Latest Odisha News

BREAKING NEWS

ମଙ୍କିପକ୍ସର ପ୍ରଥମ ଟିକାକୁ ମିଳିଲା ‘ହୁ’ ର ଗ୍ରୀନ୍ ସିଗନାଲ

ନୂଆଦିଲ୍ଲୀ: ଗତ କିଛି ଦିନ ଧରି ବିଶ୍ଵରେ ଆତଙ୍କ ଖେଳାଉଥିବା ମଙ୍କିପକ୍ସକୁ ନେଇ ଆସିଛି ଏକ ବଡ ଖବର । ମଙ୍କିପକ୍ସର ପ୍ରଥମ ଟିକାକୁ ମିଳିଲା ‘ହୁ’ ର ଅନୁମୋଦନ । ମଙ୍କିପକ୍ସର ପ୍ରଥମ ଟିକା ‘ବଭାରିଆନ୍ ନର୍ଡ଼ିକ୍’ କୁ ଗ୍ରୀନ୍ ସିଗନାଲ୍ ଦେଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ମଙ୍କିପକ୍ସ ରୋଗୀଙ୍କ କ୍ଷେତ୍ରରେ ବ୍ୟବହାର ପାଇଁ ଏହି ଟିକାକୁ ପ୍ରାକ୍-ଯୋଗ୍ୟତା ଶ୍ରେଣୀରେ ଅନ୍ତର୍ଭୁକ୍ତ କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ଏନେଇ ସୂଚନା ଦେଇଛନ୍ତି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମହାନିର୍ଦ୍ଦେଶକ ଡକ୍ଟର ଟେଡ୍ରୋସ୍ ଆଡାନୋମ୍ ଗେବ୍ରିୟସସ୍ ।

ଏହି ଟିକାକୁ ସ୍ମଲପକ୍ସ, ମଙ୍କିପକ୍ସ ଏବଂ ଏହା ସମ୍ବନ୍ଧୀୟ ଅର୍ଥୋପକ୍ସ ଭାଇରସ୍ ଇନଫେକ୍ସନରେ ପୀଡିତ ରୋଗୀଙ୍କ ଠାରେ ବ୍ୟବହାର କରାଯିବ । ୧୮ ବର୍ଷରୁ ଅଧିକ ବୟସର ସମସ୍ତ ବ୍ୟକ୍ତି ଏହି ଟିକା ନେଇପାରିବେ। ପ୍ରଥମ ଟିକାର ୪ ସପ୍ତାହ ପରେ ଦ୍ଵିତୀୟ ଡୋଜ୍ ଟିକା ଦିଆଯିବ।

ମଙ୍କିପକ୍ସ ଏକ ଭୂତାଣୁ ଜନିତ ସଂକ୍ରାମକ ରୋଗ । ମଙ୍କିପକ୍ସର ଲକ୍ଷଣ ଚିକେନପକ୍ସ ଭଳି ସମାନ । ସଂକ୍ରମିତ ବ୍ୟକ୍ତିଙ୍କ ଶରୀରରେ ନାଲି ଦାଗ ଓ ଫୋଟକା ଭଳି ଫଳିଯାଏ । ଜ୍ବର, ମୁଣ୍ଡବିନ୍ଧା, ମାଂସପେଶୀ ଯନ୍ତ୍ରଣା, ଥକ୍କା ଅନୁଭବ ହୁଏ । ଲକ୍ଷଣ ସବୁ ୨ରୁ ୫ ଦିନ ପର୍ଯ୍ୟନ୍ତ ଦେଖାଯାଏ । ରୋଗୀ ବ୍ୟବହାର କରୁଥିବା ଜିନିଷ ମାଧ୍ଯମରେ ଭୂତାଣୁ ବ୍ୟାପିଥାଏ । ଭୂତାଣୁ ସଂସ୍ପର୍ଶରେ ଆସିବାର ପ୍ରାୟ ୧୦ ଦିନ ପରେ ରୋଗ ଆରମ୍ଭ ହୋଇଥାଏ ।

Comments are closed.