Latest Odisha News

BREAKING NEWS

କିଏ ହେବେ ୨୦୨୯ରେ ବିଜେପିର ପ୍ରଧାନମନ୍ତ୍ରୀ ଚେହେରା? ଚର୍ଚ୍ଚାରେ… 

ଭୁବନେଶ୍ୱର: ବିଜେପି ଖୋଜୁଛି ବିକଳ୍ପ ନେତୃତ୍ୱ। କିଏ ହେବେ ୨୦୨୯ରେ ବିଜେପିର ପ୍ରଧାନମନ୍ତ୍ରୀ ଚେହେରା? ନରେନ୍ଦ୍ର ମୋଦି ନା ଆଉ କିଏ? ଏବେଠୁ ଆରମ୍ଭ ହେଲାଣି ଚର୍ଚ୍ଚା। କୁହାଯାଉଛି ନରେନ୍ଦ୍ର ମୋଦିଙ୍କ ସ୍ଥାନରେ ଆଉ କିଏ ହୋଇପାରନ୍ତି ପ୍ରଧାନମନ୍ତ୍ରୀ ଚେହେରା।

ଲୋକସଭା ନିର୍ବାଚନରେ ଘୋର୍ ବିପର୍ଯ୍ୟୟ ପରେ କିଛି ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନ ବିଜେପିକୁ ବଳ ଦେଇଛି। ୨୦୨୪ ଲୋକସଭା ନିର୍ବାଚନରେ ବିଜେପି ୨୪୦ ଆସନ ପାଇଛି। ଯାହା ସବୁ ସର୍ଭେ ଓ ବିଜେପିର ଆକଳନ ଠାରୁ ସଂଖ୍ୟା ଢେର କମ। ଏହାରି ଭିତରେ ୨୦୨୯ ଲୋକସଭା ନିର୍ବାଚନରେ ବିଜେପିର ନେତୃତ୍ୱକୁ ନେଇ ଏବେ ଠାରୁ ମୃଦୁ ଆଲୋଚନା ଆରମ୍ଭ ହେଲାଣି। ଆଉ ମହାରାଷ୍ଟ୍ର ନିର୍ବାଚନ ପରେ ଏହି ଆଲୋଚନା ଧିରେଧିରେ ବଢ଼ିବାରେ ଲାଗିଛି। କାରଣ ମହାରାଷ୍ଟ୍ର ନିର୍ବାଚନ ବିଜେପି ପାଇଁ ଖୁବ୍ ସମ୍ମାନର ବିଷୟ ଥିଲା। ସମସ୍ତେ ଭାବୁଥିଲେ ଇଣ୍ଡିଆ ମେଣ୍ଟ ଲୋକସଭା ନିର୍ବାଚନରେ ଯେଉଁଭଳି ଭାବେ ଚମକାଇଲା ଭଳି ପ୍ରଦର୍ଶନ କରିଥିଲା ତାହା ବିଧାନସଭା ନିର୍ବାଚନରେ ମଧ୍ୟ ପ୍ରତିଫଳନ ହେବ। ହେଲେ ଦେବେନ୍ଦ୍ର ଫଣ୍ଡନାଭିସଙ୍କ ନେତୃତ୍ୱରେ ବିଜେପି ମହାରାଷ୍ଟ୍ରରେ ଯେଉଁଭଳି ପ୍ରଦର୍ଶନ କଲା ତାହା ସମସ୍ତଙ୍କୁ ଚକିତ କରାଇଛି। ଏବେ ଫଣ୍ଡନାଭିସ ଜାତୀୟ ସ୍ତରରେ ଏକ ବଡ଼ ଭୂମିକାରେ ଆସିପାରନ୍ତି ବୋଲି ଅନେକ ରାଜନୈତିକ ସମୀକ୍ଷକମାନେ ଆଲୋଚନା କରୁଛନ୍ତି।

