Latest Odisha News

ଇଡି ହାତରେ ଅର୍ଚ୍ଚନାଙ୍କ କାର, ଏବେ ସାମ୍ନାକୁ ଆସିବ କିଏ ଦେଇଥିଲେ ଗାଡି କିଣିବାକୁ ପଇସା?

ଭୁବନେଶ୍ୱର: ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲା ନିଜ ହାତକୁ ନେବା ପରେ ପ୍ରାଥମିକ ଭାବେ ତିନୋଟି ଦିଗକୁ ଗୁରୁତ୍ୱ ଦେଇଥିଲେ  ଇଡି ଅଧିକାରୀ। ପ୍ରଥମେ ଶ୍ରଦ୍ଧାଞ୍ଜଳି, ଦ୍ବିତୀୟରେ ଖଗେଶ୍ବର ଏବଂ ତୃତୀୟରେ ନିଖୋଜ ଥିବା ଅର୍ଚ୍ଚନାଙ୍କ ଧଳା ରଙ୍ଗର ଫୋର୍ଡ ଏଣ୍ଡେଭର କାର। ୧୫ ଦିନ ମଧ୍ୟରେ ଇଡି ଏବେ ଶ୍ରଦ୍ଧାଞ୍ଜଳିକୁ ଛାଡି ଦେଲେ ଖଗେଶ୍ବରକୁ ଗିରଫ କରିବାରେ ସଫଳ ହୋଇଛି। ସେହିପରି ବିଳମ୍ବିତ ରାତିରେ ଫୋର୍ଡ କାରଟିକୁ ଜବତ କରିଛି। ଏବେ ଇଡି ଟାର୍ଗେଟରେ ନିଖୋଜ ଥିବା ଶ୍ରଦ୍ଧାଞ୍ଜଳି, ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ ଜେରା କରିବା ଏବଂ ସେହି ବ୍ୟକ୍ତି ଯିଏ ଅର୍ଚ୍ଚନାଙ୍କ ପାଇଁ ଟଙ୍କା ଖର୍ଚ୍ଚ କରୁଥିଲେ ବା ଉପହାର ଦେଉଥିଲେ।

BjdElectrycity

ଫୋର୍ଡ ଏଣ୍ଡେଭର କାର ରାଜଧାନୀ ଉପକଣ୍ଠ ମଞ୍ଚେଶ୍ବରରେ ଥିବା କ୍ୟାପିଟାଲ ଫୋର୍ଡ ସୋରୁମରୁ କିଣିଥିଲେ ଅର୍ଚ୍ଚନା। ଏବେ ଇଡି ଟାର୍ଗେଟରେ ସେହି ବ୍ୟକ୍ତି ଯିଏ ଏହି କାର କିଣିବାକୁ ଅର୍ଚ୍ଚନାଙ୍କୁ ଲକ୍ଷ ଲକ୍ଷ ଟଙ୍କା ଦେଇଥିଲେ ବୋଲି କୁହାଯାଉଛି। ଇଡି ତଦନ୍ତ କରି ଅର୍ଚ୍ଚନାଙ୍କର ଏକ ମହିନ୍ଦ୍ରା ଥର କାରକୁ ଜବତ କରିସାରିଛି। ପୂର୍ବରୁ ଦୁଇଟି ଦାମୀ କାର ମଧ୍ୟ ଅର୍ଚ୍ଚନା ବିକ୍ରି କରିସାରିଥିବା ଜଣାପଡିଛି। ହେଲେ କାହାକୁ ସେହି ଦୁଇ କାର ବିକ୍ରି କରିଛନ୍ତି ସେ ନେଇ ତଦନ୍ତ କରୁଛି ଇଡି। ନିଖୋଜ ଥିବା ଫୋର୍ଡ କାର ମିଳିଲେ ଅନେକ ଗୁମର ଫିଟିବ ବୋଲି ଇଡି ଅଧିକାରୀ କହିଥିଲେ। ତେଣୁ ଇଡିର ସନ୍ଦେହୀ ଆଖି ଉପହାର ଦେଇଥିବା ବ୍ୟକ୍ତିଙ୍କ ଉପରେ ରହିଛି।

