Latest Odisha News

ଅଲିମ୍ପିକ୍ସର ୧୦୦ ମିଟର ସ୍ପ୍ରିଂଟ୍

ନୂଆଦିଲ୍ଲୀ: ଅଲିମ୍ପିକ ଆଥଲେଟିକ୍ସରେ ୧୦୦ ମିଟର ସ୍ପ୍ରିଂଟ୍ ଏକ ହାଇ ପ୍ରୋଫାଇଲ୍ ତଥା ଗ୍ଲାମରସ୍ ଇଭେଂଟ । ଅଲିମ୍ପିକ୍ସର ଦ୍ରୁତତମ ପୁରୁଷ ଓ ମହିଳା କିଏ ହେବ, ତାହା ଜାଣିବାକୁ ଉତ୍କଣ୍ଠାର ସହ ଅପେକ୍ଷା କରିଥାଆନ୍ତି କ୍ରୀଡାପ୍ରେମୀ । ୧୮୯୬ରେ ଆଥେନ୍ସରେ ଆୟୋଜିତ ଆଧୁନିକ ଅଲିମ୍ପିକ୍ସର ପ୍ରଥମ ସଂସ୍କରଣରେ ହିଁ ସ୍ଥାନ ପାଇଥିଲା ପୁରୁଷ ୧୦୦ ମିଟର ସ୍ପ୍ରିଂଟ୍ । ୧୯୨୮ ଆମଷ୍ଟରଡମ ଅଲିମ୍ପିକ୍ସରୁ ମହିଳା ୧୦୦ ମିଟର ଦୌଡ ସ୍ଥାନ ପାଇଛି । ପୁରୁଷ ୧୦୦ ମିଟର ଦୌଡରେ ପ୍ରଥମ ଅଲିମ୍ପିକ ଚାମ୍ପିଅନ ଥିଲେ ଆମେରିକାର ଥୋମାସ ବୁର୍କ । ଆମେରିକାର ହିଁ ବେଟ୍ଟି ରବିନସନ ଅଲିମ୍ପିକ୍ସରେ ପ୍ରଥମ ମହିଳା ୧୦୦ ମିଟର ଇଭେଂଟରେ ଚାମ୍ପିଅନ ହୋଇଥିଲେ ।

ଆମେରିକାର ସ୍ପ୍ରିଂଟରମାନେ ଅଲିମ୍ପିକ୍ସ ୧୦୦ ମିଟର ଦୌଡରେ ସବୁଠୁ ଅଧିକ ସଫଳତା ହାସଲ କରିଛନ୍ତି । ପୁରୁଷ ବିଭାଗରେ ୧୬ ଓ ମହିଳା ବିଭାଗରେ ୯ଟି ସ୍ୱର୍ଣ୍ଣ ପଦକ ଜିତିଛି ଆମେରିକା । ତେବେ ୨୦୦୪ ଅଲିମ୍ପିକ୍ସ ପରେ ପୁରୁଷ ୧୦୦ ମିଟର ଦୌଡରେ ଆମେରିକାର ପ୍ରାଧାନ୍ୟ ହ୍ରାସ ପାଇଛି । ବିଗତ ୪ଟି ଅଲିମ୍ପିକ୍ସରେ ଜାମାଇକା ଓ ଇଟାଲୀର ସ୍ପ୍ରିଂଟରମାନେ ଏହି ଇଭେଂଟ ଜିତିଛନ୍ତି । ଜାମାଇକାର ମହାନ ଧାବକ ୟୁସେନ ବୋଲ୍ଟ ଲଗାତର ତିନିିଟି ଅଲିମ୍ପିକ୍ସରେ ୧୦୦ ମିଟର ସ୍ପ୍ରିଂଟରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଅଲିମ୍ପିକ ୧୦୦ ମିଟର ସ୍ପ୍ରିଂଟରେ ଦୁଇଟି ସ୍ୱର୍ଣ୍ଣ ଜିତିଛନ୍ତି ଆମେରିକାର କିମ୍ବଦନ୍ତୀ ଧାବକ କାର୍ଲ ଲୁଇସ । ୧୯୮୪ ଓ ୧୯୮୮ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ଜିତିଥିଲେ ଲୁଇସ୍ ।

