Latest Odisha News

BREAKING NEWS

ବିଡିଓଙ୍କ ବେଳେ ନିର୍ବାଚନ ଆଚରଣ ବିଧିର ଦ୍ବାହି, ନିର୍ବାଚନ କମିଶନଙ୍କ ବେଳେ?

ଭୁବନେଶ୍ୱର: ନିର୍ବାଚନ କମିଶନ ପଦରେ ଯିଏ ରହିବେ ସେ ସରକାରରେ ସାମିଲ ହେବେ ନାହିଁ। ଏପରି ହେଲେ ନିର୍ବାଚନ ସ୍ବଚ୍ଛ ଓ ପାରଦର୍ଶୀତା ରହିବ। ତେଣୁ ନିର୍ବାଚନ କମିଶନ ପଦରେ ଥିବା ବ୍ୟକ୍ତି ସରକାରର ଅନ୍ୟ କୌଣସି ପଦରେ ବସନ୍ତି ନାହିଁ। ହେଲେ ରାଜ୍ୟ ସରକାର ସୁନୀଲ ଲୋହନୀଙ୍କୁ ରାଜ୍ୟ ନିର୍ବାଚନ କମିଶନର ପଦବୀରେ ବସାଇବା ସହିତ ପଞ୍ଚାୟତ ରାଜି ବିଭାଗର ପ୍ରମୁଖ ସଚିବ ଦାୟିତ୍ୱ ମଧ୍ୟ ଦେଇଛନ୍ତି। ଅର୍ଥାତ ଜଣେ ବ୍ଯକ୍ତି ଦୁଇଟି ପଦବୀରେ ବସିଛନ୍ତି। ଏବେ ଏହାକୁ ପ୍ରସଙ୍ଗ କରି ଦିଲ୍ଲୀରେ ନିର୍ବାଚନ କମିଶନରଙ୍କୁ ରାଜ୍ୟ ବିଜେପିର ଏକ ଟିମ୍ ଭେଟି ଆପତ୍ତି ଜଣାଇଥିବା ସୂଚନା ରହିଛି।

ନିକଟରେ ଭଦ୍ରକ ଧାମନଗର ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଆଚରଣ ବିଧି ଲାଗୁ ହୋଇଥିବାରୁ ସରକାରୀ ଅଧିକାରୀଙ୍କୁ ବଦଳି କରିହେବ ନାହିଁ ବୋଲି ନିୟମ ରହିଛି। କିନ୍ତୁ ରାଜ୍ୟ ସରକାର ଧାମନଗର ଓ ତିହିଡ଼ି ବିଡିଓଙ୍କୁ ବଦଳି କରାଇଥିଲେ। ଆଉ ଧାମନଗର ବିଡିଓ ଭାବେ କୋରାପୁଟର ଲକ୍ଷ୍ମୀପୁର ତହସିଲଦାର ବନବିହାରୀ ଦିଣ୍ଡାଙ୍କୁ ଦାୟିତ୍ବ ମିଳିଥିଲା। ସେହିପରି କଳାହାଣ୍ଡି କେସିଙ୍ଗା ତହସିଲଦାର ଜ୍ୟୋତିର୍ମୟ କର ହୋଇଥିଲେ ତିହିଡି ବିଡିଓ। ଏହାକୁ ନେଇ ବିଭିନ୍ନ ଗଣମାଧ୍ୟମ ଓ ବିରୋଧୀ ବିଜେପି ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ରାଜ୍ୟ ନିର୍ବାଚନ କମିଶନର ସଫେଇ ଦେଇ କହିଛନ୍ତି 2018ରୁ ଧାମନଗର ବିଡିଓ ଭାବେ ଦୁର୍ଗା ଚରଣ ମୁର୍ମୁ ଦାୟିତ୍ୱରେ ଥିଲେ ନିର୍ବାଚନ ବେଳେ 3 ବର୍ଷରୁ ଅଧିକ ସମୟ ଥିବାରୁ ତାଙ୍କୁ ବଦଳି କରାଯାଇଛି ସେହିପରି ତିହିଡି ବିଡିଓ ବସନ୍ତ କୁମାର ସାହାଣୀଙ୍କ ଘର ଧାମନଗର ନିର୍ବାଚନ ମଣ୍ଡଳୀରେ ହୋଇଥିବାରୁ ବଦଳି କରାଯାଇଛି। ତେଣୁ କୌଣସି ନିୟମ ଉଲ୍ଲଂଘନ ହୋଇନାହିଁ।

କିନ୍ତୁ ପ୍ରଶ୍ନ ଉଠୁଛି ଯଦି ଦୁଇ ବିଡିଓଙ୍କ ପାଇଁ ଯଦି ଏପରି ନିୟମ ତାହେଲେ ସୁନୀଲ ଲୋହନୀ କିପରି ଦୁଇଟି ପଦରେ ରହିବେ? ଯେତେବେଳେ ସେ ନିର୍ବାଚନ ପରିଚାଳନା ଦାୟିତ୍ୱରେ ରହିଛନ୍ତି ସେତେବେଳେ ସେ କିପରି ପଞ୍ଚାୟତ ରାଜ ବିଭାଗର ପ୍ରମୁଖ ସଚିବ ରହିଛନ୍ତି।

Comments are closed.