ଭୁବନେଶ୍ୱର: ବଲାଙ୍ଗିରରେ ଖଣି ହେଲେ କାହାର ହେବ ଲାଭ ? କିଏ ପାଇବ ନିଯୁକ୍ତି ? ଜିଲ୍ଲାରେ ମାଙ୍ଗାନିଜ ଖଣିର ସନ୍ଧାନ ପରେ ରାଜ ପରିବାରର ଦିଅର-ଭାଉଜ ମୁହାଁମୁହିଁ । ବିଜେପି ସାଂସଦ ସଂଗୀତା ସିଂଦେଓ ଓ ବିଜେଡି ବିଧାୟକ କଳିକେଶ ନାରାୟଣ ସିଂଦେଓ ମଧ୍ୟରେ କଥା କଟାକଟି । ସାଂସଦ ସଂଗୀତା ସିଂହଦେଓ କହିଛନ୍ତି, ବଲାଙ୍ଗିରରେ ଖଣି ସନ୍ଧାନ ମିଳିବା ଜିଲ୍ଲାରେ ନିଯୁକ୍ତି ସାଙ୍ଗକୁ, ଜିଲ୍ଲାରେ ଅର୍ଥନୈତିକ କାରୋବାରର ସମ୍ଭାବନାକୁ ଜନ୍ମ ଦେବ । ତେବେ ଏଠାରୁ ବାହାରୁଥିବା ମାଙ୍ଗାନିଜ କମ୍ ଗୁଣବତ୍ତା ଥିବାରୁ କେନ୍ଦ୍ର ସରକାର ଏହାର ଖନନ ପାଇଁ ରାଜି ହେଉ ନାହାନ୍ତି ।
ସେ କେନ୍ଦ୍ର ସରକାରଙ୍କ ନିକଟରେ ଏହାର ପୁନର୍ବିଚାର କରିବାକୁ ଅନୁରୋଧ କରିବେ । ଅନ୍ୟପଟେ ବିଜେଡି ନେତା କଳିକେଶ କହିଛନ୍ତି, ଜିଲ୍ଲାରେ ଖଣି ମହଜୁଦ ଥିବା ଅନେକ ଦିନ ଆଗରୁ ଜଣାପଡିଛି, କେବଳ ଖଣି ଖନନ ହେଲେ ଏଠାକାର ଲୋକେ କୌଣସି ନିଯୁକ୍ତି ପାଇ ପାରିବେ ନାହିଁ । ଶିଳ୍ପ ପ୍ରତିଷ୍ଠା ନହେଲେ କିଛି ଲାଭ ନାହିଁ । କେବଳ ଜେସିବି ଡ୍ରାଇଭର ଓ ରାତି ଜଗୁଆଳି ଛଡା ଅନ୍ୟ କିଛି ନିଯୁକ୍ତି ମିଳିବ ନାହିଁ। ଓଲଟା ଜିଲ୍ଲାର ବଣ ଜଙ୍ଗଲ ଧ୍ୱଂସ ହେବ, ପରିବେଶ ନଷ୍ଟ ହେବ । ଯଦି କୌଣସି ଶିଳ୍ପ ପ୍ରତିଷ୍ଠା ହେବ ନାହିଁ ଏହାକୁ ବିରୋଧ କରାଯିବ ବୋଲି ବିଧାୟକ କହିଛନ୍ତି ।
Comments are closed.