ନୂଆଦିଲ୍ଲୀ : ୱାର୍ଲ୍ଡ ଚେସ ଚାମ୍ପିୟନଶିପରେ ଭାରତର ଡି.ଗୁକେଶ ଚାମ୍ପିୟନ ହୋଇ ନିଜ ନାମ ସ୍ୱର୍ଣ୍ଣିମ ଅକ୍ଷରରେ ଲିପିବଦ୍ଧ କରିଛନ୍ତି । ସେ ସାଜିଛନ୍ତି ଭାରତ ନୂଆ ବିଶ୍ୱନାଥନ ଆନନ୍ଦ । ଫାଇନାଲରେ ଗତ ସଂସ୍କରଣର ଚାମ୍ପିୟନ ଚୀନର ଡିଙ୍ଗ ଲିରେନଙ୍କୁ ସେ ପରାଜିତ କରିଥିଲେ । ମାତ୍ର ୧୮ ବର୍ଷରେ ସେ ସର୍ବକନିଷ୍ଠ ବିଶ୍ୱ ଚାମ୍ପିୟନ ହେବାର ଗୌରବ ମଧ୍ୟ ଅର୍ଜନ କରିଛନ୍ତି । ବିଶ୍ୱନାଥନ ଆନନ୍ଦଙ୍କ ପରେ ସେ ଦ୍ୱିତୀୟ ଭାରତୀୟ ଭାବେ ଏହି ସଫଳତା ହାସଲ କରିଛନ୍ତି । ତାମିଲନାଡୁରେ ଗୁକେଶ ଦୋମ୍ମୁରାଜଙ୍କ ଜନ୍ମ ୨୯ ମେ ୨୦୦୬ରେ ହୋଇଥିଲା ।
ସେ ଗ୍ରାଣ୍ଡମାଷ୍ଟର ନର୍ମ ହାସଲ କରିବାରେ ତୃତୀୟ ସର୍ବକନିଷ୍ଠ ଖେଳାଳି ହୋଇ ସାରିଛନ୍ତି । ତାଙ୍କ ବାପାଙ୍କ ନାମ ରଜନୀକାନ୍ତ । ସେ ସର୍ଜନ କାମ କରନ୍ତି । ଗୁକେଶଙ୍କ ମାଆଙ୍କ ନାମ ପଦ୍ମା । ସେ ଜଣେ ପ୍ରତିଷ୍ଠିତ ଜୀବବିଜ୍ଞାନୀ । ଗୁକେଶ ୭ ବର୍ଷ ବୟସରେ ଚେସ ଖେଳିବା ଶିଖିଥିଲେ । ସେ ଜଣେ ମେଧାବୀ ଛାତ୍ର ମଧ୍ୟ ଅଟନ୍ତି । ୨୦୧୪ରେ ଏସିଆନ ସ୍କୁଲ ଚେସ ଚାମ୍ପିୟନଶିପ ଜିତି ସେ ଚର୍ଚ୍ଚାକୁ ଆସିଥିଲେ । ସେ ୧୨ ବର୍ଷରୁ କମ ବିଭାଗରେ ସେ ୨୦୧୮ରେ ବିଶ୍ୱ ଚାମ୍ପିୟନ ହୋଇଥିଲେ ।
୨୦୧୮ ଏସୀୟ ଚେସ ଚାମ୍ପିୟନଶିପରେ ଗୁକେଶ ୫ଟି ସ୍ୱର୍ଣ୍ଣ ପଦକ ଜିତିଥିଲେ । ୨୦୧୮ ମାର୍ଚ୍ଚରେ ୩୪ତମ ଓପନ ଡେ କ୍ୟାପଲେ ଲା ଗ୍ରାଣ୍ଡ ଚେସ ଚାମ୍ପିୟନଶିପ ପରେ ସେ ଇଂଟରନ୍ୟାଶନାଲ ଗ୍ରାଣ୍ଡମାଷ୍ଟର ହୋଇଥିଲେ । ୨୦୧୯ ପର୍ଯ୍ୟନ୍ତ ସେ ସର୍ବକନିଷ୍ଠ ଗ୍ରାଣ୍ଡମାଷ୍ଟର ହୋଇଥିଲେ । ଏବେ ବି ସେ ଭାରତର ଯୁବ ଗ୍ରାଣ୍ଡମାଷ୍ଟର ଭାବେ ପରିଗଣିତ ହେଉଛନ୍ତି ।
ବିଶ୍ୱ ଚାମ୍ପିୟନ ହେବା ପରେ ଗୁକେଶ ଭାବପ୍ରବଣ ହୋଇ ପଡିଥିଲେ । ପ୍ରଥମେ ମୁଁ ଭାବିଥିଲେ ବିଜୟୀ ହୋଇପାରିବି ନାହିଁ । ଦୃଢ଼ ଆତ୍ମବିଶ୍ୱାସ ଖେଳରେ ଶେଷ ପର୍ଯ୍ୟନ୍ତ ମନୋନିବେଶ କରିବା ଯୋଗୁ ଚାମ୍ପିୟନ ହେବାର ସୌଭାଗ୍ୟ ଅର୍ଜନ କରିପାରିଛି ବୋଲି କହିଛନ୍ତି ।