Latest Odisha News

ପାଣ୍ଡ୍ୟାଙ୍କ ଉପରେ ଭାରି ପଡିବେ ସୂର୍ଯ୍ୟ ?

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ୍ ବିଜୟ ପରେ ଏହି ଫର୍ମାଟରୁ ଅବସର ନେଇଛନ୍ତି ରୋହିତ ଶର୍ମା ଓ ବିରାଟ କୋହଲୀ । ଟିମ୍ ଇଣ୍ଡିଆରେ ରୋହିତ ଓ କୋହଲୀଙ୍କ ସ୍ଥାନ ପାଇଁ ମଧ୍ୟ ନୂଆ ଦାବିଦାର ବାହାରିଲେଣି । ଏଥିସହିତ ରୋହିତଙ୍କ ପରେ ହ୍ୱାଇଟ ବଲ କ୍ରିକେଟର ଛୋଟ ଫର୍ମାଟରେ ଟିମ୍ ଇଣ୍ଡିଆର ନୂଆ କ୍ୟାପଟେନ କିଏ ହେବ, ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।

ରୋହିତ ଶର୍ମା ଥିଲେ ଟିମ୍ ଇଣ୍ଡିଆର ଅଲ୍ ଫର୍ମାଟ କ୍ୟାପଟେନ୍ । ହେଲେ ୩୭ ବର୍ଷିୟ ଶର୍ମାଙ୍କ ଅବସର ପରେ ଟି-୨୦ରେ ଭାଇସ କ୍ୟାପଟେନ ହାର୍ଦ୍ଦିକ ପାଣ୍ଡ୍ୟା ମ୍ୟାନ୍ ଇନ୍ ବ୍ଲୁର ନେତୃତ୍ୱ ନେଇପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା । ଏବେ କିନ୍ତୁ ପାଣ୍ଡ୍ୟାଙ୍କ ପରିବର୍ତ୍ତେ ମିଷ୍ଟର ୩୬୦ ଡିଗ୍ରୀ ସୂର୍ଯ୍ୟ କୁମାର ଯାଦବ ଭାରତୀୟ ଟି-୨୦ ଦଳର କ୍ୟାପଟେନ ପଦ ପାଇଁ ପାଣ୍ଡ୍ୟାଙ୍କ ପ୍ରତିଦ୍ୱନ୍ଦୀ ଭାବେ ଉଭା ହୋଇଛନ୍ତି । ଯାଦବ ଆଗାମୀ ଶ୍ରୀଲଙ୍କା ଗସ୍ତରେ ଟି-୨୦ ସିରିଜରେ ଟିମ୍ ଇଣ୍ଡିଆର ନେତୃତ୍ୱ ନେଇପାରନ୍ତି । ବ୍ୟକ୍ତିଗତ କାରଣରୁ ପାଣ୍ଡ୍ୟା ଶ୍ରୀଲଙ୍କା ଗସ୍ତର ଦିନିକିଆ ସିରିଜରୁ ଓହରି ଯାଇଛନ୍ତି ।

କୁହାଯାଉଛି ଯେ, ଟି-୨୦ରେ ଟିମ୍ ଇଣ୍ଡିଆର କ୍ୟାପଟେନ ଭାବେ ସୂର୍ଯ୍ୟ କୁମାର ଯାଦବ ନୂଆ ହେଡ୍ କୋଚ୍ ଗୌତମ ଗମ୍ଭୀରଙ୍କ ପ୍ରଥମ ପସନ୍ଦ । ଯାଦବଙ୍କ ସହ ଗମ୍ଭୀର ପୂର୍ବରୁ ଆଇପିଏଲରେ କେକେଆର ପକ୍ଷରୁ ଖେଳିସାରିଛନ୍ତି । ଗତ ବିଶ୍ୱକପରେ ମଧ୍ୟ ଯାଦବଙ୍କ ପ୍ରଦର୍ଶନ ଦମଦାର ଥିଲା । ଫାଇନାଲରେ ଡେଭିନ ମିଲରଙ୍କ ଚିତ୍ତାକର୍ଷକ କ୍ୟାଚ ନେଇ ମ୍ୟାଚର ମୋଡ ବଦଳାଇଥିଲେ ଯାଦବ । ବିଶ୍ୱକପରେ ଯାଦବ କିଛି ଗୁରୁତ୍ୱପୂର୍ଣ୍ଣ ଇନିଂସ ବି ଖେଳିଥିଲେ । ଯାଦବ ୬୮ଟି ଆନ୍ତର୍ଜାତିକ ମ୍ୟାଚ ଖେଳି ୧୬୭ରୁ ଅଧିକ ଷ୍ଟ୍ରାଇକ ରେଟରେ ୨ ହଜାର ୩୪୦ ରନ୍ କରିଛନ୍ତି । ଏଥିମଧ୍ୟରେ ରହିଛି ୪ଟି ଶତକ ଓ ୧୯ ଅର୍ଦ୍ଧଶତକ । ୭ଟି ଆନ୍ତର୍ଜାତିକ ମ୍ୟାଚରେ ଭାରତୀୟ ଟି-୨୦ ଦଳର ନେତୃତ୍ୱ ନେଇଛନ୍ତି । ତାଙ୍କ ନେତତ୍ୱରେ ୫ଟି ମ୍ୟାଚରେ ବିଜୟୀ ହୋଇଛି ଭାରତ ।

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ୧୦୦ଟି ଆନ୍ତର୍ଜାତିକ ଟି-୨୦ ମାଚର ଅଭିଜ୍ଞତା ରହିଛି । ୪ଟି ଅର୍ଦ୍ଧଶତକ ସହ ୧ ହଜାର ୪୯୨ ରନ୍ ସହ ୮୪ଟି ୱିକେଟ୍ ନେଇଛନ୍ତି ପାଣ୍ଡ୍ୟା । ପାଣ୍ଡ୍ୟା ୧୬ଟି ଟି-୨୦ ମ୍ୟାଚରେ ଟିମ୍ ଇଣ୍ଡିଆର ନେତୃତ୍ୱ ନେଇଛନ୍ତି । ୧୦ଟି ମ୍ୟାଚରେ ବିଜୟୀ ହୋଇଛି ଭାରତ ।

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବାରମ୍ବାର ଫିଟନେସ୍ ସମସ୍ୟା ରହୁଛି । ଦଳ ପାଇଁ ସେ ସବୁବେଳେ ଉପଲବ୍ଧ ହେବା ନେଇ ଅନିଶ୍ଚିତତା ରହିଛି । କୋଚ୍ ଗୌତମ ଗମ୍ଭୀର ଟି-୨୦ କ୍ୟାପଟେନସୀ ନେଇ ବିସିସିଆଇ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ଓ ପାଣ୍ଡ୍ୟାଙ୍କ ସହ କଥାବାର୍ତ୍ତା କରିଥିବା ଜଣାପଡିଛି । ଯଦି ଗୌତମ ଗମ୍ଭୀରଙ୍କ କଥା ରହେ, ତାହା ହେଲେ ସୂର୍ଯ୍ୟ କୁମାର ଯାଦବ ହିଁ ହୋଇପାରନ୍ତି ଟିମ୍ ଇଣ୍ଡିଆ ନୂଆ ଟି-୨୦ କ୍ୟାପଟେନ୍ ।

Comments are closed.