Latest Odisha News

ବ୍ରଜରାଜନଗରରେ କିଏ ମାରିବ ବାଜି: ଏଥର ଲଢେଇ ମହିଳାଙ୍କ ଭିତରେ ?

ଭୁବନେଶ୍ୱର: ବ୍ରଜରାଜନଗରରେ ଲାଗିଛି ରାଜନୀତିର ବାଜି । କିଏ ଜିତିବ, କିଏ ହାରିବ ? ମେ ୩୧ ପରେ ଏହା ସ୍ପଷ୍ଟ ହୋଇଯିବ । ଯଦିଓ ତିନି ପ୍ରମୁଖ ରାଜନୈତିକ ଦଳ ପ୍ରାର୍ଥୀ ଘୋଷଣା କରିନାହାନ୍ତି ହେଲେ ମିଳିଥିବା ସୂଚନା ଅନୁଯାୟୀ ତିନି ଦଳ ନିଜ ନିଜର ମହିଳା ନେତ୍ରୀଙ୍କୁ ନିର୍ବାଚନ ମୈଦାନକୁ ଓହ୍ଲାଇପାରନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ବିଜେଡି ଏବେ ଦିବଂଗତ ବିଧାୟକ କିଶୋର ମହାନ୍ତିଙ୍କ ପତ୍ନୀ ଅଳକା ମହାନ୍ତିଙ୍କୁ ଟିକେଟ ଦେବାକୁ ଚିନ୍ତା କରୁଛି । ଅନ୍ୟପଟେ ଦଳ ଭିତରୁ ମିଳୁଥିବା ସୂଚନା ଅନୁଯାୟୀ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ତାଙ୍କ ଝିଅ ଦୀପାଳି ଦାସଙ୍କୁ ଏହି ଆସନରୁ ଟିକେଟ ଦେବାକୁ ଲବି କରୁଛନ୍ତି । ନହେଲେ ବରିଷ୍ଠ କଂଗ୍ରେସ ନେତା କିଶୋର ପଟେଲଙ୍କ ବୋହୂ ଅନନ୍ୟାଙ୍କୁ ଟିକେଟ ଦିଆଯାଉ ବୋଲି ସେ ଦଳର ମୁଖିଆଙ୍କ ପାଖରେ ଲବି କରୁଥିବା ସୂଚନା ରହିଛି । ଅନନ୍ୟା ଯଦି ବିଜେଡିରୁ ଟିକେଟ ନପାଇବେ ତାହେଲେ ସେ କଂଗ୍ରେସରୁ ପ୍ରାର୍ଥୀ ହୋଇପାରନ୍ତି।

ପଞ୍ଚାୟତ ଏବଂ ପୌର ନିର୍ବାଚନରେ ବିଜେଡି ବାଜିମାତ କରିବା ପରେ ଉପନିର୍ବାଚନରେ ଦଳ ଭଲ ପ୍ରଦର୍ଶନ କରିବ ବୋଲି ଆଶା ରଖିଛି । ତେଣୁ ଦଳ ଏବେ ପୁଣିଥରେ ସକ୍ରିୟ କର୍ମୀଙ୍କୁ ନେଇ ତୃଣମୂଳ ସ୍ତରରୁ ଭୋଟ୍ ବ୍ୟାଙ୍କ ଏକତ୍ରିତ କରିବାକୁ ରଣନୀତି ଆରମ୍ଭ କରିଦେଇଛି। ନିକଟରେ ଦଳ ଏଠାରେ ଟିକେଟ କିଏ ଲଢିବ ଗୁରୁତ୍ବ ନଦେଇ କେମିତି ଏହି ଆସନ ବିଜେଡି ହାତରେ ରହିବ ତା ଉପରେ ଦଳୀୟ କର୍ମୀଙ୍କୁ ଗୁରୁତ୍ୱ ଦେବାକୁ କହିଥିବା ସୂଚନା ରହିଛି।

