Latest Odisha News

BREAKING NEWS

ଏସଆଇରୁ ଏସଆଇ ପଦୋନ୍ନତି ପ୍ରସ୍ତାବକୁ ଖାରଜ କରିଥିଲେ ଗୋପାଳ, ପଢ଼ନ୍ତୁ କ’ଣ ରହିଛି କାରଣ…

ଭୁବନେଶ୍ୱର: ମନ୍ତ୍ରୀ ନବ କିଶୋର ଦାସଙ୍କୁ ହତ୍ୟା କରିଥିବା ଅଭିଯୁକ୍ତ ବହିଷ୍କୃତ ପୁଲିସ ଏଏସ୍ଆଇ ଗୋପାଳ ଦାସ କିଛି ମାସ ତଳେ ସବ୍-ଇନ୍ସପେକ୍ଟର ବା ଏସଆଇ ପାହ୍ୟାକୁ ପଦୋନ୍ନତି ପାଇବାରୁ ବଞ୍ଚିତ ହୋଇଥିଲେ। ହତ୍ୟା ମାମଲାର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ପକ୍ଷରୁ ଏହି ସୂଚନା ମିଳିଛି।

ଜାତୀୟ ଇଂରାଜୀ ଗଣମାଧ୍ୟମ ଟାଇମ୍ସ ଅଫ୍ ଇଣ୍ଡିଆରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଗୋପାଳକୁ ଏସ୍ଆଇ ପାହ୍ୟାକୁ ପଦୋନ୍ନତି ପ୍ରସ୍ତାବ ଦିଆଯାଇଥିଲା। କିନ୍ତୁ ସେ ଏ ଏହାକୁ ଗ୍ରହଣ ନକରି ଏଏସଆଇ ପଦରେ ରହିବାକୁ ଇଚ୍ଛା ପ୍ରକାଶ କରିଥିଲେ ବୋଲି କ୍ରାଇମବ୍ରାଞ୍ଚର ଜଣେ ଅଧିକାରୀ କହିଛନ୍ତି।

ଏସଆଇ ଭାବେ ପଦୋନ୍ନତି ହେଲେ ତାଙ୍କର ବଦଳି ହୋଇଯିବା ଭାବେ ବୋଧହୁଏ ସେ ଅଫରକୁ ପ୍ରତ୍ୟାଖ୍ୟାନ କରିଥିବା ସୂଚନା ରହିଛି। କାରଣ ପୂର୍ବ ରିପୋର୍ଟକୁ ଯଦି ଦେଖିବା ତାହେଲେ ଗୋପାଳ କୁଆଡେ ୪ ମାସ ପୂର୍ବରୁ ନବ ଦାସଙ୍କୁ ମାରିବାକୁ ଉଦ୍ୟମ କରୁଥିଲା। ଆଉ ଅସନ୍ତୋଷ କମିଯିବ ଭାବି ଔଷଧ ଖାଉନଥିଲେ। କାରଣ ସେ ମାନିସକ ରୋଗରେ ଆକ୍ରାନ୍ତ ବୋଲି ତାଙ୍କ ପରିବାର ଲୋକେ ଦାବି କରିଛନ୍ତି।

ଉଲ୍ଲେଖଯୋଗ୍ୟ, ଜାନୁଆରୀ ୨୯ ତାରିଖରେ ନବ ଦାସଙ୍କୁ ଗୋପାଳ ଦାସ ଗୁଳି ମାରିବାରୁ ତାଙ୍କର ମୃତ୍ୟୁ ଘଟିଛି। ଏହି ଘଟଣାକୁ ଏଯାବତ ୧୮ ଦିନି ବିତିଥିଲେ ମଧ୍ୟ ହତ୍ୟାର ରହସ୍ୟ ସାମ୍ନାକୁ ଆସିପାରିନାହିଁ। ଏବେ ଅଭିଯୁକ୍ତ ଗୋପାଳ ଦାସ କଟକ ଚୌଦ୍ୱାର ସ୍ଥିତ ଜେଲର ସେଲ ନମ୍ବର ୩ରେ ରହିଛି। ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ସେ ଝାରସୁଗୁଡା ଉପକାରାଗାରରୁ ଚୌଦ୍ୱାର ଜେଲକୁ ସ୍ଥାନାନ୍ତିରତ ହୋଇଛି।

