ନୂଆଦିଲ୍ଲୀ: ଆମେରିକାରେ ପାଳନ କରାଯାଉଥିବା ସମସ୍ତ ପର୍ବପର୍ବାଣି ମଧ୍ୟରୁ ‘ଥ୍ୟାଙ୍କସ୍ ଗିଭିଙ୍ଗ’ ହେଉଛି ଏକ ବିଶେଷ ପର୍ବ l ନଭେମ୍ବର ମାସର ଚତୁର୍ଥ ଗୁରୁବାରରେ ଏହି ପର୍ବ ପାଳନ କରାଯାଏ l ପରିବାର, ବନ୍ଧୁ ଏବଂ ପ୍ରିୟଜନଙ୍କ ସହିତ ସମ୍ପର୍କକୁ ମଜବୁତ କରିବା ଏବଂ ଜୀବନରେ ମିଳିଥିବା ସଫଳତା ପାଇଁ ଧନ୍ୟବାଦ ଦେବା ପାଇଁ ଏହି ଦିନଟି ବିଶେଷ ଭାବେ ପାଳନ କରାଯାଏ l ଏହି ପର୍ବକୁ ପାଳନ କରିବା ପାଇଁ ଆମେରିକାରେ ବିଭିନ୍ନ ପ୍ରକାରର ଖାଦ୍ୟ ପ୍ରସ୍ତୁତ କରାଯାଏ l ଆଉ ସେଥିମଧ୍ୟରୁ ତୁର୍କି ବିଶେଷ ଖାଦ୍ୟ ଅଟେ l ଆମେରିକାର ଏହି ପର୍ବରେ ତୁର୍କି ଖାଦ୍ୟର ଚାହିଦା ପଛରେ ରହିଛି ଏକ ବିଶେଷ କାହାଣୀ l ଆସନ୍ତୁ ଜାଣିବା ସେ କାହାଣୀ ବିଷୟରେ…
1621 ମସିହାରେ ପ୍ରଥମ ଥର ପାଇଁ ‘ଥ୍ୟାଙ୍କସ୍ ଗିଭିଙ୍ଗ’ ଆରମ୍ଭ ହୋଇଥିଲା l ପ୍ରଥମେ ଆମେରିକୀୟ ଉପନିବେଶବାଦୀମାନେ ସେମାନଙ୍କର ପ୍ରଥମ ଅମଳ ପରେ ‘ଅମଳ ଉତ୍ସବ’ ପାଳନ କରିଥିଲେ ତା ପରଠାରୁ ଏହି ‘ଥ୍ୟାଙ୍କସ୍ ଗିଭିଙ୍ଗ’ ଉତ୍ସବ ପାଳନ କରାଯାଉଛି l ସେମାନେ ଏହି ଉତ୍ସବ ସ୍ଥାନୀୟ ଆମେରିକୀୟ ଜନଜାତି, ବିଶେଷକରି ୱାମ୍ପାନାଗ୍ ଜନଜାତିଙ୍କ ସହ ମିଶି ଏହି ପର୍ବ ପାଳନ କରିଥିଲେ l ଏହି ଅବସରରେ ଗାଁର ସମସ୍ତ ଲୋକ ଏକାଠି ମିଶି ଖାଦ୍ୟ ଗ୍ରହଣ କରୁଥିଲେ ଏବଂ ସେମାନଙ୍କ ଜୀବନ ପାଇଁ ଭଗବାନଙ୍କୁ କୃତଜ୍ଞତା ଜଣାଉଥିଲେ।
ତେବେ କେବଳ ଆମେରିକାରେ ନୁହେଁ, କାନାଡା ଏବଂ ଅନ୍ୟ କେତେକ ଦେଶରେ ‘ଥ୍ୟାଙ୍କସ୍ ଗିଭିଙ୍ଗ’ ଭଳି ଏକ ପର୍ବ ପାଳନ କରାଯାଉଛି l କିନ୍ତୁ ଏହାକୁ ପାଳନ କରିବାର ଉପାୟ ଏବଂ ତାରିଖ ଭିନ୍ନ ଅଟେ l ଏହି ଦିନର ବିଶେଷ କଥା ହେଉଛି କୃଷି, ପ୍ରକୃତି ଏବଂ ପରିଶ୍ରମ ସହିତ ଜଡିତ ବିଶେଷ ମୁହୂର୍ତ୍ତକୁ ସମ୍ମାନିତ କରିବାର ଏକ ଉପାୟ l ଥ୍ୟାଙ୍କସ୍ ଗିଭିଙ୍ଗ ସହିତ ତୁର୍କୀ ଖାଦ୍ୟର ଏକ ବିଶେଷ ଇତିହାସ ଅଛି l ବାସ୍ତବରେ, 17 ଶତାବ୍ଦୀର ଆମେରିକାରେ ତୁର୍କି ନାମକ ଏକ ପକ୍ଷୀଙ୍କୁ ବହୁଳ ମାତ୍ରରେ ଦେଖିବାକୁ ମିଳୁଥିଲା l ପିଲିଗ୍ରିମ ଫାଦର୍ସମାନେ ଲକ୍ଷ୍ୟ କଲେ ଯେ ଦେଶରେ ଏହି ପକ୍ଷୀ ବହୁ ସଂଖ୍ୟାରେ ଉପଲବ୍ଧ ଏବଂ ଭଲ ଖାଦ୍ୟ ଯୋଗାଇପାରିବେ l ସେହି ସମୟରେ ସେମାନଙ୍କ ପାଖରେ ଅନ୍ୟ କିଛି ଖାଦ୍ୟର ବିକଳ୍ପ ମଧ୍ୟ ସେତେଟା ନଥିଲା l ତେଣୁ ଏହି ପକ୍ଷୀ ସାଧାରଣରେ ପ୍ରଥମ ପସନ୍ଦ ହୋଇଗଲା l
କହିରଖୁଛୁ ଯେ, ତୁର୍କୀ ହେଉଛି ଆମେରିକାର ମାଳଦ୍ୱୀପରେ ଦେଖିବାକୁ ମିଳୁଥିବା ଏକ ପ୍ରକାରର ପକ୍ଷୀ l ଏହି ପକ୍ଷୀମାନଙ୍କୁ ୟୁରୋପରୁ ଅଣାଯାଇଥିବା ଅନ୍ୟ ପକ୍ଷୀମାନଙ୍କ ଅପେକ୍ଷା ସହଜରେ ଶିକାର କରାଯାଇପାରେ l ଯେତେବେଳେ ଆମେରିକାରେ ‘ଥ୍ୟାଙ୍କସ୍ ଗିଭିଙ୍ଗ’ ପର୍ବର ପରମ୍ପରା ବଢ଼ିଲା, ସେତେବେଳେ ଏହି ବିଶେଷ ପର୍ବର ପ୍ରତୀକ ଭାବରେ ଏହି ପକ୍ଷୀକୁ ଗ୍ରହଣ କରାଗଲା l ସମୟ ବଢିବା ସହିତ ଏହା ଏକ ସ୍ଥାୟୀ ପରମ୍ପରା ପାଲଟିଗଲା l ତେବେ ଆଜି ମଧ୍ୟ ‘ଥ୍ୟାଙ୍କସ୍ ଗିଭିଙ୍ଗ’ରେ ତୁର୍କି ଖାଇବା ପ୍ରଥା ପ୍ରଚଳିତ ଅଛି l