Latest Odisha News

BREAKING NEWS

ପଦ୍ମପୁର ଉପନିର୍ବାଚନ ପାଇଁ ବିଜେଡି ପ୍ରାର୍ଥୀ କିଏ ହେବେ?

ଭୁବନେଶ୍ୱର: ଆସନ୍ତାକାଲି ଧଦ୍ରକ ଧାମନଗର ଉପନିର୍ବାଚନ ଫଳାଫଳ ପ୍ରକାଶ ପାଇବାକୁ ଥିବା ବେଳେ ରାଜ୍ୟରେ ଖାଲିପଡିଥିବା ଆଉ ଏକ ବିଧାନସଭା ଆସନ ବରଗଡ ପଦ୍ମପୁର ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ବିଗୁଲ ବାଜିଛି। ବିଜେଡି ବିଧାୟକ ବିଜୟ ରଞ୍ଜନ ସିଂହ ବରିହାଙ୍କ ବିୟୋଗ ପରେ ଏହି ଆସନ ଖାଲିପଡିଛି। ଏବେ ଉପନିର୍ବାଚନ ପାଇଁ ତାରିଖ ଘୋଷଣା ପରେ କିଏ ବିଜେଡି, ବିଜେପି ଓ କଂଗ୍ରେସର ପ୍ରାର୍ଥୀ ହେବେ ସେ ନେଇ ଚର୍ଚ୍ଚା ବଢ଼ିଛି।

କ’ଣ ରହିଛି ପଦ୍ନପୁର ବିଧାନସଭା ଆସନର ସମୀକରଣ?

ପଶ୍ଚିମ ଓଡିଶାର ଏହି ବିଧାନସଭା ଆସନରୁ ରାଜ୍ୟର ତିନି ପ୍ରମୁଖ ଦଳର ନେତା ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି। କିନ୍ତୁ ସର୍ବାଧିକ ଥର କଂଗ୍ରେସ ଏହି ଆସନରେ ବିଜୟୀ ହୋଇଛି। ଏହାପରେ ବିଜେଡି ପରେ ବିଜେପି। ୨୦୧୪ରେ ଅନ୍ତିମ ଥର ପାଇଁ ବିଜେପି ନେତା ପ୍ରଦୀପ ପୂରୋହିତ ଏହି ଆସନରୁ ନିର୍ବାଚିତ ହୋଇଥିଲେ। ୨୦୦୪ରେ କଂଗ୍ରେସର ସତ୍ୟଭୂଷଣ ସାହୁ ଅନ୍ତିମ ଥର ପାଇଁ ନିର୍ବାଚିତ ହୋଇଥିଲେ। ୧୯୯୦ରୁ ଏଯାବତ ବିଜୟ ରଞ୍ଜନ ସିଂହ ନିର୍ବାଚିତ ହେଉଥିଲେ।

ବିଜେଡି

ପୂର୍ବ ବିଧାନସଭା ଉପନିର୍ବାଚନ ଭଳି ବିଜେଡି ଏହି ଆସନ ପାଇଁ ଦିବଂଗତ ବିଧାୟକଙ୍କ ପରିବାର ସଦସ୍ୟକୁ ବିଧାୟକ ପ୍ରାର୍ଥୀ କରିପାରେ। କିନ୍ତୁ ରାଜଧାନୀରେ ବସିଥିବା ଦଳର ଛାମୁଆ ନେତାଙ୍କ ମଧ୍ୟରେ ଏବେ ଏହି ଆସନରେ କିଏ ଲଢିବେ ସେ ନେଇ ଅଙ୍କକଷା ଆରମ୍ଭ ହୋଇଛି। କୁହାଯାଉଛି ବିଜୟଙ୍କ ପରେ ସଂପୃକ୍ତ ବିଧାନସଭା ଆସନରୁ କିଏ ଦଳର ନେତୃତ୍ବ ନେଇପାରିବ ସେ ନେଇ ଦଳ ଟିକିଏ ଦୋଛକରି ରହିଛି। କାରଣ ଏହି ଆସନରେ ପୂର୍ବତନ ବିଜେପି ବିଧାୟକ ରାଜନୀତିରେ ସକ୍ରିୟ ରହିଛନ୍ତି। ଯେଉଁ ଅନୁକମ୍ପା ମୂଳକ ଭୋଟ୍ କାଟିବାକୁ ଧାମନଗରରେ ବିଜେଡି ବିଜେପି ବିରୋଧରେ ରଣକୌଣଳ ଆପାଇଥିଲେ ତାହା ଯଦି ବିଜେପି ପ୍ରୟୋଗ କରେ? କାରଣ ପଶ୍ଚିମ ଓଡ଼ିଶାରେ ବିଜେପି ଉପକୂଳ ତୁଳନାରେ ଅଧିକ ସକ୍ରିୟ ରହିଛି। ବିରୋଧୀ ଦଳର ନେତା ମଧ୍ୟ ନିଜେ ପଶ୍ଚିମ ଓଡ଼ିଶାର।