ନିକଟରେ ନାଗପୁରରେ ମୁଖ୍ୟମନ୍ତ୍ରୀ ଭାବେ ଫଣ୍ଡନାଭିସଙ୍କୁ ଜୋରଦାର ଭବ୍ୟ ସ୍ୱାଗତ କରାଯାଇଥିଲା। ଫଣ୍ଡନାଭିସଙ୍କ ନେତୃତ୍ୱଙ୍କୁ ସମସ୍ତେ ପ୍ରଶଂସା ମଧ୍ୟ କରୁଛନ୍ତି। ଶପଥ ଗ୍ରହଣ ସମୟରେ ଆଜାଦ ମୈଦାନରେ ମଧ୍ୟ ଫଣ୍ଡନାଭିସଙ୍କ ସମର୍ଥନରେ ଲୋକଙ୍କ ମଧ୍ୟରେ ଖବ୍ ଉତ୍ସାହ ଦେଖାଯାଇଥିଲା। ଏଥିରୁ ସ୍ପଷ୍ଟ ସଙ୍କେତ ମିଳୁଛି ଯେ ଫଣ୍ଡନାଭିସ ଆଗାମୀ ଦିନରେ ଜାତୀୟ ରାଜନୀତିରେ ପାଦ ଦେଇପାରନ୍ତି।

ଅନ୍ୟପଟେ ରାଜନୈତିକ ସମୀକ୍ଷକ ଦୟାନନ୍ଦ ନେନେ କହିଛନ୍ତି ଯେ ଫଣ୍ଡନାଭିସଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହ ମନ୍ତ୍ରୀ ଅମିତ ଶାହଙ୍କ ସମେତ ଆରଏସଏସ ଓ ନୀତିନ ଗଡ଼କରୀ ମଧ୍ୟ ସମର୍ଥନ କରୁଛନ୍ତି। ନେନେ ଆହୁରି କହିଛନ୍ତି ଯେ ଆଗାମୀ ଦିନରେ ଜାତୀୟ ରାଜନୀତିରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଣ୍ଡନାଭିସଙ୍କୁ ବଡ଼ ଦାୟିତ୍ୱ ମିଳିପାରେ। ଯଦିଓ ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି, ୨୦୨୯ରେ ମୋଦି ପ୍ରଧାନମନ୍ତ୍ରୀ ଚେହେରା ହେବେ ହେଲେ ଦଳ କୁଆଡ଼େ ଭିତରେ ଭିତରେ ବିକଳ୍ପ ନେତୃତ୍ୱ ଖୋଜୁଛି ବୋଲି ସମୀକ୍ଷକମାନେ କହୁଛନ୍ତି।

ଦେବେନ୍ଦ୍ର ଫଣ୍ଡନାଭିସଙ୍କୁ ଆରଏସଏସର ଅଧିକ ସମର୍ଥନ ରହିଛି। ଏହାସହ ଫଣ୍ଡନାଭିସ ମଧ୍ୟ ହିନ୍ଦୁତ୍ୱ ଉପରେ ଅଧିକ ଜୋର ଦେଇଥାନ୍ତି। ୨୦୨୪ରେ ବିଜେପିର ବିପର୍ଯ୍ୟୟ ଏବଂ ପରେ ମହାରାଷ୍ଟ୍ରରେ ବିପୁଳ ବିଜୟ ଜାତୀୟ ରାଜନୀତିରେ ଫଣ୍ଡନାଭିସଙ୍କ ସ୍ଥିତିକୁ ଆହୁରି ମଜବୁତ କରିଛି। ୨୦୨୯ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ, ସାଧାରଣ ନିର୍ବାଚନ ପରେ ଅନୁଷ୍ଠିତ ହେବ। ଯାହା ଫଣ୍ଡନାଭିସଙ୍କ ପାଇଁ ଫାଇଦା ଦେବ ବୋଲି କୁହାଯାଉଛି। ପୂର୍ବରୁ ମଧ୍ୟ ଫଣ୍ଡନାଭିସଙ୍କ ନାଁକୁ ନେଇ ଅନେକ ଥର ଚର୍ଚ୍ଚା ହୋଇଛି। ୨୦୧୪ ନିର୍ବାଚନ ସମୟରେ ମଧ୍ୟ ପ୍ରଧାନମନ୍ତ୍ରୀ ଚେହେରା ଭାବେ ଫଣ୍ଡନାଭିସଙ୍କ ନାଁକୁ ଅନେକ ବିଜେପିର ବରିଷ୍ଠ ନେତା ସାମ୍ନାକୁ ଆଣିଥିଲେ। ଏଭଳି ସ୍ଥିତିରେ ୨୦୨୯ ନିର୍ବାଚନରେ ଜାତୀୟ ସ୍ତରରେ ଫଣ୍ଡନାଭିସଙ୍କ ଭୂମିକା ଉପରେ ସମସ୍ତଙ୍କର ନଜର ରହିଛି।

Comments are closed.