୫୪ ବର୍ଷୀୟ ଗୋପାଳ ୧୯୯୨ ମସିହା ଜୁଲାଇ ୮ ତାରିଖରେ ଓଡ଼ିଶା ପୁଲିସରେ କନଷ୍ଟେବଳ ଭାବେ ଯୋଗ ଦେଇଥିଲେ। ୨୦୦୯ ମସିହା ଅକ୍ଟୋବର ୯ ତାରିଖରେ ଏଏସ୍ଆଇ ପାହ୍ୟାକୁ ପଦୋନ୍ନତି ପାଇଥିଲେ।

ଗତବର୍ଷ ଗୋପାଳଙ୍କ ସମେତ ରାଜ୍ୟର ଅନେକ ଏଏସ୍ଆଇଙ୍କୁ ଏସ୍ଆଇ ପାହ୍ୟାକୁ ପଦୋନ୍ନତି ଦେବାକୁ ଓଡ଼ିଶା ପୁଲିସର ବିଭାଗୀୟ ପଦୋନ୍ନତି କମିଟି (ଡିପିସି) ମଞ୍ଜୁରୀ ଦେଇଥିଲା। ପ୍ରକ୍ରିୟା ଅନୁୟାୟୀ ପଦୋନ୍ନତି ପାଇଥିବା ଅଧିକାରୀମାନେ ପଦୋନ୍ନତିର ଲାଭ ଉଠାଇବାକୁ ଚାହୁଁଛନ୍ତି କି ନାହିଁ ସେ ସମ୍ପର୍କରେ ସେମାନଙ୍କ ଏସପିଙ୍କୁ ଜଣାଇବାକୁ କୁହାଯାଇଥିଲା। ଗୋପାଳ ଏକମାତ୍ର ଅଧିକାରୀ ଥିଲେ, ଯିଏ ପଦୋନ୍ନତି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିଲେ ବୋଲି ଝାରସୁଗୁଡ଼ାର ଜଣେ ପୁଲିସ ଅଧିକାରୀ କହିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ ପଦୋନ୍ନତି ହେଲେ କିମ୍ବା ଅଧିକ ଦାୟିତ୍ବ ମିଳିଲେ ବଦଳିକୁ ଏଡ଼ାଇବା ପାଇଁ ଅନେକ ପୋଲିସ ଅଧିକାରୀ ପଦୋନ୍ନତିକୁ ପ୍ରତ୍ୟାହାର କରିଛନ୍ତି।

ପୋଲିସରେ ଭଲ କାମ ପାଇଁ ଗୋପାଳର ସର୍ଭିସ ବୁକରେ ୧୨ଟି ‘ଗୁଡ୍’ ରିପୋର୍ଟ ରହିଛି। ସେହିପରି ତାଙ୍କ ସର୍ଭିସ ବୁକ୍ ଦର୍ଶାଇଛି ଯେ ଭଲ ତଦନ୍ତ ପାଇଁ ସେ ୧୮ଟି ପଦକ/ସମ୍ମାନ ଜିତିଛନ୍ତି ଏବଂ କ୍ୟାରିଅରରେ ତାଙ୍କୁ ଆଠ ଥର ନଗଦ ପୁରସ୍କାର ପ୍ରଦାନ କରାଯାଇଛି।
ସେ କେବଳ ଥରେ ସାମାନ୍ୟ ଦଣ୍ଡର ଶ୍ରେଣୀରେ ଦଣ୍ଡିତ ହୋଇଥିଲା। ଯାହା କେବଳ ଚେତାବନୀ ଥିଲା। ଦୀର୍ଘ ବର୍ଷ ହେବ ଗୋପାଳ ଝାରସୁଗୁଡ଼ା ଜିଲ୍ଲାର ବିଭିନ୍ନ ଥାନା ଓ ଫାଣ୍ଡିରେ କାର୍ଯ୍ୟରତ ଥିଲେ। ହତ୍ୟା ଅଭିଯୋଗ ଆସିବା ପୂର୍ବରୁ ସେ ବ୍ରଜରାଜନଗରର ଗାନ୍ଧୀ ଛକ ଫାଣ୍ଡିରେ ଏଏସଆଇ ଭାବେ ନିୟୋଜିତ ଥିଲେ।

 

Comments are closed.