Latest Odisha News

ସ୍ୱାମୀଙ୍କୁ ହତ୍ୟା ମାମଲାରେ ସ୍ତ୍ରୀ ଓ ପ୍ରେମିକ ଆଜୀବନ କାରାଦଣ୍ଡରେ ଦଣ୍ଡିତ

ଭୁବନେଶ୍ୱର: ସ୍ୱାମୀଙ୍କୁ ହତ୍ୟା ମାମଲାରେ ସୁନ୍ଦରଗଡ଼ ଜିଲ୍ଲା ଅଦାଲତ ଜଣେ ମହିଳା ଓ ତାଙ୍କ ପ୍ରେମିକଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।

ଅଭିଯୋଗ ଅନୁଯାୟୀ, ସୁନ୍ଦରଗଡ଼ ସହର ବ୍ରାହ୍ମଣପଡ଼ାର ସିତୁ ପଣ୍ଡା ଓ ତାଙ୍କ ପ୍ରେମିକ ବିଶ୍ୱରଞ୍ଜନ ଗୁପ୍ତା ୨୦୧୩ ମସିହାରେ ତାଙ୍କ ସ୍ୱାମୀ ଗତିକୃଷ୍ଣ ପୁରୋହିତଙ୍କୁ ହତ୍ୟା କରି ତାଙ୍କ ମୃତଦେହକୁ ସୀମାନ୍ତ ଛତିଶଗଡ଼ର ପଞ୍ଚପଡ଼ାର ଏକ ଜଙ୍ଗଲରେ ଫିଙ୍ଗି ଦେଇଥିଲେ।

ଛତିଶଗଡ଼ ପୁଲିସ ମୃତଦେହ ଜବତ କରିବା ସହ ଚିହ୍ନଟ କରିଥିଲା। ସୁନ୍ଦରଗଡ଼ ଟାଉନ୍ ଥାନାକୁ ପରେ ଶବ ହସ୍ତାନ୍ତର କରିଥିଲା। ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ବେଳେ ସ୍ୱାମୀଙ୍କୁ ହତ୍ୟା କରିଥିବା ବ୍ୟକ୍ତିଙ୍କୁ ଗିରଫ ଦାବିରେ ସିତୁ ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ତେବେ ତଦନ୍ତ ବେଳେ ପୁଲିସ ସିତୁ ଓ ତା’ର ପ୍ରେମିକର ସମ୍ପୃକ୍ତି ବିଷୟରେ ଜାଣିବା ପରେ ସେମାନଙ୍କୁ ଗିରଫ କରିଥିଲା ପୋଲିସ।

ସାକ୍ଷୀଙ୍କ ଶୁଣାଣି କରି ଓ ପୁଲିସ ଦେଇଥିବା ପ୍ରମାଣକୁ ଯାଞ୍ଚ କରି ସୁନ୍ଦରଗଡ଼ ଜିଲ୍ଲା ଓ ସେସନ୍ସ କୋର୍ଟର ବିଚାରପତି ଶୁଭଦର୍ଶୀ ପଟ୍ଟନାୟକ ସିତୁ ଓ ବିଶ୍ୱରଞ୍ଜନଙ୍କୁ ଦୋଷୀ ସାବ୍ୟସ୍ତ କରି ଉଭୟଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଦୋଷୀ ସିତୁଙ୍କ ଏକମାତ୍ର ଝିଅକୁ ଲାଳନପାଳନ ଓ ପାଠପଢ଼ା ପାଇଁ ୧୦ ଲକ୍ଷ ଟଙ୍କାର ସହାୟତା ଯୋଗାଇ ଦେବାକୁ କୋର୍ଟ ଜିଲ୍ଲା ଆଇନ ସେବା ପ୍ରାଧିକରଣକୁ ନିର୍ଦ୍ଦେଶ ଦେଇଛନ୍ତି।

Leave A Reply

Your email address will not be published.