Latest Odisha News

ଡାକ୍ତରୀ ପଢିବା ପାଇଁ ବିଦେଶ ମୁହାଁ ଭାରତୀୟ ଛାତ୍ର   

ନୂଆଦିଲ୍ଲୀ: ଭାରତରେ ଡାକ୍ତରୀ ଶିକ୍ଷା ଦିନକୁ ଦିନ ମହଙ୍ଗା ହେବାରେ ଲାଗିଛି କି ? ଗୁଣାତ୍ମକ ଡାକ୍ତରୀ ଶିକ୍ଷାର ଅଭାବ ନଥିଲେ ମଧ୍ୟ ଦେଶର ଅଧିକରୁ ଅଧିକ ଛାତ୍ରଛାତ୍ରୀ ବିଦେଶକୁ ଡାକ୍ତରୀ ପଢିବା ପାଇଁ ଯିବା ଚିନ୍ତାର ବିଷୟ ନିଶ୍ଚୟ ।

ସରକାରୀ ତଥ୍ୟ ଅନୁସାରେ ୨୦୨୨ରେ ମୋଟ ୭ ଲକ୍ଷ ୪୦ ହଜାର ୩୬୫ ଛାତ୍ରଛାତ୍ରୀ ବିଦେଶକୁ ପଢିବା ପାଇଁ ଯାଇଥିଲେ । ୨୦୨୧ ତୁଳନାରେ ଏହି ସଂଖ୍ୟା ୬୯ ପ୍ରତିଶତ ଅଧିକ । ଆଉ ଆଗ ଭଳି ଆମେରିକା, ବ୍ରିଟେନ ଓ ଜର୍ମାନୀକୁ ଯାଉନାହାନ୍ତି ଭାରତୀୟ ଛାତ୍ରଛାତ୍ରୀ । କମ୍ ଖର୍ଚ୍ଚରେ ଡାକ୍ତରୀ ଶିକ୍ଷା ଉପଲବ୍ଧ ଥିବା ଚୀନ, ୟୁକ୍ରେନ, ଋଷିଆ, ଫିଲିପାଇନ୍ସ ଓ କାରିବିୟାନ ଦେଶଗୁଡିକୁ ଆଜିକାଲି ବହୁଳ ଭାବେ ଡାକ୍ତରୀ ଶିକ୍ଷା ପାଇଁ ଯାଉଛନ୍ତି ଭାରତୀୟ ଛାତ୍ର । କିନ୍ତୁ ସବୁଠି ଗୁଣାତ୍ମକ ଡାକ୍ତରୀ ଶିକ୍ଷା ମିଳେ ନାହିଁ । ବିଦେଶରେ ଡାକ୍ତରୀ ଶିକ୍ଷାର ଗୁଣାତ୍ମକ ମାନ ନେଇ ଏକ ସଂସଦୀୟ କମିଟି ଉଦବେଗ ପ୍ରକାଶ କରିଛି। ଭାରତୀୟ ଛାତ୍ରଛାତ୍ରୀଙ୍କୁ ବିଦେଶ ଯାତ୍ରା ରୋକିବା ପାଇଁ ସରକାର ପଦକ୍ଷେପ ନେବା ଦରକାର ବୋଲି ମତ ଦେଇଛି ସଂସଦୀୟ କମିଟି ।

୨୦୨୦ର ଜାତୀୟ ଶିକ୍ଷା ନୀତି ଅନୁସାରେ ଭାରତରେ ସୁଲଭ ଖର୍ଚ୍ଚରେ ଗୁଣାତ୍ମକ ଉଚ୍ଚଶିକ୍ଷା ଯୋଗାଇ ଦେବା ପାଇଁ କେନ୍ଦ୍ର ସରକାର ଗୁରୁତ୍ୱାରୋପ କରିଛନ୍ତି। ଭାରତରେ ସରକାରୀ ମେଡିକାଲ କଲେଜରେ ନାମ ଲେଖାଇବା ସହଜ ନୁହେଁ । ପ୍ରାଇଭେଟ କଲେଜରେ ଡାକ୍ତରୀ ପଢିବା ମହଙ୍ଗା ବ୍ୟାପାର । ତଥ୍ୟ କହୁଛି ଯେ, ଭାରତରେ ପ୍ରାଇଭେଟ ମେଡିକାଲ କଲେଜରେ ପଢାଖର୍ଚ୍ଚ ଚାରି ଗୁଣା ବୃଦ୍ଧି ପାଇଛି । ୨୦୦୮ରେ ଏକ ମେଡିକାଲ କୋର୍ସ ପାଇଁ ଖର୍ଚ୍ଚ ହେଉଥିଲା ମାତ୍ର ୩୦ଲକ୍ଷ ଟଙ୍କା। ଏବେ ଏହା ବଢି ୧ କୋଟି ୨୦ ଲକ୍ଷ ଟଙ୍କା ହେଲାଣି । ସରକାରୀ ମେଡିକାଲ କଲେଜରେ କମ୍ ଖର୍ଚ୍ଚରେ ପାଠପଢା ହୋଇଯାଏ । ଅଢେଇ ବା ତିନି ଲକ୍ଷ ଟଙ୍କାରେ ପାଠପଢା ଶେଷ ହୁଏ । ଭାରତରେ ମୋଟ ମେଡିକାଲ ସିଟ୍ ମଧ୍ୟରୁ ୪୮ ପ୍ରତିଶତ ପ୍ରାଇଭେଟ କଲେଜ ଓ ବାକି ସରକାରୀ ମେଡିକାଲ କଲେଜର ହୋଇଥାଏ ।

ଗତବର୍ଷ  ନିଟ୍ ୟୁଜି ପରୀକ୍ଷା ସମୀକ୍ଷାରୁ ଜଣାପଡିଛି ଯେ, ପରୀକ୍ଷାରେ ସଫଳ ପ୍ରତି ୧୧ ଛାତ୍ରଛାତ୍ରୀଙ୍କ ମଧ୍ୟରୁ କେବଳ ଜଣଙ୍କୁ ହିଁ ସରକାରୀ ମେଡିକାଲ କଲେଜରେ ସିଟ୍ ମିଳିଥିଲା । ଯେଉଁ ଛାତ୍ରଛାତ୍ରୀ  ଆର୍ଥିକ ଭାବେ ସ୍ୱଚ୍ଛଳ, ସେମାନେ ଭାରତର ପ୍ରାଇଭେଟ ମେଡିକାଲ କଲେଜରେ ପଢିପାରିବେ । ଆଉ ଯେଉଁମାନେ ଖର୍ଚ୍ଚ ଉଠାଇପାରିବେ ନାହିଁ ସେମାନେ ବିଦେଶକୁ ଯାଇଥାଆନ୍ତି । ଭାରତରେ ବର୍ତ୍ତମାନ ୭ ଶହରୁ ଅଧିକ ମେଡିକାଲ କଲେଜ ରହିିଛି । କଲେଜ ସଂଖ୍ୟା ଦ୍ରୁତ ଗତିରେ ବଢୁଥିଲେ ମଧ୍ୟ ପଢାଇବାକୁ ଆବଶ୍ୟକ ସଂଖ୍ୟକ ଶିକ୍ଷକ ନାହାନ୍ତି ।

Comments are closed.