ମହିଳା ୧୦୦ ମିଟରରେ ଜାମାଇକାର ସେଲି ଆନ୍ ଫ୍ରେଜର ପ୍ରିସ୍ , ଆମେରିକାର ଓମିଆ ଟାୟୁସ ଓ ଆମେରିକାର ଗେଲ୍ ଡେଭର୍ସ ଏବଂ ଜାମାଇକାର ଏଲାଇନ୍ ଥମ୍ପସନ ଦୁଇଟି ଲେଖାଏଁ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଏହି ଇଭେଂଟରେ ସବୁଠୁ ଅଧିକ ପଦକ ଜିତିବାରେ ସେଲି ଆନ୍ ଫ୍ରେଜର ପ୍ରିସଙ୍କ ନାଁରେ ରହିଛି । ଦୁଇଟି ସ୍ୱର୍ଣ୍ଣ, ଗୋଟିଏ ରୌପ୍ୟ ଓ ଗୋଟିଏ ବ୍ରୋଂଜ ସହ ସର୍ବାଧିକ ୪ଟି ପଦକ ଜିତିଛନ୍ତି ଫ୍ରେଜର ପ୍ରିସ୍ ।

ଅଲିମ୍ପିକ୍ସ ୧୦୦ ମିଟର ଟାଇମିଂରେ ବେଶ୍ ଉନ୍ନତି ପରିଲକ୍ଷିତ ହୋଇଛି । ୧୮୯୬ ଆଥେନସ ଅଲିମ୍ପିକ୍ସରେ ୧୦୦ ମିଟର ଦୌଡ ଜିତିବାକୁ ଆମେରିକାର ଥୋମାସ ବୁର୍କ ୧୨ ଦଶମିକ ୨ ସେକେଣ୍ଡ ସମୟ ନେଇଥିଲେ । ପୁରୁଷ ୧୦୦ ମିଟରରେ ଅଲିମ୍ପିକ ରେକର୍ଡ ହେଉଛି ୯ ଦଶମିକ ୬୩ ସେକେଣ୍ଡ । ଲାଇଟନିଂ ବୋଲ୍ଟ ୟୁସେନ ବୋଲ୍ଟଙ୍କ ନାଁରେ ରହିଛି ଏହି ରେକର୍ଡ ।

ଅଲିମ୍ପିକ୍ସ ମହିଳା ବିଭାଗ ୧୦୦ ମିଟରର ପ୍ରଥମ ବିଜେତା ବେଟ୍ଟି ରବିନସନ୍ ଦୌଡ ଜିତିବାକୁ ୧୩ସେକେଣ୍ଡ ସମୟ ନେଇଥିଲେ । ଏବେ ମହିଳା ପ୍ରତିଯୋଗୀମାନେ ୧୧ ସେକେଣ୍ଡରୁ କମ୍ ସମୟରେ ୧୦୦ ମିଟର ସ୍ପ୍ରିଂଟ୍ ପୂରଣ କରିପାରୁଛନ୍ତି । ଅଲିମ୍ପିକ୍ସରେ ମହିଳା ୧୦୦ ମିଟର ରେକର୍ଡ ଏଲାଇନ୍ ଥମ୍ପସନ ହେରାଙ୍କ ନାଁରେ ରହିଛି । ଗତ ଟୋକିଓ ଅଲିମ୍ପିକ୍ସରେ ୧୦ ଦଶମିକ ୬୧ ସେକେଣ୍ଡ ନେଇ ୧୦୦ ମିଟର ରେସ୍ ଜିତିଥିଲେ ହେରା।

Comments are closed.