Latest Odisha News

BREAKING NEWS

ବିଧବା ନବୀନାଙ୍କ ଅସହାୟ ପରିବାର, ପ୍ରଶାସନ ସହାୟତାକୁ ଅପେକ୍ଷା

ନବରଙ୍ଗପୁର : ଭଙ୍ଗା ଦଦରା ଘର,୩ ନାବାଳିକା ଝିଅ ସହ ବିଧବା ମହିଳା,ପର ଘରେ ଅଇଁଠା ବାସନ ମାଜିଲେ ପରିବାରକୁ ଗଣ୍ଡେ ଖାଇବାକୁ ମିଳେ । ଅଧାବାଟରୁ ହାତଛାଡି ଆରପାରିକୁ ଚାଲିଗଲା ସ୍ୱାମୀ, ଝିଅ ବି ପାଠଛାଡି ବାସନ ମାଜିବା କାମରେ ମା’କୁ ସହଯୋଗ କରୁଛି । ଏଭଳି ଦୁର୍ଦ୍ଦିନରେ ଦିନ କାଟୁଛନ୍ତି ବିଧବା ନବୀନ ଭତରାଙ୍କ ପରିବାର ।

ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମହାମାହି ସାହିରେ ରହୁଛନ୍ତି ବିଧବା ମହିଳା ନବୀନ ଭତରା ଓ ତାଙ୍କ ୩ ଝିଅ ବେଲ ଭତରା, ରେଖା ଭତରା ଏବଂ ଅଞ୍ଜନା ଭତରା। ୩ ବର୍ଷ ତଳେ କୌଣସି ଏକ ରୋଗରେ ପୀଡିତ ହୋଇ ନବିନାଙ୍କ ସ୍ୱାମୀ ମେଟା ଭତରା ମୃତ୍ୟୁବରଣ କରିଥିଲେ। ମେଟା ଭତରା କୁଲି କାମକରି ପରିବାର ଚଳାଉଥିଲେ। ନବିନା ୩ ନାବାଳିକାକୁ ଦାନା ଯୋଗାଡ଼ କରିବା ସହ ସେମାନଙ୍କ ଭବିଷ୍ୟତ କିପରି ଗଢିବେ ସେନେଇ ଚିନ୍ତାରେ ନବିନା । ନବିନାଙ୍କ ଶାହା ଭରସା ଥିଲା ଘର ଖଣ୍ଡିଏ ହେଲେ ଦଇବ ଦୁବିର୍ପାକରେ କଚ୍ଚାଘର ଗଳି ପଡିଥିବାବେଳେ ପଲିଥିନ ବାନ୍ଧି ଗୋଟିଏ କୋଠରୀ ମଧ୍ୟରେ ୩ ଝିଅଙ୍କ ସହ ମୁଣ୍ଡ ଗୁଞ୍ଜିଛନ୍ତି ନବିନା । ନବିନା ଲୋକଙ୍କ ଘରେ ବାସନ ମାଜି ମାସିକ ୧ ହଜାର ଟଙ୍କା ଆଣିଲେ ଘରର ଚୁଲି ଜଳୁଛି।

ନବିନାଙ୍କର ରେଖା ଓ ଅଞ୍ଜନା ଦୁଇ ଝିଅ ଜଟାବାଲ ଗାଁ ବିଦ୍ୟାଳୟରେ ଜଣେ ୪ର୍ଥ ଓ ଆଉ ଜଣେ ପ୍ରଥମ ଶ୍ରେଣୀରେ ପାଠ ପଢ଼ୁଥିବାବେଳେ ବଡ଼ଝିଅ ବେଲ ଭତରା ଲୋକଙ୍କ ଘରେ ବାସନ ମାଜିବାରେ ମାକୁ ସହଯୋଗ କରୁଛି । ସରକାରୀ ସହାୟତା କହିଲେ ନବିନାଙ୍କୁ ମାସିକ ୨୦ କିଲୋ ଚାଉଳ ମିଳୁଥିବା ବେଳେ ଗତ ୩ ମାସହେବ ବିଧବା ଭତ୍ତା ମିଳିନାହିଁ  । ପଞ୍ଚାୟତ ଅଫିସକୁ ଯାଇ କହିଥିଲେ ମଦ୍ୟ ଏଯାଏଁ ମିଳିନାହିଁ। ଏପଟେ ଘରକାନ୍ଥ ଭୁଶୁଡ଼ି ପଡ଼ିବା ପରେ ତହସିଲ ବିଭାଗ ଦେଇଥିବା ଜରି ଖଣ୍ଡିଏ ବାନ୍ଧି ୩ ଝିଅଙ୍କ ସହ ସେହି ଘରେ ଦିନ କାଟୁଛନ୍ତି ନବିନା  ।

Leave A Reply

Your email address will not be published.