ଭାରତୀୟ କ୍ରିକେଟ ଏବେ ନୂଆ କଳେବର ଦେଇ ଗତି କରୁଛି । ଅତ୍ୟଧିକ ପରୀକ୍ଷଣ କିମ୍ବା କିଛି ଲୋକଙ୍କ ଜିଦ ଯୋଗୁ ଟିମ ଇଣ୍ଡିଆ ବେଳେ ବେଳେ ବ୍ୟାକ ଗିୟର ପକାଇଥାଏ । ଗ୍ରେଗ ଚ୍ୟାପେଲଙ୍କଠାରୁ ଆରମ୍ଭ କରି ଅନେକ ଉଦାହରଣ ଆମ ନିକଟରେ ରହିଛି । ଅଜିତ ଅଗରକର ଚୟନ କମିଟି ଅଧ୍ୟକ୍ଷ ଏବଂ ଗୌତମ ଗମ୍ଭୀର ଭାରତୀୟ ଦଳର କୋଚ ହେବା ପରେ ଆମେ ଅନେକ ପରିବର୍ତନ ଦେଖିସାରିଛୁ । ଆଗମୀ ଦିନରେ ଏହା ଭାରତୀୟ କ୍ରିକେଟ ପାଇଁ ଭଲ କି ଖରାପ ତାହା ଜଣାପଡିଯିବ ।
ପ୍ରାରମ୍ଭିକ ବିଫଳତା ପରେ ଗମ୍ଭୀର ଆଣ୍ଡ ଟିମ ସାମୟିକ ସଫଳତା ପାଇଛନ୍ତି । ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ବିନା ଭାରତ ବୋଧହୁଏ ଚାମ୍ପିୟନ୍ସ ଟ୍ରଫି ଜିତି ପାରି ନ ଥାନ୍ତା । ସେମାନଙ୍କୁ ହାଣ ମୁହଁରେ ପକାଇବା ପରେ ତାଙ୍କୁ ପସନ୍ଦ ବା ରୋଲ ମଡେଲ ମନେ କରୁଥିବା ଖେଳାଳିଙ୍କୁ ପର୍ଯ୍ୟାପ୍ତ ସୁଯୋଗ ଦିଆଯାଉନି । ଏସିଆ କପ କ୍ରିକେଟ ପାଇଁ ଶ୍ରେୟାଶ ଆୟାରଙ୍କୁ ଦଳରେ ନ ନେବା ଏହାର ଜ୍ୱଳନ୍ତ ଉଦାହରଣ ।
ଆୟାରଙ୍କୁ କାହିଁକି ବାଦ ଦିଆଯାଉଛି ତାହା ସ୍ପଷ୍ଟ ହୋଇପାରୁ ନାହିଁ । ଏଥର ଏସିଆ କପ ଟି୨୦ ଫର୍ମାଟରେ ଖେଳାଯିବ । ଆଇପିଏଲ ୨୦୨୫ରେ ଆୟାର ୧୭ ମ୍ୟାଚରେ ୬୦୪ ରନ କରିଥିଲେ । ଷ୍ଟ୍ରାଇକ ରେଟ ୧୭୫ ରହିଥିଲା । ସିଜନରେ ଦ୍ୱିତୀୟ ସର୍ବାଧିକ ଛକା ମାରିଥିବା ଖେଳାଳି ମଧ୍ୟ ସେ ହୋଇଥିଲେ । କୋହଲି ମଧ୍ୟ ଆୟାରଙ୍କୁ ଗୁରୁତ୍ୱ ଦେଇ ଆସୁଥିଲେ । ଏହା ଏକ କାରଣ ହୋଇପାରେ ବୋଲି ମଧ୍ୟ ଅନୁମାନ କରାଯାଉଛି ।
କର୍ପୋରେଟ ଖେଳ ସାଜିଥିବା କ୍ରିକେଟ ଏବେ ଆମୂଳଚୂଳ ନିଜସ୍ୱ ଏକ ଟିମ ଚାହୁଁଛି । ଗ୍ରୁପରେ ଫିଟ ହେଲନି ତ ବାହାର । ଗମ୍ଭୀର ଓ କୋହଲିଙ୍କ ବିବାଦ ଆୟାର ପାଇଁ କାଳ ହେଉଛି । ରବିଚନ୍ଦ୍ରନ ଅଶ୍ୱୀନଙ୍କଠାରୁ ଆରମ୍ଭ କରି ଅନେକ ପୂର୍ବତନ ଖେଳାଳି ଆୟାରଙ୍କ ସପକ୍ଷରେ ମତ ଦେଇଛନ୍ତି । ଆୟାରଙ୍କ ଅଧିନାୟକ ଦକ୍ଷତା ପରୋକ୍ଷରେ ଶୁଭମନ ଗିଲ ଏବଂ ସୂର୍ଯ୍ୟକୁମାର ଯାଦବଙ୍କୁ ଅସୁବିଧାରେ ପକାଇପାରେ । ଏମାନେ ଏବେ ପସନ୍ଦର ଖେଳାଳି ହୋଇଥିବାରୁ ଆୟାରଙ୍କୁ ଦଳରେ ନେବା ପାଇଁ ଗମ୍ଭୀର ଓ ଅଗରକର ଚାହୁଁ ନାହାନ୍ତି । ଏସିଆ କପ ପରେ ଆୟାରଙ୍କୁ ନ ନେବା ଠିକ କି ଭୁଲ ହେବ ତାହା ଜଣାପଡିଯିବ । ସମୟକୁ ଅପେକ୍ଷା କରିବାକୁ ପଡିବ । ହଁ ଭାରତୀୟ କ୍ରିକେଟରେ ଭଲ ଖେଳାଳି ବଳି ପଡିବା ନୂଆ କଥା ନୁହେଁ ।
Comments are closed.