Latest Odisha News

BREAKING NEWS

ଜଗଦୀପ କିଏ ? ମମତାଙ୍କ ସହ କଣ ଥିଲା ବିବାଦ

ଓଡ଼ିଶା ସମ୍ବାଦ ବ୍ୟୁରୋ:  ଜଗଦୀପ ଧନଖଡ ଏନଡିଏର ଉପରାଷ୍ଟ୍ରପତି ପ୍ରାର୍ଥୀ ହୋଇଛନ୍ତି । ନିର୍ବାଚନ ଗଣିତ ଯାହା ଅଛି ଆକଳନ ଅନୁସାରେ ସେ ନିଶ୍ଚୟ ବିଜୟଲାଭ କରିବେ । ଲୋକସଭା ଏବଂ ରାଜ୍ୟସଭାରେ ଏନଡିଏର ବହୁମତ ଥିବାରୁ ଜଗଦୀପ ଧନଖଡ ଉପରାଷ୍ଟ୍ରପତି ହେବା ନିଶ୍ଚିତ । ତେବେ ସବୁଠୁ ଚର୍ଚାରେ ରହିଥିବା ଧନଖଡ ପଶ୍ଚିମବଂଗରେ ଯେପରି ଲୋକମାନଙ୍କୁ ନ୍ୟାୟ ଦେବାପାଇଁ ସ୍ବର ଉଠାଉଥିଲେ ତାହାର ଫଳ ସ୍ବରୂପ ବିଜେପି ତାଙ୍କୁ ପୁରସ୍କାର ଦେଇଥିବା ଚର୍ଚା ହେଉଛି ।

ସାଧାରଣ କୃଷକ ପରିବାରରୁ ଆସି ଦୀର୍ଘ ଦିନର ସଂଘର୍ଷ କରି ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ ଜଗଦୀପ ।  ଜଗଦୀପ ଧନଖର ରାଜସ୍ଥାନର ଝୁନଝୁନ ବାସିନ୍ଦା। ଗାଁର ଏକ ସରଳ କୃଷକ ପରିବାରରେ ଜନ୍ମଗ୍ରହଣ କରିଥିବା ଧନଖଡ଼ ସୈନିକ ବିଦ୍ୟାଳୟ ଚିତ୍ତୋରଗଡରୁ ଶିକ୍ଷା ଲାଭ କରିଛନ୍ତି । ସେ ପଦାର୍ଥ ବିଜ୍ଞାନରେ ଉଚ୍ଚଶିକ୍ଷା ଲାଭ କରିବା ସହ ତାଙ୍କର ଆଇନ ଅଧ୍ୟୟନ ମଧ୍ୟ ସମାପ୍ତ କରିଛନ୍ତି । ସେ ଦୀର୍ଘ ଦିନ ଧରି ରାଜସ୍ଥାନ ହାଇକୋର୍ଟରେ ଓକିଲାତି କରିବା ସହ ପରେ ସେ ସୁପ୍ରିମକୋର୍ଟରେ ଜଣେ ପ୍ରତିଷ୍ଠିତ ଓକିଲ ଭାବରେ ନିଜର ଭାବମୂର୍ତ୍ତି ସୃଷ୍ଟି କରିପାରିଥିଲେ ।

ରାଜସ୍ଥାନର ଝୁନଝୁନ ଲୋକସଭା ଆସନରୁ ବିଜୟୀ ହୋଇ 1989-91 ପର୍ଯ୍ୟନ୍ତ ସାଂସଦ ଥିଲେ ଧନଖଡ । ଝୁନଝୁନ ଆସନରୁ ଲୋକସଭା ନିର୍ବାଚନରେ ଜନତା ଦଳ ପ୍ରାର୍ଥୀ ଭାବେ ​​ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ଏବଂ ଜିତିଥିଲେ।  1993–98 ପର୍ଯ୍ୟନ୍ତ ରାଜସ୍ଥାନର କିଶାନଗଡ ବିଧାନସଭାରୁ ଜିତି ବିଧାୟକ ଥିଲେ । ରାଜସ୍ଥାନ ହାଇକୋର୍ଟ ବାର ଆସୋସିଏସନର ପୂର୍ବତନ ସଭାପତି ମଧ୍ୟ ଥିଲେ। 30 ଜୁଲାଇ 2019 ରେ  ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ତାଙ୍କୁ ପଶ୍ଚିମବଙ୍ଗର ରାଜ୍ୟପାଳ ଭାବରେ ନିଯୁକ୍ତ କରିଥିଲେ।

ପଶ୍ଚିମବଙ୍ଗ ରାଜ୍ୟପାଳ ହେବା ପରେ  ଧନଖଡ  ଏବଂ ମମତା ସରକାରଙ୍କ ମଧ୍ୟରେ ବିବାଦ ବଢ଼ିବାରେ ଲାଗିଥିଲା ।  ରାଜ୍ୟପାଳ  ଭାବେ ଜଗଦୀପ ଧନଖଡ ସବୁଠାରୁ ଅଧିକ ବିବାଦ ଘେରରେ ରହିଥିଲେ । ଟିଏମସି ଧନଖଡଙ୍କୁ  ବିଜେପିର ଏଜେଣ୍ଟ ପରି କାମ କରୁଥିବା ଅଭିଯୋଗ କରିଥିଲା । ରାଜ ଭବନକୁ ବିଜେପି କାର୍ଯ୍ୟାଳୟରେ ପରିଣତ କରିଦେଇଥିବା ମମତା ବାନାର୍ଜୀ କହିଥିଲେ ।  ବିବାଦ ଏଭଳି ସ୍ତରରେ ପହଞ୍ଚି ଥିଲା ଯେ ଟିଏମସିର ୫ ଜଣିଆ ପ୍ରତିନିଧୀ ଦଳ ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କୁ ଭେଟି ରାଜ୍ୟପାଳ ଧନଖଡଙ୍କୁ ହଟାଇବାକୁ ଅନୁରୋଧ କରିଥିଲେ।

ବିଶ୍ବବିଦ୍ୟାଳୟରେ କୁଳାଧିପତି ନିଯୁକ୍ତିକୁ ନେଇ ମଧ୍ୟ ବିବାଦ ହୋଇଥିଲା ସେ ରାଜ୍ୟ ସରକାରଙ୍କ ବିନା ସହମତିରେ ବହୁ କୁଳାଧିପତିଙ୍କୁ ନିଯୁକ୍ତ କରିଥିଲେ । ତେଣୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କୁଳାଧିପତି ନିଯୁକ୍ତି ନିଜେ କରିବେ ବୋଲି ଆଇନ ଆଣିଥିଲେ ।

ଫେବ୍ରୁଆରୀ 12ରେ ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନଖଡ ଏକ ଆଦେଶ ଜାରି କରି ପଶ୍ଚିମବଙ୍ଗ ବିଧାନସଭା ଅଧିବେଶନକୁ ଅନିର୍ଦ୍ଧିଷ୍ଠ କାଳ ପାଇଁ ସ୍ଥଗିତ ରଖିଥିଲେ ଯାହାକୁ ନେଇ ମଧ୍ୟ ବିବାଦ ହୋଇଥିଲା ।

ମମତା ଅଭିଯୋଗ କରୁଥିଲେ ଯେ , ରାଜ୍ୟପାଳ ମୁଖ୍ୟ ଶାସନ ସଚିବ ଓ ପୋଲିସ ମହାନିର୍ଦେଶକଙ୍କୁ ଧମକ ଦେଉଛନ୍ତି। ରାଜ୍ୟପାଳଙ୍କ ବିଷୟରେ ପ୍ରଧାନମନ୍ତ୍ରୀଙ୍କୁ ବହୁ ଚିଠି ଦେଇସାରିଥିଲେ ମଧ୍ୟ ସେ ଶୁଣୁନାହାନ୍ତି। ଧନଖଡ ବହୁ ଫାଇଲକୁ ମଞ୍ଜୁରୀ ମଧ୍ୟ ଦେଉନାହାନ୍ତି ବୋଲି ଅଭିଯୋଗ ଆଣିଥିଲେ ମମତା।

ସେହିପରି ଧନଖଡ ମମତା ସରକାର ଦ୍ବାରା ଆୟୋଜିତ ଇଣ୍ଡଷ୍ଟ୍ରିଆଲ ମିଟିଂ ରେ ହୋଇଥିବା ଖର୍ଚ୍ଚର ହିସାବ ମାଗିଥିଲେ ଯାହାକୁ ନେଇ ବିବାଦ ହୋଇଥିଲା  । ରାଜ ଭବନରେ ବ୍ୟବସାୟୀ ମାନଙ୍କୁ ଭେଟନ୍ତି ଅଭିଯୋଗ କରିଥିଲା ଟିଏମସି ।   ବଙ୍ଗଳାର ରାଜ୍ୟ ସରକାର ଆଇନ ଶୃଙ୍ଖଳା ପ୍ରତି ଧ୍ୟାନ ଦେଉନାହାଁନ୍ତି ବୋଲି ଅନେକ ଥର ଟୁଇଟ କରିଥିଲେ ଧନଖଡ । ରାଜ୍ୟପାଳ-ସରକାର ମଧ୍ୟରେ ବିବାଦ ବଢ଼ିବଢ଼ି ଚାଲିଥିଲା ।

ଏଠାରେ ସୂଚନାଯୋଗ୍ୟ ଯେ ବର୍ତ୍ତମାନର ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁଙ୍କ କାର୍ଯ୍ୟକାଳ ଅଗଷ୍ଟ 10 ରେ ଶେଷ ହେବ। ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲ କରିବାର ଶେଷ ତାରିଖ ଜୁଲାଇ 19 ରହିଛି । ନିର୍ବାଚନ ଅଗଷ୍ଟ 6 ରେ ହେବ ।

Leave A Reply

Your email address will not be published.