ଭୁବନେଶ୍ୱର: ଦରଦାମ କାହିଁକି ହୋଇପାରୁନି ନିୟନ୍ତ୍ରଣ? କିଏ ଏଥିପାଇଁ ଦାୟୀ? କେନ୍ଦ୍ର ସରକାର ନା ରାଜ୍ୟ ସରକାର? କ୍ରମାଗତ ଦ୍ୱିତୀୟ ମାସ ପାଇଁ ଖୁଚୁରା ମୁଦ୍ରାସ୍ଫୀତି ହାରରେ ବୃଦ୍ଧି ଘଟିଛି। ସେପ୍ଟେମ୍ବର ମାସରେ ଖୁଚୁରା ମୁଦ୍ରାସ୍ଫୀତି ହାର ୭.୪୧ ପ୍ରତିଶତକୁ ବୃଦ୍ଧି ପାଇଛି। ଅଗଷ୍ଟରେ ଏହି ଖୁଚୁରା ମୁଦ୍ରାସ୍ଫୀତି ୭% ଥିବା ବେଳେ ଜୁଲାଇରେ ଏହା ୬.୭୧% ରହିଥିଲା। ଯାହାକି ୫ ମାସ ମଧ୍ୟରେ ସର୍ବାଧିକ। ତେବେ ବର୍ଷକ ପୂର୍ବରୁ କିନ୍ତୁ ସେପ୍ଟେମ୍ବର ୨୦୨୧ରେ ଖୁଚୁରା ମୁଦ୍ରାସ୍ଫୀତି ହାର ୪.୩୫ ପ୍ରତିଶତ ଥିଲା। ଅର୍ଥାତ୍ ବର୍ଷକ ମଧ୍ୟରେ ଖାଦ୍ୟ ସାମଗ୍ରୀର ମୁଦ୍ରାସ୍ଫୀତି ହାର ପାଖାପାଖି ଡବଲ ବଢିଛି। ଏହି ରିପୋର୍ଟ ପ୍ରକାଶ ପାଇବା ପରେ ରାଜ୍ୟ ଏବଂ କେନ୍ଦ୍ରର ଶାସକ ଦଳ ବିଜେଡି ଓ ବିଜେପି ନେତା ପରସ୍ପର ସରକାରକୁ ଟାର୍ଗେଟ କରିଛନ୍ତି।
ଯଦି ଖାଦ୍ୟ ସାମଗ୍ରୀର ଦାରଦାମ ଦେଖିବା ତାହେଲେ ସେପ୍ଟେମ୍ବର ମାସରେ ଖାଦ୍ୟ ମୁଦ୍ରାସ୍ଫୀତି ୮.୬୦ ପ୍ରତିଶତରେ ପହଞ୍ଚିଛି। ଯାହା ଅଗଷ୍ଟରେ ୭.୬୨ ପ୍ରତିଶତ ଥିଲା। ସେପ୍ଟେମ୍ବର ମାସରେ ଉଭୟ ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳରେ ଖାଦ୍ୟ ମୁଦ୍ରାସ୍ଫୀତିରେ ବୃଦ୍ଧି ଘଟିଛି। ଜୁଲାଇରେ ଖାଦ୍ୟ ମୁଦ୍ରାସ୍ଫୀତି ୬.୭୫ ପ୍ରତିଶତ ଏବଂ ଜୁନରେ ୭.୭୫ ପ୍ରତିଶତ ଥିଲା। ପନିପରିବା ମୂଲ୍ୟରେ ବ୍ୟାପକ ବୃଦ୍ଧି ହେତୁ ସେପ୍ଟେମ୍ବର ମାସରେ ପନିପରିବାର ମୁଦ୍ରାସ୍ଫୀତି ହାର ୧୮.୦୫ ପ୍ରତିଶତ ଥିବାବେଳେ ଅଗଷ୍ଟ ୨୦୨୨ ରେ ୧୩.୨୩ ପ୍ରତିଶତ ଥିଲା।
ସାଧାରଣ ଲୋକେ କହିଛନ୍ତି, ଅତ୍ୟାବଶ୍ୟକ ସାମଗ୍ରୀର ଆକାଶଛୁଆଁ ଦରବୃଦ୍ଧି ଯୋଗୁ ଲୋକେ ଜୀବନଶୈଳୀ ସହ ସାଲିସ କରିବାକୁ ବାଧ୍ୟ ହେଉଛନ୍ତି। ବ୍ୟବସାୟୀ ସଙ୍ଘର ସାଧାରଣ ସମ୍ପାଦକ ସୁଧାକର ପଣ୍ଡା କହିଛନ୍ତି ଯେ, ଖୁଚୁରା ବଜାରରେ ବ୍ୟବସାୟୀଙ୍କ ମନମୁଖି ଭୂମିକା ଯୋଗୁଁ ଦର ବୃଦ୍ଧି ପାଉଛି। ଏହାବ୍ୟତୀତ ସାଧାରଣ ଜନତାଙ୍କ ଦୁର୍ଦ୍ଦଶାକୁ ନେଇ ମଧ୍ୟ ସରକାର ଚିନ୍ତିତ ନୁହନ୍ତି। ଖୁଚୁରା ବ୍ୟବସାୟ କ୍ଷେତ୍ରରେ ବିଭିନ୍ନ କମ୍ପାନି ଅନିୟମିତତା କରୁଥିବାରୁ ଛୋଟ ବ୍ୟବସାୟୀ ଏପରି କରିବାକୁ ବାଧ୍ଯ ହେଉଛନ୍ତି ବୋଲି ବ୍ଯବସାୟୀ ସଂଘ କହିଛି। ସେପଟେ କେନ୍ଦ୍ରରେ ସରକାରରେ ଥିବା ବିଜେପି ଓ ରାଜ୍ୟରେ ଥିବା ଶାସକ ଦଳ ବିଜେଡି ମଧ୍ୟରେ ଆରମ୍ଭ ହୋଇଯାଇଛି ବାକ୍ ଯୁଦ୍ଧ।
ରାଜ୍ୟ ଖାଦ୍ୟ ଯୋଗାଣ ବିଭାଗ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି, ଏହା ଏକ ଜାତୀୟ ସମସ୍ୟା। ଦରଦାମ ବୃଦ୍ଧିର ବିଭିନ୍ନ କାରଣ ରହିଛି। ଏହାକୁ ରୋକା ଯାଇପାରିବ। କେନ୍ଦ୍ର ସରକାର ପଦକ୍ଷେପ ନେବା ଦରକାର। ଅସାଧୁ ବ୍ୟବସାୟୀଙ୍କ ଉପରେ ଲଗାମ ଲଗାଇବାକୁ ସରକାର ସବୁ ପ୍ରକାର ପଦକ୍ଷେପ ନେଉଛନ୍ତି। ଅସାଧୁ ବ୍ୟବସାୟୀଙ୍କ ଉପରେ ଖାଦ୍ୟ ଯୋଗାଣ ବିଭାଗ ନଜର ରଖିଛି। ଜିଲ୍ଲାପାଳମାନଙ୍କୁ ଅବଗତ କରାଯାଇଛି। କେନ୍ଦ୍ର ସରକାର ତୁରନ୍ତ ତୈଳ ଦର ନିୟନ୍ତ୍ରଣ ପାଇଁ ପଦକ୍ଷେପ ନେବା ଜରୁରୀ। ଦରଦାମ ବୃଦ୍ଧି ସାଧାରଣ ଜନତାକୁ ବାଧୁଛି। ଦର କେମିତି ନିୟନ୍ତ୍ରଣ କରାଯିବା ସେ ବିଷୟରେ କେନ୍ଦ୍ର ସରକାର ତୁରନ୍ତ ଚିନ୍ତା କରିବା ଦରକାର।
ସେପଟେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିଛନ୍ତି, ସଂଘୀୟ ଶାସନ ବ୍ୟବସ୍ଥାରେ ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣ କରିବା ମଧ୍ୟ ରାଜ୍ୟର ଦାୟିତ୍ୱ। ଅନ୍ୟ ଉପରେ ଦୋଷ ଦେବା ଛାଡି ନିଜ କାମ ପ୍ରଥମେ କରନ୍ତୁ ରାଜ୍ୟ ସରକାର। ତୈଳ ଦର ନିୟନ୍ତ୍ରଣ କରିବା କେନ୍ଦ୍ରର ଦାୟିତ୍ୱ, କିନ୍ତୁ ମୁଖ୍ୟତଃ ପରିବା ଦର, ଅଣ୍ଡା ଦର ଓ ମାଛ ଦର ନିୟନ୍ତ୍ରଣ କରିବା କରିବା ରାଜ୍ୟ ସରକାରଙ୍କ ଦାୟିତ୍ୱ। କିନ୍ତୁ ରାଜ୍ୟ ସରକାର ଏଥିରେ ଫେଲ ହୋଇଛନ୍ତି। ଏବେର ସମୟରେ ୟୁରୋପୀୟ ଦେଶ ମଧ୍ୟ ଦରଦାମ ନିୟନ୍ତ୍ରଣ କରିପାରୁନାହାନ୍ତି। ହେଲେ ଆମ ଦେଶର ସ୍ଥିତି ଭଲ ଅଛି।
Comments are closed.