Latest Odisha News

କିଏ ହେବେ ପରବର୍ତ୍ତୀ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ?

ନୂଆଦିଲ୍ଲୀ: ବିଜେପି ଟପ୍ ପୋଷ୍ଟରେ କିଏ ବସିବେ? ବିଜେପିର ପରବର୍ତ୍ତୀ ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦକୁ ନେଇ ବଢିଲାଣି ଆକଳନ । ରେସରେ ଧର୍ମେନ୍ଦ୍ର ପ୍ରଧାନ, ଭୁପେନ୍ଦ୍ର ଯାଦବ, ବିନୋଦ ତାଓ୍ବଡେ, କେଶବ ପ୍ରସାଦ ମୌର୍ଯ୍ୟଙ୍କ ପରି ବିଜେପିର ଅନେକ ବରିଷ୍ଠ ନେତାଙ୍କ ନାଁ ଚର୍ଚ୍ଚା ହେଉଛି । ତେବେ ୨୮ଜୁଲାଇ ପରେ ଦେବେନ୍ଦ୍ର ଫଡନାବିସଙ୍କ ନାଁ ବି ରେସରେ ସାମିଲ ହୋଇଛି । ଓବିସି କାର୍ଡ, ଆଗାମୀ ନିର୍ବାଚନ, ବିଜେପି-ଆରଏସଏସର କେନ୍ଦ୍ରୀୟ ନେତାଙ୍କ ସହ ଘନିଷ୍ଠତା ଭଳି ବିଭିନ୍ନ ଆଧାରରେ ଫଡନାବିସଙ୍କ ନାଁ ଚର୍ଚ୍ଚା ହେଉଛି । ତେବେ ସାଂଗଠନିକ ଦକ୍ଷତା ସାଙ୍ଗକୁ ଲମ୍ବା ରାଜନୈତିକ ଅଭିଜ୍ଞତା ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଜେପିର ସର୍ବୋଚ୍ଚ ପଦରେ ବସିପାରନ୍ତି ବୋଲି କୁହାଯାଉଛି ।

କାହିଁକି ଧର୍ମେନ୍ଦ୍ର ପସନ୍ଦ ?

ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ବ୍ରାହ୍ମଣ, ତେଣୁ ପରବର୍ତ୍ତୀ ଅଧ୍ୟକ୍ଷ ବ୍ରାହ୍ମଣ ଜାତିର ହୋଇନପାରନ୍ତି । ଇଣ୍ଡିଆ ମେଣ୍ଟ ଲଗାତର ଜାତିଗତ ଜନଗଣନା, ଓବିସି ଓ ଦଳିତ କାର୍ଡ ଖେଳୁଥିବା ବେଳେ ବିଜେପି ପରବର୍ତ୍ତୀ ଅଧ୍ୟକ୍ଷ ପଦ ପାଇଁ ଜଣେ ଓବିସିଙ୍କୁ ବାଛିପାରେ । ଏମିତି ହେଲେ ଧର୍ମେନ୍ଦ୍ର ପ୍ରଧାନ ଅଧ୍ୟକ୍ଷ ହୋଇପାରନ୍ତି । ବିଜେପି କେନ୍ଦ୍ରୀୟ ସଂଗଠନରେ କାମ କରିବା ସହ କେନ୍ଦ୍ରମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇବାର ଲମ୍ବା ଅଭିଜ୍ଞତା ସାଙ୍ଗକୁ କେନ୍ଦ୍ର ନେତୃତ୍ବ ସହ ଧର୍ମେନ୍ଦ୍ରଙ୍କ ଘନିଷ୍ଠତା ରହିଛି । ପୂର୍ବରୁ ବିଭିନ୍ନ ରାଜ୍ୟରେ ନିର୍ବାଚନ ପରିଚାଳନାରେ ସଫଳତା ପାଇଥିବା ଧର୍ମେନ୍ଦ୍ର ଆଗକୁ ହେବାକୁ ଥିବା ନିର୍ବାଚନରେ ବି ଦକ୍ଷତାର ସହ ନେତୃତ୍ବ ନେଇପାରିବେ । ତେଣୁ କେନ୍ଦ୍ରରେ ମନ୍ତ୍ରୀ ରହିଥିଲେ ବି ତାଙ୍କୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦ ପାଇଁ ହାଇକମାଣ୍ଡ ଚିନ୍ତା କରୁଥିବା ଚର୍ଚ୍ଚା ହେଉଛି ।

