ନୂଆଦିଲ୍ଲୀ: ପୂର୍ବତନ ହ୍ୱାଇଟ୍ ହାଉସ୍ ବାଣିଜ୍ୟ ପରାମର୍ଶଦାତା ପିଟର ନାଭାରୋ ଭାରତକୁ ନେଇ ଏକ କଠୋର ବିବୃତ୍ତି ଜାରି କରିଛନ୍ତି।
ଭାରତରେ କୃତ୍ରିମ ବୁଦ୍ଧିମତ୍ତା (AI) ସେବାର ବର୍ଦ୍ଧିତ ବ୍ୟବହାର ଏବଂ ଏଥିରେ ଖର୍ଚ୍ଚ ହେଉଥିବା ଆମେରିକୀୟ ଡଲାରକୁ ନେଇ ସେ ପ୍ରଶ୍ନ ଉଠାଇଛନ୍ତି ଓ ଏହା ଆମେରିକାର ଅର୍ଥନୈତିକ ସ୍ୱାର୍ଥର ବିରୁଦ୍ଧ ବୋଲି ମଧ୍ୟ ସେ କହିଛନ୍ତି। ବର୍ତ୍ତମାନ ଭାରତ ଏବଂ ଆମେରିକା ମଧ୍ୟରେ ବାଣିଜ୍ୟ, ପ୍ରଯୁକ୍ତିବିଦ୍ୟା ଏବଂ ଶୁଳ୍କ ସମ୍ବନ୍ଧୀୟ ଅନେକ ପ୍ରସଙ୍ଗକୁ ନେଇ ବିବାଦ ବଢୁଥିବା ବେଳେ ନାଭାରୋଙ୍କ ଏପରି ମନ୍ତବ୍ୟ ଅନେକ ପ୍ରଶ୍ନ ଉଠାଉଛି। ତେବେ AI, ଶକ୍ତି ଏବଂ ଆମଦାନୀ ଶୁଳ୍କ ଭଳି ବିଷୟ ଉପରେ ତାଙ୍କର ମନ୍ତବ୍ୟ ପୁଣି ଥରେ ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ନେଇ ବିତର୍କ ସୃଷ୍ଟି କରିଛି।
ଭାରତରେ ପ୍ରଦାନ କରାଯାଉଥିବା AI ସେବା ପାଇଁ ଆମେରିକୀୟ ନାଗରିକମାନେ କାହିଁକି ଦେୟ ଦେଉଛନ୍ତି ବୋଲି ସେ ପ୍ରଶ୍ନ ଉଠାଇଛନ୍ତି। ChatGPT ଏବଂ Gemini ଭଳି ପ୍ରମୁଖ AI ପ୍ଲାଟଫର୍ମ ଗୁଡ଼ିକ ଆମେରିକା ଦ୍ଵାରା କାର୍ଯ୍ୟକାରୀ ହେଉଛି ଓ ଏଗୁଡ଼ିକ ଆମେରିକାର ବିଦ୍ୟୁତ୍, ପାଣି ଏବଂ ଅନ୍ୟାନ୍ୟ ସମ୍ବଳ ବ୍ୟବହାର କରୁଥିବା ନେଇ ସେ କହିଛନ୍ତି। ଏହାକୁ ସେ ଆମେରିକୀୟ ଅର୍ଥନୈତିକ ନୀତିର ବିପରୀତ ବୋଲି ମଧ୍ୟ କହିଛନ୍ତି। ବର୍ତ୍ତମାନ ଭାରତରେ AI ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ପ୍ରାୟ ପ୍ରତ୍ୟେକ ପ୍ରମୁଖ ଟେକ୍ କମ୍ପାନୀ AI ମଡେଲ ଲଞ୍ଚ କରୁଥିବା ବେଳେ ସାଧାରଣ ଲୋକ ମଧ୍ୟ AIକୁ ଦୃତ ଗତିରେ ଗ୍ରହଣ କରିବାରେ ଲାଗିଛନ୍ତି।
Google ଏବଂ OpenAI ରୁ ଅନେକ ଦେୟଯୁକ୍ତ AI ସବସ୍କ୍ରିପସନ ଭାରତରେ ମାଗଣାରେ କିମ୍ବା ଟେଲିକମ୍ କମ୍ପାନୀଗୁଡ଼ିକ ସହିତ ବଣ୍ଡଲ୍ ଅଫର ମାଧ୍ୟମରେ ଉପଲବ୍ଧ କରାଯାଉଛି। ବର୍ତ୍ତମାନ୍ ସମୟରେ ଭାରତ ବିଶ୍ୱର ପ୍ରମୁଖ AI ଇକୋସିଷ୍ଟମ ମଧ୍ୟରୁ ଗୋଟିଏ ହୋଇସାରିଛି। ଦେଶରେ ୨୦୦୦ ରୁ ଅଧିକ AI କମ୍ପାନୀ ଏବଂ ଷ୍ଟାର୍ଟଅପ୍ ସକ୍ରିୟ ଅଛନ୍ତି। ତେବେ ଏକ ରିପୋର୍ଟ ଅନୁଯାୟୀ, ଦେଶରେ GenAI ଷ୍ଟାର୍ଟଅପ୍ ସଂଖ୍ୟା ୮୯୦ ଅତିକ୍ରମ କରିସାରିଥିବା ବେଳେ ଏହି ସଂଖ୍ୟା ଆହୁରି ବୃଦ୍ଧି ପାଉଥିବା ଜଣାପଡିଛି।
Comments are closed.