ବିଜେଡି ଉପସଭାପତି ଦେବୀ ମିଶ୍ର କହିଛନ୍ତି, ନବୀନ ବାବୁଙ୍କ ନେତୃତ୍ୱ ପ୍ରତି ସାରା ଓଡିଶାର ବିଶ୍ୱାସ ରହିଛି। ତାହା ନିର୍ବାଚନରେ ପ୍ରମାଣିତ ହୋଇସାରିଛି। ବିଜେଡି ଏହି ଆସନରେ ଜିତି ଆସୁଛି। ତେବେ ପ୍ରାର୍ଥୀ କିଏ ହେବେ ସ୍ଥାନୀୟ ନେତାଙ୍କ ସୂଚନା ଆଧାରରେ ନିଷ୍ପତ୍ତି ନେବ ଦଳ।

ବିଜେପି

ବିଜେପି ପାଇଁ ଏହି ଆସନରୁ ପ୍ରଦୀପ ପୂରୋହିତ ୨୦୨୪ ପୂର୍ବରୁ ପୁଣିଥରେ ମୈଦାନକୁ ଓହ୍ଲାଇପାରନ୍ତି। ରାଜ୍ୟ ରାଜନୀତିରେ ସକ୍ରିୟ ଥିବାରୁ ବିଜେପି ପ୍ରଦୀପଙ୍କୁ ଟିକେଟ ନଦେଇ ଦଳୀୟ ଭୋଟ୍ ବ୍ୟାଙ୍କ କ୍ଷତି କରିବାକୁ ଚାହିଁବ ନାହିଁ। କିନ୍ତୁ ବଡ କଥା ହେଲା ପଞ୍ଚାୟତ ନିର୍ବାଚନରେ ବିଜେଡି ଏଠାରେ ନିଜର ଭୋଟ୍ ବ୍ୟାଙ୍କ ବଢାଇଛି। ବିଜେଡି ପାଇଁ ପ୍ରାର୍ଥୀ ଅପେକ୍ଷା ଦଳର ସୁପ୍ରିମୋ ହେଉଛନ୍ତି ଭୋଟ୍ ଟାଣିବାର ପ୍ରମୁଖ ମାଧ୍ୟମ। ଏପରି ସ୍ଥିତିରେ ପ୍ରଦୀପ ପୂରୋହିତ ୨୦୧୯ ନିର୍ବାଚନରେ ପରାଜିତ ହେବା ପରେ କିପରି ସଂଗଠନକୁ ମଜବୁତ କରିଛନ୍ତି ତାହା ନିର୍ବାଚନ ବେଳେ ଜଣାପଡିବ।

ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ଏହି ଆସନରେ ଦଳ ଅନ୍ତିମ ଥର କମ୍ ବ୍ୟବଧାନରେ ହାରିଥିଲା। ଏଠାରେ ଦଳର ସ୍ଥିତି ଭଲ ଅଛି। ଧାମନଗର ପରେ ଏଠାରେ ମଧ୍ୟ ଦଳ ବିଜୟ ହେବ। ପୂର୍ବରୁ ନିଜେ ମୁଖ୍ୟମନ୍ତ୍ରୀ ବିଜେପୁରରେ ବିକାଶ କରିବେ କହି କଣ କରିଛନ୍ତି ଲୋକେ ଜାଣିଛନ୍ତି। ତେଣୁ ଏଠି ମଧ୍ୟ ବିଜୟ ସୁନିଶ୍ଚିତ ହେବ।

କଂଗ୍ରେସ

ଯଦିଓ କଂଗ୍ରେସ ଏହି ଆସନରେ ଅନ୍ତିମ ଥର ପାଇଁ ୨୦୦୪ରେ ସତ୍ୟଭୂଷଣ ସାହୁ ବିଜୟୀ ହୋଇଥିଲା। କିନ୍ତୁ ଚଳିତ ଥର ବିଜୟୀ ହେବାକୁ ପ୍ରୟାସ କରିବ। ଦଳ ଏବେ ଭାରତ ଯୋଡୋ ଯାତ୍ରା ଜରିଆରେ ସଂଗଠନ ମଜବୁତ କରିବାକୁ ପ୍ରୟାସ କରୁଛନ୍ତି। ଧାମନଗରରେ ଯେପରି ଦଳର ଛାମୁଆ ନେତା ଏକାଠି ହୋଇ ପ୍ରଚାର କଲେ ସେହିପରି ପ୍ରଚାର ହେଲେ ରାଜ୍ଯ ଓ କେନ୍ଦ୍ର ସରକାରର ବିଭିନ୍ନ ଯୋଜନାକୁ କେନ୍ଦ୍ରରୁ କରି କଂଗ୍ରେସ ଭୋଟ୍ ଭିକ୍ଷା କରିବ।

କଂଗ୍ରେସ ବିଧାୟକ ସୁରେଶ ରାଉତରାୟ କହିଛନ୍ତି,  ସତ୍ୟଭୂଷଣ ପୂର୍ବରୁ ଏହି ଆସନରୁ ବିଜୟୀ ହୋଇଥିଲେ। ସେ ଟିକେଟ ପାଇବେ ବୋଲି ଆଶା। କିନ୍ତୁ ଦଳର ଶୀର୍ଷ ନେତା ଯେଉଁ ନିଷ୍ପତ୍ତି ନେବେ ତାକୁ ଗ୍ରହଣ କରାଯିବ। କିନ୍ତୁ ସତ୍ୟଭୂଷଣଙ୍କ ନେତୃତ୍ୱରେ ଦଳ ଭଲ ପ୍ରଦର୍ଶନ କରିବ ବୋଲି ଆଶା ରଖିଛି।

Comments are closed.