ଫଡନାବିସ ବି ରେସରେ

ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସ ଦଳୀୟ ସଂଗଠନଠାରୁ ଆରମ୍ଭ କରି ମହାରାଷ୍ଟ୍ର ସରକାରରେ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ସମ୍ଭାଳିଛନ୍ତି । ବିଜେପି ଓ ସଂଘର ଶୀର୍ଷ ନେତୃତ୍ବ ସହ ତାଙ୍କର ସଂପର୍କ ବେଶ୍ ଭଲ । ମହାରାଷ୍ଟ୍ରରେ ବିଜେପିକୁ କ୍ଷମତାକୁ ଆଣିବାରେ ବି ଫଡନାବିସଙ୍କର ଭୂମିକା ରହିଥିଲା । ବିହାରର ପ୍ରଭାରୀ ରହିବା ସହ ଅନ୍ୟ ରାଜ୍ୟରେ ବି ସେ ତାଙ୍କ ସାଂଗଠନିକ ଦକ୍ଷତା ଦେଖାଇଛନ୍ତି । ତେବେ ମହାରାଷ୍ଟ୍ର ବିଜେପି ପାଖରେ ଫଡନାବିସଙ୍କ ଛଡା ସେମିତି ଲୋକପ୍ରିୟ ଚେହେରା ନାହାନ୍ତି । ଆଗକୁ ରାଜ୍ୟରେ ନିର୍ବାଚନ ଥିବା ବେଳେ ଦଳ ତାଙ୍କୁ ରାଜ୍ୟ ରାଜନୀତିରେ ହିଁ ଉପଯୋଗ କରିପାରେ ବୋଲି ଚର୍ଚ୍ଚା ହେଉଛି ।

ରେସରେ ଆଉ କେଉଁ ନେତା ?

ଭୁପେନ୍ଦ୍ର ଯାଦବଙ୍କ ସହ କେଶବ ପ୍ରସାଦ ମୌର୍ଯ୍ୟଙ୍କ ନାଁ ବି ବିଜେପି ରାଷ୍ଟ୍ରୀୟ ସଭାପତି ପଦ ପାଇଁ ଚର୍ଚ୍ଚାରେ ରହିଛି । ଓବିସି ଚେହେରା କେଶବ ପ୍ରସାଦ ମୌର୍ଯ୍ୟ ଉତ୍ତର ପ୍ରଦେଶ ବିଜେପି ସଭାପତି ସହ ୟୁପି ସରକାରରେ ଉପମୁଖ୍ୟମନ୍ତ୍ରୀ ରହିଛନ୍ତି । ସାଂଗଠନିକ ଦକ୍ଷତା ସାଙ୍ଗକୁ ତାଙ୍କୁ ହିନ୍ଦୁତ୍ବ ଚେହେରା ଭାବେ ବି ଦେଖାଯାଏ । ସଂଘକୁ ବି ତାଙ୍କ ନାଁରେ କୌଣସି ଆପତ୍ତି ହୋଇନପାରେ । ବିଜେପି ତାଙ୍କୁ କେନ୍ଦ୍ରକୁ ପଠାଇ ୟୁପି ରାଜନୈତିକ ଅଶାନ୍ତିରେ ବି ବ୍ରେକ୍ ଲଗାଇପାରେ ।

ଦଳିତ ଚେହେରା ଉପରେ ଭରସା !

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଦିବାସୀ ଚେହେରା ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓବିସିର ପ୍ରତିନିଧିତ୍ବ କରୁଛନ୍ତି । ତେଣୁ ବିଜେପି ଅଧ୍ୟକ୍ଷ ପଦ ପାଇଁ ଦଳିତ ଚେହେରାଙ୍କୁ ଓହ୍ଲାଇପାରେ ବୋଲି ଚର୍ଚ୍ଚା ହେଉଛି । ଯିଏ କି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ବିପକ୍ଷରେ ଦମ୍ଭର ସହ ବିଜେପିର ପକ୍ଷ ରଖିପାରିବେ । ଗତ ନିର୍ବାଚନରେ ସମ୍ବିଧାନ, ଜାତିଗତ ଜନଗଣନାକୁ ନେଇ ବିରୋଧୀ ମୁଖର ହୋଇଥିଲେ । ଆଗକୁ ବି ସମାନ ପ୍ରସଙ୍ଗରେ ବିଜେପିକୁ ଘେରିପାରନ୍ତି । ତେଣୁ ଦଳିତ ଚେହେରାଙ୍କୁ ବିଜେପି ସର୍ବୋଚ୍ଚ ପଦରେ ବସାଇପାରେ ବୋଲି ଚର୍ଚ୍ଚା ହେଉଛି । ଖୁବ୍ ଶୀଘ୍ର ବିଜେପି ନୂଆ କାର୍ଯ୍ୟକାରୀ ରାଷ୍ଟ୍ରୀୟ ଅଧ୍ୟକ୍ଷ ଘୋଷଣା କରିପାରେ । ଏହାପରେ ସଦସ୍ୟତା ଅଭିଯାନ ଚଳାଇବ ଦଳ । କିଛି ରାଜ୍ୟରେ ରାଜ୍ୟ  ସଭାପତି ବି ବଦଳିବେ । ତେବେ ଡିସେମ୍ବର ବେଳକୁ ବିଜେପି ପୂର୍ଣ୍ଣକାଳୀନ ରାଷ୍ଟ୍ରୀୟ ଅଧ୍ୟକ୍ଷ ପାଇପାରେ ।

Comments are closed.