Latest Odisha News

ଦେଖିଛନ୍ତି କି କେବେ ଏହି ଲାଲ ରଙ୍ଗର ଖ୍ରୀଷ୍ଟମାସ ବାର୍ଡ?

ଭୁବନେଶ୍ୱର: ବଡଦିନକୁ ଆଉ ମାତ୍ର ଦୁଇ ଦିନ l ଦୁଇ ଦିନ ପରେ ଖ୍ରୀଷ୍ଟମାସ ସାରା ବିଶ୍ୱରେ ପାଳନ କରାଯିବ l ସାଧାରଣତଃ ଆମେରିକା ସମେତ ୟୁରୋପୀୟ ଦେଶମାନଙ୍କରେ ଏହି ପର୍ବ ବେଶ ଧୁମଧାମରେ ପାଳନ କରାଯାଏ l ତେବେ ଏହି ଖ୍ରୀଷ୍ଟମାସ କେବଳ ଏକ ପର୍ବ ନୁହେଁ ଏହି ନାମରେ ଏକ ପକ୍ଷୀ ମଧ୍ୟ ଅଛି l ଯାହାକୁ ଖ୍ରୀଷ୍ଟମାସ ବାର୍ଡ ନାମରେ ଜଣାଯାଏ l ଆଉ ଏହି ପକ୍ଷୀ ସାଧାରଣତଃ ଏହି ଖ୍ରୀଷ୍ଟମାସ ସମୟରେ ହିଁ ଦେଖାଯାଏ l

ତେବେ ଖ୍ରୀଷ୍ଟମାସ ସମୟରେ ଏକ ସିନ୍ଦୁରୀ ଲାଲ ରଙ୍ଗର ଏକ ସୁନ୍ଦର ପକ୍ଷୀ ଦେଖିବାକୁ ମିଳେ l ବାସ୍ତବରେ, କାର୍ଡିନାଲ୍ କିମ୍ବା ନର୍ଥର୍ନ କାର୍ଡିନାଲ୍ ଭାବରେ ଜଣାଶୁଣା ଏହି ଆକର୍ଷଣୀୟ ପକ୍ଷୀ ବିଶେଷ ଭାବରେ ଉତ୍ତର ଆମେରିକାରେ ଦେଖାଯାଏ l କିନ୍ତୁ ଖ୍ରୀଷ୍ଟମାସ ସମୟରେ ଏହି ପକ୍ଷୀ ଅଧିକ ମାତ୍ରାରେ ଦେଖା ଯାଆନ୍ତି l କେବଳ ଏତିକି ନୁହେଁ, ଖ୍ରୀଷ୍ଟମାସ ମାସରେ ଏମାନେ ଗୀତ ମଧ୍ୟ ଗାଉଥିବାର କୁହାଯାଏ l ସେଥିପାଇଁ ସେମାନେ ଖ୍ରୀଷ୍ଟମାସ ପକ୍ଷୀ ଭାବରେ ମଧ୍ୟ ଜଣାଶୁଣା l କାର୍ଡିନାଲ୍ କିମ୍ବା ନର୍ଥର୍ନ କାର୍ଡିନାଲ୍ ର ପୁରୁଷ ଏବଂ ମହିଳା ପକ୍ଷୀମାନଙ୍କ ମଧ୍ୟରେ ସାମାନ୍ୟ ପାର୍ଥକ୍ୟ ଦେଖାଯାଏ l ନର୍ଥର୍ନ କାର୍ଡିନାଲ୍ ର ପୁରୁଷ ଏବଂ ମହିଳା ପକ୍ଷୀଙ୍କ ମଧ୍ୟରେ ମୁଖ୍ୟ ପାର୍ଥକ୍ୟ ହେଉଛି ସେମାନଙ୍କର ରଙ୍ଗ l ପୁରୁଷ ପକ୍ଷୀର ରଙ୍ଗ ସିନ୍ଦୁରୀ ଲାଲ ହୋଇଥିବାବେଳେ ମହିଳା ପକ୍ଷୀର ରଙ୍ଗ ସାମାନ୍ୟ ବାଦାମୀ କିମ୍ବା ଧୂସର ହୋଇଥାଏ l ଏହା ବ୍ୟତୀତ ହଳଦିଆ ଏବଂ ଧଳା ରଙ୍ଗର ମଧ୍ୟ ଏହି ପକ୍ଷୀ ଦେଖାଯାନ୍ତି l

ସବୁ ପକ୍ଷୀ ମାନଙ୍କ ପରି ଏମାନଙ୍କର ମଧ୍ୟ ଲାଞ୍ଜ, ଥଣ୍ଟ, ଏବଂ ପର ଥାଏ l ସେସବୁ ମଧ୍ୟ ଲାଲ ରଙ୍ଗର ହୋଇଥାଏ l କୁହାଯାଏ ଏହି ପକ୍ଷୀମାନଙ୍କୁ ତାଙ୍କର ଏହି ରଙ୍ଗ ତାଙ୍କ ଖାଦ୍ୟରୁ ମିଳେ l ସେମାନଙ୍କ ଖାଦ୍ୟରେ ଥିବା କାରୋଟିନଏଡ୍ ସେମାନଙ୍କୁ ନାଲି, କମଳା, ହଳଦିଆ ଏବଂ ଗୋଲାପୀ ରଙ୍ଗ ଦେଇଥାଏ l ଏହି ସମସ୍ତ ରଙ୍ଗଗୁଡିକ ସେମାନଙ୍କର ପରରେ ବିଭିନ୍ନ ରଙ୍ଗର ଦେଖାଯାଏ l ମହିଳା କାର୍ଡିନାଲ୍ ପକ୍ଷୀ ଗୁଡିକ ହଳଦିଆ କିମ୍ବା ଧୂସର ରଙ୍ଗର ଅଧିକ ଦେଖାଯାଏ, ଲାଲ ରଙ୍ଗର ମାଇ ପକ୍ଷୀ ବହୁତ କମ୍ ଦେଖାଯାଆନ୍ତି l ନର୍ଥର୍ନ କାର୍ଡିନାଲ୍ ପକ୍ଷୀ ମାନଙ୍କର ବିଶେଷତା ହେଉଛି ସେମାଙ୍କର ସ୍ୱର l ଏମାନେ ବିଭିନ୍ନ ପ୍ରକାରରେ ସ୍ୱର କରି ଗୀତ ଗାଇଥାନ୍ତି l କହିବାକୁ ଗଲେ ଏମାନେ ପ୍ରାୟ 24 ପ୍ରକାରର ଗୀତ ଗାଇଥାନ୍ତି l

Leave A Reply

Your email address will not be published.