇଛି।
ଜୁନିଅର ଜଷ୍ଟିନ (ବ୍ରାଜିଲ)
ବ୍ରାଜିଲର ଯୁବ ଭବିଷ୍ୟବାକ୍ତା ଜୁନିଅର ଜଷ୍ଟିନଙ୍କ ଦାବି—ତାଙ୍କୁ ସ୍ୱପ୍ନରେ ଭବିଷ୍ୟତ ଘଟଣା ଏତେ ସ୍ପଷ୍ଟ ଓ କ୍ରମାନୁସାରେ ଦେଖାଯାଏ ଯେ ସେ ତାରିଖ, ସମୟ ଓ ଦିଗ ପର୍ଯ୍ୟନ୍ତ କହିଦିଅନ୍ତି। ଅର୍ଥନୀତି, ପ୍ରାକୃତିକ ବିପଦ ଓ ବିଶ୍ୱ ସଂଘର୍ଷକୁ ନେଇ ତାଙ୍କ ଭବିଷ୍ୟବାଣୀ ବ୍ରାଜିଲରୁ ଇଉରୋପ ପର୍ଯ୍ୟନ୍ତ ଚର୍ଚ୍ଚାରେ ରହୁଛି।
ଏହି ସବୁ ନାମ ଆଜିର ଡିଜିଟାଲ ଯୁଗରେ ବି ଲୋକଙ୍କ ମନରେ କୌତୂହଳ ଜନ୍ମାଉଛନ୍ତି। ସତ ହେଉ ବା ସଂଯୋଗ—ଏମାନଙ୍କ କଥା ଆମକୁ ଭାବିବାକୁ ବାଧ୍ୟ କରୁଛି ଯେ ଭବିଷ୍ୟତ କ’ଣ ପୂରାପୂରୀ ଅଜଣା ନୁହେଁ କି?