Latest Odisha News

ଉଇକିପିଡ଼ିଆ ଏବଂ ଏଏନଆଇ ବିବାଦ: ଖୁବଶୀଘ୍ର ସବିଶେଷ ତଥ୍ୟ ଦେବ ଉଇକିପିଡ଼ିଆ

ନୂଆଦିଲ୍ଲୀ: ଉଇକିପିଡ଼ିଆ ଏବଂ ଏଏନଆଇ ମଧ୍ୟରେ ଚାଲିଥିବା ମାନହାନି ମାମଲାରେ ଗତକାଲି ଉଇକିପିଡ଼ିଆ ଦିଲ୍ଲୀ ହାଇକୋର୍ଟଙ୍କୁ କହିଛି ସେ ଖୁବ ଶୀଘ୍ର ଏସିଆନ ନ୍ୟୁଜ୍ ଇଣ୍ଟରନ୍ୟାସନାଲ (ANI) ବିଷୟରେ ପୃଷ୍ଠା ସମ୍ପାଦନା କରୁଥିବା ଉପଭୋକ୍ତାମାନଙ୍କ ବିଷୟରେ ସୂଚନା ପ୍ରଦାନ କରିବ।

ନ୍ୟୁଜ ଏଜେନ୍ସି ଏଏନଆଇ ଦ୍ୱାରା ଦାୟର ହୋଇଥିବା ମାନହାନି ମାମଲାରେ ଉଇକିପିଡ଼ିଆ ତରଫରୁ ପ୍ରତିନିଧିତ୍ୱ କରୁଥିବା ବରିଷ୍ଠ ଆଡଭୋକେଟ୍ ଅଖିଲ ସିବଲ ପ୍ରଧାନ ବିଚାରପତି ମନମୋହନ ଏବଂ ଜଷ୍ଟିସ ତୁଷାର ରାଓ ଗେଡେଲାଙ୍କ ବେଞ୍ଚକୁ କହିଛନ୍ତି ଯେ, ପ୍ଲାଟଫର୍ମ ଉପଲବ୍ଧ ବୈଦ୍ୟୁତିକ ସୂଚନା ଆଧାରରେ ଉପଭୋକ୍ତାଙ୍କୁ ସମନ ପଠାଇବା ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବ। ସିବଲ କୋର୍ଟଙ୍କୁ କହିଛନ୍ତି, “ଆମ ପାଖରେ ଉପଲବ୍ଧ ସୂଚନାକୁ ଆଧାର କରି ଆମେ ନୋଟିସ ପଠାଇବା ପାଇଁ ଏକ ଆଫିଡେଭିଟ ଦାଖଲ କରିପାରିବୁ । ଏହା ବ୍ୟତୀତ ଉପଭୋକ୍ତାମାନଙ୍କର ସବିଶେଷ ତଥ୍ୟ ଏକ ସିଲ୍ ହୋଇଥିବା ଲଫାପାରେ ଅଦାଲତ ଆଗରେ ରଖାଯିବ ଏବଂ ତାର ଏକ ଏଡିଟ୍ ହୋଇଥିବା କପି ଏଏନଆଇକୁ ସେୟାର କରାଯିବ l

ସୂଚନାଯୋଗ୍ୟ ଜାତୀୟ ଗଣମାଧ୍ୟମ ସଂସ୍ଥା ଏଏନଆଇ ପକ୍ଷରୁ ଉଇକିପିଡ଼ିଆ ବିରୋଧରେ ଦିଲ୍ଲୀ ହାଇକୋର୍ଟରେ ମାନହାନି ମୋକଦ୍ଦମା ଦାଏର କରାଯାଇଥିଲା । ଉଇକିପିଡ଼ିଆ ନିଜ ପେଜରେ ଏଏନଆଇ ବିଷୟରେ ଅପମାନଜନକ କଥା ପ୍ରକାଶ କରିଥିବା ଅଭିଯୋଗରେ ଏହି ମାମଲା ରୁଜୁ କରିଥିଲା ଏଏନଆଇ । ଏହାସହ ଏଏନଆଇ ଉଇକିପିଡ଼ିଆଠାରୁ କ୍ଷତିପୂରଣ ବାବଦରେ ୨ କୋଟି ଟଙ୍କା ଦାବି କରିଥିଲା । ଦିଲ୍ଲୀ ହାଇକୋର୍ଟରେ ଏଏନଆଇ ପକ୍ଷରୁ ଆଇନଜୀବୀ ସିଦ୍ଧାନ୍ତ କୁମାର ଏହି ମାନହାନି ମାମଲା ଦାଏର କରିଥିଲେ।

Comments are closed.