ଶୁକ୍ରବାର ଇଡି ସୋରୁମ ମାଲିକଙ୍କ ପୁଅକୁ ଜେରା କରିଥିଲା। ଏହି ସମୟରେ କାର କିଣିବାର ବିଭିନ୍ନ କାଗଜପତ୍ର ଇଡି ଅଧିକାରୀଙ୍କୁ ସୋରୁମ ମାଲିକ ଦେଇଥିବା ସୂଚନା ରହିଛି। ହେଲେ ସୋରୁମ ମାଲିକ କାହିଁକି ନଗଦ ଟଙ୍କାରେ କେଉଁ ଉଦ୍ଦେଶ୍ୟରେ କାରଟିକୁ ବିକ୍ରି କରିଥିଲେ ତାହା ଏବେ ପ୍ରଶ୍ନ ଘେରରେ? ଇଡି ଏବେ କାରଟିକୁ ଜବତ କରିଥିବାରୁ ଆଗାମୀ ସମୟରେ ପୁଣିଥରେ ସୋରୁମ ମାଲିକଙ୍କୁ ଜେରା କରିପାରେ।

ଏହାପରେ ସୂଚନା ଦେଇ ଇଡି ଅଧିକାରୀ କହିଥିଲେ, ଜଣେ ରାଜନେତା ଏହି କାର କିଣିବାକୁ ଟଙ୍କା ଦେଇଥିଲେ। ତେଣୁ ଏବେ ପ୍ରଶ୍ନ ଉଠିଛି କିଏ ଏହି ବ୍ୟକ୍ତି ଯିଏ ଅର୍ଚ୍ଚନାଙ୍କୁ ଟଙ୍କା ଦେଇଥିଲେ। କେଉଁ କାରଣ ପାଇଁ ଏବଂ କେଉଁ ସ୍ବାର୍ଥରେ ତାହା ଏବେ ବିରାଟ ପ୍ରଶ୍ନ ଛିଡା କରିଛି। କାରଣ ବ୍ୟକ୍ତିଗତ ଉପହାର ଅପେକ୍ଷା ଅର୍ଚ୍ଚନାଙ୍କ ନାଁରେ ମାନବ ଚାଲାଣ ଭଳି ଅପରାଧିକ ମାମଲା ରୁଜୁ କରିଛି ପୋଲିସ। ଏପରି ସ୍ଥିତିରେ ଏହି ବ୍ୟକ୍ତିଙ୍କ କ୍ଷେତ୍ରରେ ଅର୍ଚ୍ଚନା ବଳ ପାଇଁ ମାନବ ଚାଲାଣ କରୁନଥିଲେ ତ?

ଏହି ମାମଲାରେ ଗିରଫ ହୋଇ ରିମାଣ୍ଡରେ ଥିବା ଅନ୍ୟତମ ଅଭିଯୁକ୍ତ ଖଗେଶ୍ବର ଜେରା ବେଳେ ପୁଲିସକୁ ଅନେକ ସୂଚନା ଦେଇଛି। କାର ମିଳିଥିବାରୁ ଇଡି ଖଗେଶ୍ବରକୁ ଆଉ ଥରେ ରିମାଣ୍ଡରେ ନେଇପାରେ। ସେହିପରି ଅର୍ଚ୍ଚନା ଓ ଖଗେଶ୍ବରକୁ ଝାରପଡା ଜେଲରେ ଇଡି ଜେରା କରିପାରେ।

ଉଲ୍ଲେଖଯୋଗ୍ୟ, ଏହାରି ଭିତରେ ଇଡି କୁଆଡେ ୧୨ ଜଣଙ୍କୁ ସମନ୍ କରିଥିବା ସୂଚନା ରହିଛି। ହେଲେ କାହାକୁ ସମନ ହୋଇଛି ସେ ନେଇ ସୂଚନା ମିଳିପାରିନାହିଁ। କିନ୍ତୁ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିବା ଖବର ଅନୁଯାୟୀ ଅନେକ ବିଧାୟକ ମଧ୍ୟ ହନିଟ୍ରାପ କେସରେ ରହିଛନ୍ତି।

Leave A Reply

Your email address will not be published.