ସେହିପରି ବିଜେପି ମଧ୍ୟ ଏହି ଆସନର ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡାଙ୍କୁ ପ୍ରାର୍ଥୀ କରିବ ବୋଲି ସୂଚନା ରହିଛି। ହେଲେ ବିଜେଡି କାହାକୁ ପ୍ରାର୍ଥୀ କରୁଛି ଦେଖିଲା ପରେ ବିଜେପି ନିଜର କାର୍ଡ ଖୋଲିବ ବୋଲି ସୂଚନା ରହିଛି। ଗତକାଲି ପ୍ରଭାରୀ ଡି ପୂରନ୍ଦେଶ୍ୱରୀ ରାଜ୍ୟ ବିଜେପି ଅଫିସରେ ଏ ସଂକ୍ରାନ୍ତରେ ବୈଠକ କରିଛନ୍ତି । ଏହି ବୈଠକରେ ସାଂସଦ ସୁରେଶ ପୂଜାରୀ ଏବଂ ଅନ୍ୟାନ୍ୟ କର୍ମୀ ଉପସ୍ଥିତ ଥିଲେ। ସାଂସଦ ପୂଜାରୀ କହିଛନ୍ତି, ଗତ ଲୋକସଭା ନିର୍ବାଚନରେ ସବୁଠୁ ଅଧିକ ଭୋଟ ମିଳିଥିଲା। ରାଧାରାଣୀ ପଣ୍ଡା ପୂର୍ବରୁ ନିର୍ବାଚନ ଲଢ଼ିଥିଲେ ହେଲେ ପରାଜୟ ହୋଇଥିଲା। ପୂର୍ବରୁ ବିଧାୟକ ମଧ୍ୟ ଥିଲେ। ସେ ନିର୍ବାଚନ ଲଢିବାକୁ ନିଶ୍ଚିତ ଭାବେ ଇଚ୍ଛା ପ୍ରକାଶ କରିବେ ତାହା ନିଶ୍ଚିତ। ତେବେ ଆଶାୟୀ ମାନଙ୍କ ମଧ୍ୟରେ ସେ ଅଛନ୍ତି ଏବଂ ଅନ୍ୟ ମାନେ ମଧ୍ୟ ଅଛନ୍ତି। କିନ୍ତୁ ସମସ୍ତଙ୍କ ସହମତି ଭିତରେ ପ୍ରାର୍ଥୀ ଘୋଷଣା କରାଯିବ।  କିଏ ପ୍ରାର୍ଥୀ ହେବେ ସେ ନେଇ କେନ୍ଦ୍ରୀୟ ଇଲେକ୍ସନ କମିଟି ନିଷ୍ପତ୍ତି ନେବେ।

ଅନ୍ୟପଟେ ମିଳିଥିବା ସୂଚନା ଅନୁଯାୟୀ ସାଂସଦ ପୂଜାରୀ ଆଶାୟୀ ତାଲିକାରେ ଅନେକ ଅଛନ୍ତି ବୋଲି କହିଛନ୍ତି ସେଥିରେ ସୁଜିତ ସିଂ ମଧ୍ୟ ରହିଛନ୍ତି ବୋଲି ସୂଚନା ରହିଛି। ସେ ଅଖିଳ ଭାରତୀ ବିଦ୍ୟାର୍ଥୀ ପରିଷଦ ସହ ଜଡିତ। ସେ ବ୍ରଜରାଜନଗର ଅଞ୍ଚଳର ହୋଇଥିବାରୁ ଦଳ ନୂଆ ଚେହେରାକୁ ଲୋକଙ୍କ ଆଗକୁ ଆଣି ୨୦୨୪ ପାଇଁ ଏବେଠୁ ପ୍ରସ୍ତୁତି ଆରମ୍ଭ କରିପାରେ । ସୁଜିତଙ୍କ ପାଇଁ ସାଂସଦ ପୂଜାରୀ ଏବଂ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କ କ୍ୟାମ୍ପ ଲବି କରୁଥିବା ସୂଚନା ରହିଛି। ରାଧାରାଣୀ ନିର୍ବାଚନ ହାରିବା ପରେ ଲୋକଙ୍କ ସହିତ ନାହାନ୍ତି ତେଣୁ ଭୋଟ୍ ବଢାଇବାକୁ ହେଲେ ସ୍ୱଚ୍ଛ ଭାବମୂର୍ତ୍ତି ଓ ଯୁବ ଚେହେରା ଆବଶ୍ୟକ ବୋଲି ପ୍ରଭାରୀଙ୍କ ପାଖରେ ଏପରି କିଛି କୁହାଯାଉଛି ବୋଲି ସୂଚନା ରହିଛି।

Comments are closed.