ନୂଆଦିଲ୍ଲୀ: ଲାଲ କିଲ୍ଲା ଉପରେ ଅଧିକାର ଜାହିର କରି ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଥିଲେ ଜଣେ ମହିଳା। ସୋମବାର ଦାୟର ଆବେଦନକୁ ଖାରଜ କରି ଦେଇଛନ୍ତି ସର୍ବୋଚ୍ଚ ଅଦାଲତ।
ଆବେଦନକାରୀ ହେଉଛନ୍ତି ରଜିଆ ସୁଲତାନା ବେଗମ। ମହିଳା ଜଣକ ନିଜକୁ ମୋଗଲ ସମ୍ରାଟ ବାହାଦୁର ଶାହ ଜାଫରଙ୍କ ବଂଶଧର ବୋଲି ଦାବି କରିଥିଲେ ଏବଂ ତାଙ୍କ ବଂଶଧର ଭାବେ ଲାଲକିଲ୍ଲାର ଅଧିକାର ମଧ୍ୟ ଦାବି କରିଥିଲେ। ତେବେ ଏହି ଆବେଦନକୁ ସମ୍ପୂର୍ଣ୍ଣ ଭୁଲ ବୋଲି ଦର୍ଶାଇ ଖାରଜ କରିଥିଲେ ସୁପ୍ରିମକୋର୍ଟ। ପ୍ରଧାନ ବିଚାରପତି ସଞ୍ଜିବ ଖାନ୍ନା ଏବଂ ବିଚାରପତି ପିଭି ସଞ୍ଜୟ କୁମାରଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି, “କେବଳ ଲାଲକିଲ୍ଲା କାହିଁକି ଦାବି କରୁଛନ୍ତି? ଫତେପୁର ସିକ୍ରି କାହିଁକି ନୁହେଁ? ସେମାନଙ୍କୁ ମଧ୍ୟ କାହିଁକି ବାଦ ଦିଆଯିବା ଉଚିତ୍?
୨୦୨୧ ମସିହାରେ ମହିଳା ଜଣକ ପ୍ରଥମ ଥର ପାଇଁ ଦିଲ୍ଲୀ ହାଇକୋର୍ଟରେ ଏହି ଆବେଦନ ଦାଖଲ କରିଥିଲେ। କିନ୍ତୁ ଆବେଦନରେ ୧୬୪ ବର୍ଷ ବିଳମ୍ବ ହୋଇଥିବାରୁ ଏହାକୁ ଖାରଜ କରାଯାଉଥିବା ହାଇକୋର୍ଟ କହିଥିଲେ। ଯାହା ପରେ ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଥିଲା। ସିଜେଆଇ ସଞ୍ଜିବ ଖାନ୍ନାଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ ମଧ୍ୟ ଏହାକୁ ଖାରଜ କରିଦେଇଛନ୍ତି।
ମୋଗଲ ସାମ୍ରାଜ୍ୟର ଶେଷ ବାଦଶାହ ବାହାଦୁର ଶାହ ଜଫରଙ୍କ ଅଣନାତି ବେଦାର ବଖ୍ତଙ୍କୁ ସେ ୧୯୬୫ ମସିହା ଅଗଷ୍ଟ ୧୫ ତାରିଖରେ ବିବାହ କରିଥିଲେ । ସେତେବେଳେ ସେ ୧୨ ବର୍ଷ ବୟସର ହୋଇଥିଲେ।
ଆବେଦନରେ ସୁଲତାନା କହିଥିଲେ, ସେ ଲାଲ୍ କିଲାର ପ୍ରକୃତ ମାଲିକ । କାରଣ ଏହି ସମ୍ପତ୍ତି ତାଙ୍କ ପୂର୍ବଜ ବାହାଦୁର ଶାହ ଜଫର ୨ୟଙ୍କଠୁ ତାଙ୍କୁ ମିଳିଥିଲା । ଯାହା ଉପରେ ସରକାର କବଜା କରିଛନ୍ତି।
ସୁଲତାନା ବେଗମ ତାଙ୍କ ଆବେଦନରେ ଏହା ମଧ୍ୟ କହିଥିଲେ ଯେ ତାଙ୍କୁ ସରକାରଙ୍କଠାରୁ ଆର୍ଥିକ ସହାୟତା ମିଳିବା ଉଚିତ। କାରଣ ସେ ଏକ ରାଜବଂଶର ବିଧବା ବୋହୂ ଏବଂ ଆର୍ଥିକ ସମସ୍ୟା ଭିତରେ ଦିନ କାଟୁଛନ୍ତି। କିନ୍ତୁ ସୁପ୍ରିମକୋର୍ଟ ସ୍ପଷ୍ଟ କରିଦେଇଛନ୍ତି ଯେ ଏତେ ବର୍ଷ ପରେ ଏପରି ଦାବିକୁ ଆଇନଗତ ଭାବରେ ଗ୍ରହଣ କରାଯାଇପାରିବ ନାହିଁ।
Comments are closed.