ଓଡ଼ିଶା ସମ୍ବାଦ ବ୍ୟୁରୋ : ବଙ୍ଗୀୟ ନାୟିକା ଅର୍ପିତା ମୁଖାର୍ଜୀଙ୍କ ଘରୁ ନଗଦ ୨୦ କୋଟି ଟଙ୍କା ପାଇଛି ଇଡି । ଏହି ମାମଲାରେ ପଶ୍ଚିମବଙ୍ଗର ହେବିୱେଟ ନେତା ତଥା ମନ୍ତ୍ରୀ ପାର୍ଥ ଚାଟାର୍ଜୀ ଇଡି ଦ୍ୱାରା ଗିରଫ ହୋଇଛନ୍ତି। ପାଖାପାଖି ୨୬ ଘଣ୍ଟାର ମାରାଥନ ଜେରାର ସାମ୍ନା କରିବା ପରେ ଅର୍ପିତା ଗିରଫ ହୋଇଛନ୍ତି।
ଅର୍ପିତାଙ୍କର ଶାସକ ଦଳ ଟିଏମସି ସହ ସଂପୃକ୍ତି ଅଭିଯୋଗକୁ ଦଳ ଅସ୍ୱୀକାର କରିଛି। ଅନ୍ୟପଟେ ଅର୍ପିତାଙ୍କର ବଡ ବଡ ବିଜ୍ଞାପନ ଦୂର୍ଗା ପୂଜା ବେଳେ ପଶ୍ଚିମବଙ୍ଗରେ ଦେଖିବାକୁ ମିଳେ। ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ ବିଜ୍ଞାପନ ସଂପର୍କିତ ଲିଙ୍କ୍ ସାମ୍ନାକୁ ଆଣିବା ପରେ ଏବେ ଅର୍ପିତାଙ୍କ ଓଲିଉଡ ଲିଙ୍କ୍ ସାମ୍ନାକୁ ଆସିଛି। ଅର୍ପିତା ବଙ୍ଗଳା, ଓଡ଼ିଆ, ତାମିଲ ଫିଲ୍ମରେ ଅଭିନୟ କରିଥିବା ସୂଚନା ରହିଛି।
ମିଳିଥିବା ସୂଚନା ଅନୁଯାୟୀ ଅର୍ପିତା ଓଲିଉଡରେ ୭ଟି ଫିଲ୍ନରେ ଅଭିନୟ କରିଛନ୍ତି । ଚଳିତବର୍ଷ ଅର୍ପିତା ବେଙ୍ଗଲି ଫିଲ୍ମ ‘ପାର୍ଟନର’ରେ ଅଭିନୟ କରିଥିଲେ । ୨୦୦୮ରେ ଅର୍ପିତା ଓଡ଼ିଆ ଫିଲ୍ମ ‘ବନ୍ଦେ ଉତ୍କଳ ଜନନୀ’ ଜରିଆରେ ଅଭିନୟ ଜଗତରେ ପ୍ରବେଶ କରିଥିଲେ । ଅର୍ପିତାଙ୍କ ସହ ସବ୍ୟସାଚୀ ମିଶ୍ର, ସିଦ୍ଧାନ୍ତ ମହାପାତ୍ର, ହର ରଥ, ମୀନକେତନ ଆଦି କଳାକାରମାନେ ଏହି ଫିଲ୍ମରେ ଅଭିନୟ କରିଥିଲେ ।
ଏହାପରେ ୨୦୦୯ରେ ସେ ‘ପ୍ରେମରୋଗୀ’ ଚଳଚ୍ଚିତ୍ରରେ ଖଳନାୟିକା ଭୂମିକାରେ ଅଭିନୟ କରିଥିଲେ । ଏହି ଫିଲ୍ମରେ ନାୟକ ଥିଲେ ବୁଦ୍ଧାଦିତ୍ୟ ମହାନ୍ତି ଏବଂ ନାୟିକା ଭୂମିକାରେ ବର୍ଷା ପ୍ରିୟଦର୍ଶିନୀ ଅଭିନୟ କରିଥିଲେ । ବବି ମିଶ୍ର, ସିଦ୍ଧାନ୍ତ ମହାପାତ୍ର, ସବ୍ୟସାଚୀ ମିଶ୍ର, ପିଣ୍ଟୁ ନନ୍ଦ ଆଦି କଳାକାରମାନେ ଏହି କଥାଚିତ୍ରଟିରେ ଅଭିନୟ କରିଥିଲେ ।
୨୦୧୦ରେ ସେ ଅନୁଭବ ମହାନ୍ତିଙ୍କ ସହ ‘ମୁଁ କଣ ଏତେ ଖରାପ’ରେ ନାୟିକା ଭାବରେ ଅଭିନୟ କରିଥିଲେ । ଏହି ଫିଲ୍ମରେ ମିହିର ଦାସ, ବିଜୟ ମହାନ୍ତି, ସ୍ମିତା ମହାନ୍ତି, ହରିହର ମହାପାତ୍ର ଆଦି କଳାକାରମାନେ ଅଭିନୟ କରିଥିଲେ ।
ଏହାପରେ ଅର୍ପିତା ସବ୍ୟସାଚୀଙ୍କ ସହ ‘ତୋର ମୋର ଯୋଡ଼ି ସୁନ୍ଦର’, ‘କେମିତି ଏ ବନ୍ଧନ’ ଏବଂ ଆକାଶ ଦାସନାୟକଙ୍କ ସହ ‘ରାଜୁ ଆୱାରା’ରେ ଅଭିନୟ କରିଥିଲେ । ଏଥିସହ ସେ ‘ଜୋର ଯାର୍ ମୁଲକ୍ ତାର୍’, ‘ମାମା ଭାଗନେ’ ଆଦି ବଙ୍ଗଳା ଫିଲ୍ମରେ ଅଭିନୟ କରିଥିଲେ । ଅର୍ପିତା ତାମିଲ ଫିଲ୍ମ ‘ଚିନ୍ନାମା ଲଭ୍’ରେ ଅଭିନୟ କରିଥିଲେ ।
Comments are closed.