Latest Odisha News

ଏଥର କିଏ ହେବ ସିକ୍ସର କିଙ୍ଗ

ଆଇପିଏଲ ୨୦୨୫ ଆଉ କିଛି ଦିନ ମଧ୍ୟରେ ଆରମ୍ଭ ହୋଇଯିବ । କ୍ରିକେଟର ଏହି ଛୋଟ ଫର୍ମାଟରେ ଦେଖିବାକୁ ମିଳିବ ଫିଲ୍ମ ଷ୍ଟାଇଲରେ ରୋମାଂଚ ଆଉ ଟୁଇଷ୍ଟ । ପ୍ରତ୍ୟେକ ଆଇପିଏଲରେ କିଛି ବ୍ୟାଟ୍ସମ୍ୟାନ ବ୍ୟାଟରୁ ଗର୍ଜିଥାଏ ଛକାର ଗମ୍ଭୀର ଶବ୍ଦ । ଯେମିତି ବୀରେନ୍ଦ୍ର ସେହ୍ୱାଗ, କ୍ରିସ ଗେଲ, ରୋହିତ ଶର୍ମା, ଆନ୍ଦ୍ରେ ରସେଲ ନିଜ ଛାପ ଛାଡି ଯାଇଛନ୍ତି ସେ ଭଳି ଆଉ କେତେଜଣ ସିକ୍ସର କିଙ୍ଗ ହେବାକୁ ବ୍ୟଗ୍ର ହୋଇ ଉଠିଛନ୍ତି । ଆସନ୍ତୁ ନଜର ପକାଇବା ଏହି ଭଳି କେତେକ ବୋଲରଙ୍କ ଶତ୍ରୁ ବ୍ୟାଟ୍ସମ୍ୟାନଙ୍କ ଉପରେ.. ।

ଟ୍ରେଭିସ ହେଡ: ଟିମ ଇଣ୍ଡିଆ ପାଇଁ ସର୍ବଦା ମୁଣ୍ଡ ବ୍ୟଥା କାରଣ ସାଜିଥିବା ଟ୍ରେଭିସ ହେଡ ଆଇପିଏଲରେ ବିପକ୍ଷ ଦଳକୁ ହଇରାଣ କରୁଛନ୍ତି । ଗତ ବର୍ଷର ପ୍ରଦର୍ଶନ ବିଚାରକୁ ନେଲେ ସେ ୩୯ ମ୍ୟାଚରେ ୮୩ ଛକା ମାରିଥିଲେ । ୨୦୨୪ ଆଇପିଏଲରେ ସେ ୧୬ ମ୍ୟାଚରେ ୪୨ ଛକା ମାରିଥିଲେ ।
ଅଭିଷେକ ଶର୍ମା: ଗତ ବର୍ଷ ଟି୨୦ କ୍ରିକେଟରେ ଅଭିଷେକ ଶର୍ମା ୩୯ ମ୍ୟାଚରେ ୮୭ ଛକା ମାରିଛନ୍ତି । ଆଇପିଏଲ ୨୦୨୪ରେ ବିପକ୍ଷ ଦଳ ପାଇଁ ଚିନ୍ତାର କାରଣ ସାଜିଥିଲେ । ଓପନିଂରୁ ବଡ ଶଟ ଖେଳିବାରେ ସେ ସିଦ୍ଧହସ୍ତ ।
ଆନ୍ଦ୍ରେ ରସେଲ: ୱେଷ୍ଟଇଣ୍ଡିଜର ଏହି ବିସ୍ଫୋରକ ବ୍ୟାଟ୍ସମ୍ୟାନ ବେଶ କିଛି ବର୍ଷ ହେବ ଆଇପିଏଲରେ ରାଜୁତି ଚଳାଇଛନ୍ତି । ୨୦୨୪ରେ ସେ ୬୧ ମ୍ୟାଚରେ ୯୧ ଛକା ମାରିଥିଲେ । ତେବେ ଗତ ବର୍ଷ ଆଇପିଏଲରେ ଅନ୍ୟ ସଂସ୍କରଣ ତୁଳନାରେ ସେ କମ ଛକା ମାରିଥିଲେ ।ହେନେରୀ କ୍ଲାସେନ: ହାଇଦ୍ରାବାଦ ଏଥର ୨୩ କୋଟି ଟଙ୍କାରେ ହେନେରୀ କ୍ଲାସେନଙ୍କୁ ରିଟେନ କରିଛି । ଆନ୍ତର୍ଜାତୀୟ ଟି୨୦ରେ ସେ ୨୦୨୪ରେ ୫୮ ମ୍ୟାଚରେ ୧୦୫ ଛକା ମାରିଥିଲେ । ଆଇପିଏଲରେ ମଧ୍ୟ ସେ ତାଙ୍କ କ୍ଲାସ ଦେଖାଇଥିଲେ । ୧୬ ମ୍ୟାଚରୁ ୩୮ ଛକା ମାରି ସେ ବୋଲରଙ୍କ ମନରେ ଭୟ ସଂଚାର କରିଥିଲେ ।
ନିକୋଲସ ପୂରନ: ୱେଷ୍ଟଇଣ୍ଡିଜର ନିକୋଲସ ପୂରନ ଗତ ବର୍ଷ ଆନ୍ତର୍ଜାତୀୟ ଟି୨୦ରେ ଝଡ ସୃଷ୍ଟି କରିଥିଲେ । ସେ ୭୬ ମ୍ୟାଚରେ ୧୭୦ ଛକା ମାରି ସମସ୍ତଙ୍କୁ ଚକିତ କରି ଦେଇଛନ୍ତି । ଗତ ବର୍ଷ ମଧ୍ୟ ଆଇପିଏଲରେ ସେ ସିକ୍ସର କିଙ୍ଗ ଥିଲେ । ୧୪ ମ୍ୟାଚରେ ୩୬ ଛକା ମାରି ବିପକ୍ଷ ଶିବିରରେ ହଇଚଇ ସୃଷ୍ଟି କରିଥିଲେ । ଆହୁରି ଅନେକ ବ୍ୟାଟ୍ସମ୍ୟାନ ଏହି ଦୌଡରେ ଥିଲେ ମଧ୍ୟ ଏହି ୫ଜଣ ଆଗରେ ରହିଛନ୍ତି ।

Comments are closed.